Latest Odisha News

BREAKING NEWS

ଓଡ଼ିଶାରେ କୋଟିଏ ଟଙ୍କାରୁ ଅଧିକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା ରୋପଣ ଦୁର୍ନୀତି, ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଓ ଓମଫେଡ଼ ପଲିଥିନ ବଣ୍ଟନ ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦିନ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ମାନଙ୍କୁ କହିଛନ୍ତି, ମୟୁରଭଞ୍ଜ ଜିଲ୍ଲାରେ ଚାରା ରୋପଣ ଯୋଜନାରେ ବହୁତ ବଡ଼ ଦୁର୍ନୀତି ହୋଇଛି ଏବଂ ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଆବଶ୍ୟକ ।

” ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୪୦୦ କୋଟି ଟଙ୍କାର ଦୁର୍ନୀତି ଲାଗି ଆଜି ଜେଲରେ ଅଛନ୍ତି, କିନ୍ତୁ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ହୋଇ ବସିଛନ୍ତି । ଅବଶ୍ୟ ସରକାର ଅନେକ କମିଶନ ବସାଇଛନ୍ତି କିନ୍ତୁ ଏହା ନିଷ୍ଫଳ ହୋଇଛି,” ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ମଧ୍ୟ କହିଛନ୍ତି, ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରିବ । ଯଦି ଏହି ସବୁ ଦୁର୍ନୀତିର ତଦନ୍ତ ରାଜ୍ୟ ସରକାର ସିବିଆଇ ଦ୍ୱାରା ନକରାଇବେ ତେବେ ବିଜେପି ଆଇନର ସାହାଯ୍ୟ ନେବ ।

ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଲାଗୁଛି ବିଜେପି ଓ ଶ୍ରୀ ଆଚାର୍ଯ୍ୟ ମାନସିକ ଭାବେ ଠିକ୍ ନାହାନ୍ତି । “ଆମ ଦଳର ସର୍ବୋଚ୍ଚ ନେତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ବିଜେପି ଏତେ ଚିନ୍ତିତ କାହିଁକି? ଓଡ଼ିଶା ବିଧାନସଭାରେ ଦୁର୍ନୀତି ସମ୍ପର୍କରେ ଆଲୋଚନା ହୋଇସାରିଛି ଏବଂ ରାଜ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବେ । ସେଥିଲାଗି ବିଜେପି ପକ୍ଷରୁ ଦଳ କୌଣସି ଉପଦେଶ ଚାହୁଁନାହିଁ । ” ସେ ଏହିକଥା ସାମ୍ବାଦିକ ମାନଙ୍କୁ କହିଛନ୍ତି ।

Leave A Reply

Your email address will not be published.