Latest Odisha News

BREAKING NEWS

ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ସରକାରଙ୍କୁ ଘେରିଲା ବିଜେପି, କହିଲା ‘୫ ବର୍ଷରେ ବି ହୋଇନି ଗୋଟିଏ ବୈଠକ’

ଭୁବନେଶ୍ୱର: ପୁଣି ତାଜା ହୋଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା । ବିରୋଧୀ ବିଜେପି କହିଛି, ରତ୍ନ ଭଣ୍ଡାର ଚାବି ହଜିବା ଓଡ଼ିଶା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସରକାରଙ୍କ ନଜରକୁ ଆସିଥିଲା ୨୦୧୮ରେ । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ ଓ ରତ୍ନ ଭଣ୍ଡାର ଭିତରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ଏବେ ସୂଚନା ଅଧିକାର ଆଇନ ବଳରେ ରତ୍ନ ଭଣ୍ଡାର ସର୍ମ୍ପକରେ ଯେଉଁ ତଥ୍ୟ ଆସିଛି ତାହା ଯେତିକି ଚିନ୍ତାଜନକ ତାଠାରୁ ବେଶୀ ଭୟଙ୍କର ବୋଲି କହିଛି ବିଜେପି ।

ସୂଚନା ଅଧିକାର ଆଇନ ଆଧାରରେ ଆଇନ୍ ବିଭାଗକୁ ପଚରା ଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସରକାର କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ୍ ବିଭାଗ ୨୦୧୮ରୁ ଆଜି ପର୍ଯ୍ୟନ୍ତ ସେପରି କୌଣସି ବୈଠକ କରିନାହିଁ । ଯେଉଁ ପ୍ରସଙ୍ଗରେ ସାରା ରାଜ୍ୟ ହୁଲୁସ୍ତୁଲୁ, ସମସ୍ତେ ଚିନ୍ତିତ ସେହି ପ୍ରସଙ୍ଗର ସମାଧାନ ପାଇଁ ସରକାର ୫ ବର୍ଷରେ ଗୋଟିଏ ବି ବୈଠକ ନକରି ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ଜଗନ୍ନାଥ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୬୦ର ଧାରା ୬ର ଉପଧାରା ୧ ଅନୁସାରେ ରତ୍ନ ଭଣ୍ଡାରର ଭିତର ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ହେଉଛନ୍ତି କ୍ଷମତାପ୍ରାପ୍ତ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ବିଭାଗର ଅଧୀନରେ ଆସୁଛି । ଶ୍ରୀମନ୍ଦିରର ପରିଚାଳନାର ସବୁକିଛି ପାଇଁ ରାଜ୍ୟ କ୍ୟାବିନେଟ, ବିଧାନସଭା, ନ୍ୟାୟାଳୟ ସବୁଠି ଆଇନ ବିଭାଗ ଉତ୍ତର ଦାୟୀ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ।

ଗଣମାଧ୍ୟମରେ, ବିଧାନସଭାରେ, ଏମିତିକି ହାଇକୋର୍ଟରେ ମଧ୍ୟ ଏନେଇ ମାମଲା ଚାଲିଛି । ସମସ୍ତେ ଚାହିଁ ବସିଛନ୍ତି ଯେ ସରକାର କେବେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତି ନେବେ ବୋଲି । ହେଲେ ସରକାରଙ୍କ ଆଇନ ବିଭାଗ କହୁଛି ଯେ ଆଜି ପର୍ଯ୍ୟନ୍ତ ସେନେଇ କୌଣସି ବୈଠକ ହୋଇନାହିଁ ବୋଲି । ୫ ବର୍ଷ ବିତିସାରିଲାଣି ହେଲେ ଏବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ବିଭାଗ କୌଣସି ବୈଠକଟିଏ ନକରିବା ବଡ ଆଶ୍ଚର୍ଯ୍ୟର ବିଷୟ ବୋଲି ଅନିଲ କହିଛନ୍ତି ।

କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ସର୍ମ୍ପକରେ ଅଦାଲତରେ ଥରେ ନୁହେଁ ବାରମ୍ବାର ସମୟ ନେଉଛନ୍ତି ସତ୍ୟପାଠ ଦାଖଲ କରିବା ପାଇଁ । ଆଇନ ବିଭାଗ ମଧ୍ୟ ସେହି ସମସ୍ତ ମାମଲାରେ ପକ୍ଷଭୁକ୍ତ ଅଛନ୍ତି । ହେଲେ କିନ୍ତୁ ଏସବୁ ପ୍ରସଙ୍ଗରେ ମଧ୍ୟ ଆଇନ ବିଭାଗ ପାଖରେ କୌଣସି ଖବର ନାହିଁ ବୋଲି ଆଇନ ବିଭାଗ ସୂଚନା ଅଧୀକାର ଆଇନ ଆଧାରରେ ସୂଚନା ଦେଇଛନ୍ତି ।

