Latest Odisha News

ଏସସିବିରେ ବିଦ୍ୟୁତ ବିଭ୍ରାଟ ପରେ ପାଣି ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି। ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ବିଜୁଳି ସମସ୍ୟା ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ନବୀନ ସରକାରର ୨୩ ବର୍ଷର ନିରଙ୍କୁଶ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେପି କଟାକ୍ଷ କରିଛି।

BjdElectrycity

ରାଜ୍ୟରେ ‘ବିଜୁଳି ଶାସନ ଗଲାଣି ହୁଗୁଳି’ ବୋଲି ଜନତା ବାରମ୍ବାର କହୁଥିବା ବେଳେ ନବୀନ ଶାସନରେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ହୁଗୁଳି ପଡିଛି। ବିଜୁଳି ସମସ୍ୟା ଓଡ଼ିଶାରେ କାୟା ବିସ୍ତାର କରୁଥିବା ବେଳେ ଶକ୍ତି ମନ୍ତ୍ରୀ କହିଥାନ୍ତି, ‘ଓଡ଼ିଶାରେ ବିଜୁଳି ସମସ୍ୟା ନାହିଁ’। ତା ହେଲେ ଗତ ୨ ଦିନ ହେଲା ଏସ୍‌ସିବି ମେଡିକାଲରେ ବିଜୁଳି ସମସ୍ୟା କିପରି ସୃଷ୍ଟି ହେଲା ଏହାର ଉତ୍ତର ଦେବେ କି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର।

କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ସମସ୍ତଙ୍କୁ ପାଣି ଯୋଗାଉଥିବା ବେଳେ ମେଡିକାଲ କଲେଜରେ ପାଣି ଟୋପେ ପାଇଁ ଡହଳ ବିକଳ ହେବାକୁ ପଡୁଛି। ଓଡ଼ିଶାରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନବୀନ ବାବୁ ତତ୍ପରତା ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଡିଣ୍ଡିମ ପିଟୁଛନ୍ତି। ପାଣି ନାହିଁ, ବିଜୁଳି ନାହିଁ ଏମିତି ବିଶ୍ୱସ୍ତରୀୟ ମେଡିକାଲ କଲେଜ ଆମର ଦରକାର ନାହିଁ ବୋଲି ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆଜି ଏସ୍‌ସିବି ଆଖିରେ ଲୁହ। ଦୁଇ ଦିନ ହେଲା ମେଡିସିନ, ନିଦାନ, ଶବବ୍ୟବଚ୍ଛେଦ ବିଭାଗରେ ବିଦ୍ୟୁତ ନାହିଁ। ଗତକାଲିଠୁଁ ପାଣି ମଧ୍ୟ ନାହିଁ।

ରାଜ୍ୟରେ ଶାସନ ବ୍ୟବସ୍ଥା କେଉଁଠି ଅଛି ? ଉପାନ୍ତ ଅଞ୍ଚଳରେ କ୍ୟାଣ୍ଡେଲ ଲାଇଟରେ ଉପଚାର କଥା ଦେଖୁଥୁଲୁ। ଏବେ ଏସ୍‌ସିବି ଅବସ୍ଥା ଏଇୟା, ତେବେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା କଣ ତାହା ଏସ୍‌ସିବି ଜଣାଇ ଦେଉଛି। ଯଦି ନୈତିକତା ଅଛି ତାହାଲେ ସ୍ୱାସ୍ଥ୍ୟ ଓ ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଏସ୍‌ସିବିରେ ଉପୁଜିଥିବା ଏଭଳି ଦୟନୀୟ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ୍ ରଖନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲିକେପ୍ଟରରେ ବୁଲି ବୁଲି ଓଡ଼ିଶାବାସୀଙ୍କୁ ଭାଷଣ ମାଧ୍ୟମରେ ଭୂଆଁ ବୁଲାଉଛନ୍ତି। ସବୁ ଦେଖି, ଶୁଣିବି ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ହୋଇଛନ୍ତି। ଶାସକ ଦଳର ମନ୍ତ୍ରୀ, ବିଧାୟକ, ନେତାମାନେ ନୀତି ଓ ନୈତିକତାର ପାଠ ପଢ଼ାଉଛନ୍ତି। ଏସ୍‌ସିବି ମେଡିକାଲର ଆଜିକାର ପରିସ୍ଥିତି ଓଡ଼ିଶାବାସୀଙ୍କୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କ କରିଦେଇଛି। ପ୍ରଶ୍ନ ପଚାରିଲେ, ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଜନବିରୋଧୀ କହୁଛନ୍ତି। ତାହେଲେ ଏହା କଣ ଜନବିରୋଧୀ ନୁହେଁ ? ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଶାର ଲୋକଙ୍କ ସମସ୍ୟା ବୁଝିବାରେ ଅକ୍ଷମ ତାହାଲେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

Leave A Reply

Your email address will not be published.