Latest Odisha News

BREAKING NEWS

ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ: ବିଜେପି

ଭୁବନେଶ୍ୱର: ମା’, ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’, ମାଟିକୁ କେହି ଆଜି ଯାଏ ଅସ୍ୱୀକାର କରିନାହାନ୍ତି । କିନ୍ତୁ “ମାତୃଭାଷା ଆମ ପରିଚୟ ହୋଇ ରହିଛି କି” ତାହା ଆଜିର ଦିନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପୂର୍ବତନ ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମାତୃଭାଷା ଆମର ଅସ୍ମିତା ଓ ସ୍ୱାଭିମାନ । ଯଦି ମୁଁ ନିଜ ମାତୃଭାଷା କହିପାରୁନି ବା ତା’ପ୍ରତି ମୋର ସ୍ନେହ, ମମତା ଓ ଦରଦ ନାହିଁ ତାହାଲେ ଅସ୍ମିତା କିମ୍ବା ସ୍ୱାଭିମାନ କେଉଁଠି ରହିଲା? ଯାହାକୁ ଓଡ଼ିଶାବାସୀ ଭଲ ପାଇ ନିରଙ୍କୁଶ ଭାବେ ନିର୍ବାଚିତ କରି ଦୀର୍ଘ ୨୪ ବର୍ଷ ଧରି ରାଜସିଂହାସନରେ ବସାଇଲେ । ତାଙ୍କର ମାତୃଭାଷା ପ୍ରତି ଦରଦ ନଥିବା କାରଣରୁ ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ବ୍ୟଥା ଦେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୩ ବର୍ଷ ଶାସନରେ ରହିବି ଓଡିଆ ନକହି ପାରିବା ଓଡ଼ିଶାବାସୀଙ୍କ ମନକୁ କଷ୍ଟ ଦେବା ସହ ଆଘାତ ଦେଉଛି । ଆଜିବି ମୁଖ୍ୟମନ୍ତ୍ରୀ ଦୁଇପଦ ଓଡ଼ିଆରେ କଥା କହିବା ପାଇଁ ରୋମାନ ଇଂରାଜୀ ଲିପିର ସାହାଯ୍ୟ ଓ ସହଯୋଗ ନେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କହୁଛନ୍ତି । ତାଠାରୁ ବଡ ଦୁଃଖ ଓ ପରିତାପର ବିଷୟ କ’ଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ହେଉଛି ପ୍ରଥମ ରାଜ୍ୟ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । ଗତ ୧ ତାରିଖ ଦିନ ପାଳିତ ହୋଇଥିବା ପବିତ୍ର ‘ଉତ୍କଳ ଦିବସ’ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସୁଆଣ୍ଡୋକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସମୟ ହେଲାନି । ଯାହାଙ୍କର ଗାଥା ଶୁଣିକି ବଡ ହୋଇଛେ ସେ ଜାଗାକୁ ଯିବା ପାଇଁ ଗୋଟିଏ ମିନିଟ୍‌ର ସମୟ ହେଲାନି ମୁଖ୍ୟମନ୍ତ୍ରୀଙ୍କୁ । ସେ ଏଥିପାଇଁ ନିଜ ପ୍ରତିନିଧି ଭାବେ ଜଣେ ନୀଳ ବର୍ଣ୍ଣ ଶୃଗାଳଙ୍କୁ ପଠାଇଲେ । କାହିଁକି ତାଙ୍କ ସରକାରରେ କ’ଣ ଯୋଗ୍ୟ ଲୋକ ନଥିଲେ ନା ମୁଖ୍ୟମନ୍ତ୍ରୀଙ୍କ ସମୟ ନଥିଲା?

ସେହିପରି ବଡ ବଡ ଘୋଷଣା ଓ ହୋର୍ଡିଂ ଲଗାଇ ଭାଷା ସମ୍ମିଳନୀ ଆୟୋଜନ କରାଗଲା, କିନ୍ତୁ ଓଡିଆ ବରପୁତ୍ରଙ୍କ ନାମ ଠିକ୍‌ଭାବେ ଉଚ୍ଚାରଣ କରିପାରିଲେ ନାହିଁ । କାନ୍ତକବିଙ୍କୁ ‘କଣ୍ଠକବି’ ବୋଲି କହିବା ଆଜିର ଓଡ଼ିଆ ଭାଷାର ସ୍ଥିତି । ଏପରି କରି ରାଜ୍ୟ ସରକାର କେବଳ ମହାନ କବିଙ୍କୁ ଉପହାସ କରିନାହାନ୍ତି ବରଂ ଓଡିଆ ଭାବାବେଗକୁ କୁଠାରଘାତ କରିଛନ୍ତି । “ଭାଷା ଅତୀତର ଅସ୍ତିତ୍ୱ ଓ ଭାଷା ଭବିଷ୍ୟତ”, ଓଡିଆ ଭାଷା ଆଜି ସଂକଟରେ ! ଏହାଠୁ ବଡ ଦୁର୍ଭାଗ୍ୟ କଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଓଡ଼ିଆ ଭାଷାର ସଠିକ ଉଚ୍ଚାରଣ ଏବଂ ସୁପ୍ରଚାର ଓ ପ୍ରସାର ପାଇଁ ଖୋଲାଯାଇଥିବା ଭାଷା ପ୍ରତିଷ୍ଠାନରେ ଦୀର୍ଘ ୧୦ ବର୍ଷ ଧରି ସଂଯୋଜକ ଏବଂ ସହସଂଯୋଜକ ପଦବୀ ଖାଲି ପଡିଛି । ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବା ସତ୍ୱେ ଏହାକୁ ଏକ କେବଳ ସାଙ୍କେତିକ ଭାଷା ଭଳି ପ୍ରୟୋଗ କରାଯାଉଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରି ଜନମାନସରେ ଆଦୃତ କରାଇବାର ଦାୟୀତ୍ୱ ଏବଂ କର୍ତ୍ତବ୍ୟ ହେଉଛି ରାଜ୍ୟ ସରକାରଙ୍କ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା ପ୍ରତି ମୋହ, ମାୟା ଓ ମମତା ନଥିବା କାରଣରୁ ଆଜି ଓଡିଆ ଅସ୍ମିତା ଓ ସ୍ୱାଭୀମାନ ସଂକଟରେ ପଡିଛି । ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭୀମାନ ଆଜି ସଂକଟରେ । ଏଭଳି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ । ଭାରତୀୟ ଜନତା ପାର୍ଟି ଶାଣିତ ସ୍ୱର ଉଠାଇବା ସହ କୁଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଲଢେଇ ଜାରୀ ରଖିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.