ଏ ସରକାରକୁ ଚଲାଉଛି କିଏ ? ଏଭଳି ଜଗନ୍ନାଥ ବିରୋଧୀ ମାନସିକତା ଥିବା ସରକାର ପୁରା ଓଡିଶା ପାଇଁ ବିପଦ । ଆଇନ ବିଭାଗ ଯାହା ଓଡିଶା ଲୋକଙ୍କ ପାଖରେ ଉତରଦାୟୀ ଶ୍ରୀମନ୍ଦିର ପରିଚାଳନା ନେଇ ସେହି ବିଭାଗର ଏଭଳି ସ୍ଥିତି କାହିଁକି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏବେ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଯେଉଁ ରଂଜନ କୁମାର ଦାସଙ୍କୁ ନିଯୁକ୍ତ କରିଛନ୍ତି ସେ ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ । ଯାଜପୁର ଜିଲ୍ଲାରେ ହୋଇଥିବା ୨୦୦ କୋଟି ଟଙ୍କାର କଳାମୁଗୁନି ପଥର କେଳେଙ୍କାରୀ ପାଇଁ ସେ ମହାଶୟ ଦାୟୀ ବୋଲି ଓଡିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଲୋକାୟୁକ୍ତଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି । ଏଭଳି ଦୁର୍ନୀତି ଅଭିଯୁକ୍ତଙ୍କୁ କାହିଁକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟୀତ୍ୱ ଦିଆଗଲା ତାହା ବଡ ଚିନ୍ତାଜନକ ବିଷୟ ।

ତୁରନ୍ତ ଶ୍ରୀ ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଇ ତାଙ୍କ ସ୍ଥାନରେ ଆଉ କେଉଁ ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ଏହି ଦାୟୀତ୍ୱ ଦିଆଯାଉ, ନହେଲେ ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିଜମାକୁ ମଧ୍ୟ ସେ ମହାଶୟ ବିକ୍ରି କରି ଚଳୁ କରିଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ପୁରୀରେ ଏକ ଆଦର୍ଶ ଗୁରୁକୁଳ ସ୍ଥାପନା ପାଇଁ ସୁପ୍ରିମକୋର୍ଟ ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ସେବାୟତଙ୍କ ପିଲାମାନେ ଜଗନ୍ନାଥ ସଂସ୍କୃତି ଓ ଭାରତୀୟ ପୁଜା ପରମ୍ପରା, ବୈଦିକ ରୀତିନିତି ଉପରେ ଅଧ୍ୟୟନ କରିବେ । ୪ ବର୍ଷ ବିତିଗଲାଣି, ପୁରୀରେ କୌଣସି ଗୁରୁକୁଳ ସ୍ଥାପନା ହୋଇପାରିଲା ନାହିଁ । ଏବେ ରାଜ୍ୟ ସରକାର ଯେଉଁ ଜିଡି ବିର୍ଲା ମେଡିକାଲ ଏଜୁକେସନ ଫାଉଣ୍ଡେସନ ସଂସ୍ଥା ସହିତ ବୁଝାମଣା କରିଛନ୍ତି ସେହି ସଂସ୍ଥାର ଗୁରୁକୁଳ ଚଲାଇବାର କୌଣସି ଅଭିଜ୍ଞତା ନାହିଁ ।

ରାଜ୍ୟରେ ତଥା ଦେଶରେ ଅନେକ ଗୁରୁକୁଳ ଘରୋଇ ଉଦ୍ୟମରେ ବୈଦିକ ପରମ୍ପରାରେ ଚାଲୁଛି । କାହିଁକି ରାଜ୍ୟ ସରକାର ଗୁରୁକୁଳ ଚଲାଉଥିବା ଅନୁଷ୍ଠାନ ମାନଙ୍କୁ ଅଣଦେଖା କରି ଏକ ବ୍ୟବସାୟୀକ କୋଚିଙ୍ଗ ସେଂଟର ଚଲାଉଥିବା ସଂସ୍ଥା ସହିତ ବୁଝାମଣା କରିଲେ ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏହା ମଧ୍ୟ ଆଉ ଏକ ଦୁର୍ନୀତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦ୍ୟସ ତଥା ପୁରୀର ପୂର୍ବତନ ଜିଲ୍ଲା ସଭାପତି ପ୍ରଭଂଜନ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.