Latest Odisha News

କ୍ରିକେଟ GODଙ୍କ ରେକର୍ଡ ଭାଙ୍ଗିବେ କି KING ?

ପୁରୀ: କ୍ରିକେଟ ଦୁନିଆର ଗଡ ଏବଂ କିଙ୍ଗ ମଧ୍ୟରେ ଏବେ ଚାଲିଛି ମୁକାବିଲା । ଆଜି ଭାରତୀୟ କ୍ରିକେଟର କିଙ୍ଗ ଭାବେ ପରିଚିତ ବିରାଟ କୋହଲି ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଦୀର୍ଘ ଦିନ ଧରି ଖରାପ ଫର୍ମରେ ରହିବା ପରେ ସେ ଏବେ ଲୟକୁ ଫେରିଛନ୍ତି । ବର୍ତମାନ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିଛି ଯେ, ସଚିନ ତେନ୍ଦୁଲକରଙ୍କ ରେକର୍ଡ କୋହଲି ଭାଙ୍ଗି ପାରିବେ ? ୩୪ ବର୍ଷ ପର୍ଯ୍ୟନ୍ତ ରେକର୍ଡ ହିସାବକୁ ନେଲେ କ୍ରିକେଟ ଭଗବାନ ଭାବେ ପରିଚିତ ସଚିନ ଆଗରେ ରହିଛନ୍ତି । ସେ ୩୪ ବର୍ଷରେ ୭୬ ଶତକ ମାରି ସାରିଥିଲେ । ଏହା ତୁଳନାରେ କୋହଲି ୫ଟି ଶତକ ପଛରେ ରହିଛନ୍ତି । ଯଦି କିଙ୍ଗ ୨୦୨୮ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ୫ଟି ଲେଖାଁଏ ଶତକ ମାରିବେ ତାହାହେଲେ ସଚିନଙ୍କ ରେକର୍ଡ ଭାଙ୍ଗିବେ । ଏହା ଶୁଣିବାକୁ ସହଜ ଲାଗୁଥିଲେ ମଧ୍ୟ ଏତେଟା ସହଜ ନୁହେଁ । ୪୦ ବର୍ଷ ପର୍ଯ୍ୟନ୍ତ ଜଣେ ଖେଳାଳିଙ୍କୁ ଖେଳିବାକୁ ହେଲେ ସେ ଭଳି ଫିଟନେସ ଏବଂ ଫର୍ମର ଆବଶ୍ୟକତା ରହିଛି । ୩୪ ବର୍ଷରେ ସଚିନ ୫୨୦ ମ୍ୟାଚ ଖେଳି ୪୮.୮୮ ଆଭରେଜରେ ୨୫୫୨୫ ରନ କରିଥିଲେ । ଏହାର ଜବାବରେ କୋହଲି ୪୭୭ ମ୍ୟାଚ ଖେଳି ୨୪୩୫୦ ରନ କରିଛନ୍ତି । ସଚିନଙ୍କ ଅପେକ୍ଷା କୋହଲି ୪୩ ମ୍ୟାଚ କମ ଖେଳିଛନ୍ତି । ସେହିପରି ମାଷ୍ଟର ବ୍ଲାଷ୍ଟର ୧୬ ବର୍ଷରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଅପରପକ୍ଷରେ କୋହଲି ୨୦ ବର୍ଷରେ ଏହି ଦୁନିଆରେ ପାଦ ଥାପିଥିଲେ ।

ନିକଟରେ ପାଖାପାଖି ୩ ବର୍ଷ ଖରାପ ଫର୍ମରେ ରହିବା କୋହଲିଙ୍କୁ କିଛି ମାତ୍ରାରେ ଅସୁବିଧାରେ ପକାଇଛି । ସଚିନ ୧୯୮୯ରୁ କ୍ୟାରିୟର ଆରମ୍ଭ କରି ୨୦୧୩ ପର୍ଯ୍ୟନ୍ତ ଖେଳିଥିଲେ । କୋହଲି ୨୦୦୮ରୁ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ସଚିନ ପାଖାପାଖି ପ୍ରତ୍ୟେକ ୬ଟି ମ୍ୟାଚରେ ଗୋଟିଏ ଶତକ ହାସଲ କରୁଥିବା ବେଳେ କୋହଲିଙ୍କୁ ଏଥିପାଇଁ ୭ଟି ମ୍ୟାଚ ଖେଳିବାକୁ ଯାଉଛି । ଭାରତୀୟ କ୍ରିକେଟପ୍ରେମୀ କେବେ ବି ଚାହିଁବେନି ସଚିନଙ୍କ ରେକର୍ଡ ଅନ୍ୟ ଦେଶର କେଉଁ ଖେଳାଳି ଭାଙ୍ଗନ୍ତୁ । ଆମ ଦେଶର ରେକର୍ଡ ଆମ ପାଖରେ ରହୁ ବୋଲି ସମସ୍ତଙ୍କ ଇଚ୍ଛା । ବର୍ତମାନ କୋହଲିଙ୍କ ବ୍ୟତୀତ ସଚିନଙ୍କ ରେକର୍ଡ ପାଖରେ କେହି ପଂହଚିବା ସମ୍ଭବପର ଲାଗୁ ନାହିଁ । କୋହଲି ଏହି ରେକର୍ଡ ଭାଙ୍ଗିଲେ ଆମ ପାଇଁ ଗର୍ବର ବିଷୟ ହେବ ।

Leave A Reply

Your email address will not be published.