Latest Odisha News

BREAKING NEWS

ଖୋର୍ଦ୍ଧାରୁ ପ୍ରଶାନ୍ତ ସାଲେପୁରରୁ ଅରିନ୍ଦମ

ଭୁବନେଶ୍ବର: ରାଜ୍ୟର ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ଓ ସାଲେପୁରରୁ ଅରିନ୍ଦମ ରାୟ ପ୍ରାର୍ଥୀ ହୋଇଛନ୍ତି । ସେହିପରି ହିନ୍ଦୋଳରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟିକା ସୀମାରାଣୀ ନାଏକ । ନିକଟରେ ଟିକେଟ୍ ନମିଳିବାରୁ ସେ ବିଜେଡି  ଛାଡି ବିଜେପିରେ ମିଶିଥିଲେ । ହିନ୍ଦୋଳରୁ ଦୁଇ ଦୁଇ ଥର ବିଧାୟିକା ରହିଥିବା ସୀମାରାଣୀଙ୍କ ଟିକେଟ୍ କାଟି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏହାପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ସୀମା ।

 

ସେହିପରି ବିଜେଡିରୁ ବିଜେପିକୁ ଆସିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି ବିଜେପି । ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତରାୟଙ୍କ ବିରୋଧ ପରେ ବି ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ପାଇଁ ଭରସା କରିଛି ବିଜେପି । ପୂର୍ବରୁ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା ମଧ୍ୟ କରିଥିଲେ । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଓଲିଉଡ ଷ୍ଟାର ଅରିନ୍ଦମ ରାୟଙ୍କୁ ସାଲେପୁରରୁ ଟିକେଟ ଦେଇଛି ଦଳ । ୨୦୦୯ରୁ ବିଜେଡିରେ ସକ୍ରିୟ ରହିଥିବା ଅରିନ୍ଦମ ସ୍ବୀକୃତି ନମିଳିବାରୁ କ୍ଷୋଭ ପ୍ରକାଶ କରିବା ସହ ବିଜେଡି ଛାଡିଥିଲେ।

 

କେନ୍ଦ୍ରାପଡାରୁ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀଙ୍କୁ ଟିକେଟ୍ ଦେଇଛି ବିଜେପି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଗୀତାଞ୍ଜଳି । କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ଗୀତାଞ୍ଜଳି । ତେବେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଗଣେଶ୍ବର ବେହେରାଙ୍କୁ ବିଜେଡି ଟିକେଟ୍ ଦେବା ପରେ ସେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଥିଲେ । ସେହିପରି ବିଜେଡିରୁ ଆସିଥିବା ବାଣୀକଲ୍ୟାଣ ମହାନ୍ତିଙ୍କୁ ବାସୁଦେବପୁରରୁ ଟିକେଟ ଦେଇଛି ବିଜେପି । ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ଶର୍ମା ଓ ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ପ୍ରାର୍ଥୀ ହୋଇଛନ୍ତି ।

Leave A Reply

Your email address will not be published.