Latest Odisha News

BREAKING NEWS

ତିହିଡି ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା; ୩ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ଗତକାଲି ୨ ଜଣ ଓ ଆଜି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତଙ୍କ ଅଭିଯୋଗକୁ ଆଧାକ କରି ଦୁଇଟି ପୃଥକ ମାମଲା ପୋଲିସ ରୁଜୁ କରିଛି । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ସୂଚନାଯୋଗ୍ୟଯେ, ତିହିଡି ବ୍ଲକ ଅଧିନସ୍ଥ ତଳଗୋପବିନ୍ଧା ପଞ୍ଚାୟତର ଦିବାକର ବେହେରା ଓ ତାଙ୍କ ଝିଅ ସଂଜୀବନୀ ବେହେରାଙ୍କୁ ବିଜେଡ଼ି କର୍ମୀ ଭୋଟ୍ ନ ଦେବା ପାଇଁ ଧମକ ଦେଇଥିଲେ ।

ଭୋଟ୍ ଦେବା ପରେ ଗତକାଲି ରାତିରେ ଦିବାକର ବେହେରା ପଡୋଶୀ ଘରକୁ ଯାଇଥିବା ବେଳେ ବିଜେଡ଼ି ଗୁଣ୍ଡାମାନେ  ଗୋରା, ମିକୁ, ସୁଶ, ରାମ ଖଟୁଆ ଓ ଦୁଖିଆ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଖବର ପାଇ ଦିବାକର ବେହେରାଙ୍କ ଝିଅ ବାପାକୁ ରକ୍ଷା କରିବାକୁ ଯାଇଥିବା ବେଳେ ତାଙ୍କୁ ବି ସେମାନେ ଆକ୍ରମଣ କରିଥିଲେ । ବାପା ଓ ଝିଅ ଆହତ ହୋଇ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ସେହିପରି ଆଜି ତିହିଡି ଥାନା ଅଧିନସ୍ଥ ବୋଡ଼କ ପଞ୍ଚାୟତର ଅଣ୍ଡରାଇ ଗ୍ରାମର ପିତାମ୍ଭର ନାୟକ ସକାଳୁ ବିଲକୁ ଯାଉଥିବା ବେଳେ ପୂର୍ବରୁ ବିଜେପିକୁ ଭୋଟ୍ ନଦେବାକୁ  ଧମକ ଦେଇଥିବା ବିଜେଡ଼ିର କର୍ମୀ ମାନେ ଆଜି ହଠାତ ଲୁହା ରଡ଼ ଓ ବାଡ଼ିରେ ପିତାମ୍ବରକୁ ଆକ୍ରମଣ କରିଥିଲେ । ପିତାମ୍ବର ଗୁରୁତର ହୋଇ ତଳେ ପଡିଯାଇଥିଲେ । ପିତାମ୍ବରଙ୍କ ପୁଅ ଓ ଗ୍ରାମବାସୀ ମାନେ ପିତାମ୍ବରକୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କୁ ବିଜେଡ଼ି କର୍ମୀ ରାଣପ୍ରତାପ ନାୟକ, ଅଞ୍ଜନ ନାୟକ ସତ୍ୟସୁନ୍ଦର ନାୟକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପିତାମ୍ବର ।

ଏ ନେଇ ତିହିଡି ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା ବେଳେ  ପୋଲିସ କାହାରିକୁ ଗିରଫ କରିନାହିଁ । ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୀଡ଼ିତା ମାନଙ୍କୁ ଭେଟି ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିବା ସହ ସ୍ଥାନୀୟ ପୋଲିସ ପ୍ରଶାସନ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ତେବେ ବିଜେପିର ଏହି ଅଭିଯୋଗକୁ ଅସ୍ୱୀକାର କରିଛି ବିଜେଡି । ବିଜେପି ହିଂସା  କରିଆସୁଥିବା ଓ ମିଥ୍ୟା ମାମଲା କରିଥିବା ପ୍ରଚାର ସମୟରୁ ଜଣାପଡିଛି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.