Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁ, ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୁଲିସକୁ ଘେରିବ ବିଜେପି

ଭୁବନେଶ୍ୱର: ପୁରୀର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା ଏବଂ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ। ପୋଲିସ ଉଭୟ ମାମଲାର ତଦନ୍ତ କରୁଛି ହେଲେ ବିଭିନ୍ନ ପ୍ରସଙ୍ଗରେ ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠିଛି। ଆଉ ମାମଲାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ରହିଛି।

ଏହି ଦୁଇଟି ଘଟଣାରେ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛି ବିଜେପି। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆସନ୍ତା କାଲିଠାରୁ ପୋଲିସ କମିଶନରଙ୍କ ଅଫିସ ଆଗରେ ବିଜେପି ଅହୋରାତ୍ର ଆନ୍ଦୋଳନ କରିବ ବୋଲି କହିଛି। ସତ ସାମ୍ନାକୁ ନ ଆସିଲା ଯାଏ ବିଜେପି ପ୍ରତିବାଦ ଜାରି ରଖିବ ବୋଲି କହିଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୋଲିସ ଏହି ଦୁଇଟି ମାମଲାରେ ଯେପରି ତଦନ୍ତ କରିବା କଥା କରୁନାହିଁ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ଯେଉଁ ସାମ୍ବାଦିକଙ୍କ ଫୋନ୍ କରିଥିଲେ ସେହି କଲ ରେକର୍ଡରେ ଅନେକ କିଛି ରହିଛି। ଯେଉଁଥିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ରହିଛି। ହେଲେ ପୋଲିସ୍ କି ରାଜ୍ୟ ସରକାର ଏହି ମାମଲାରେ ମନ୍ତ୍ରୀଙ୍କୁ ଏଯାବତ ତଦନ୍ତ ପରିସରଭୁକ୍ତ କରି ନାହାନ୍ତି। ଧର୍ମେନ୍ଦ୍ର ସାହୁଙ୍କ ଠାରୁ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ମୋଟା ଅଙ୍କ ଅର୍ଥ ଆଦାୟ କରୁଥିଲେ ବୋଲି ବିଜେପି ଦାବି କରିଛି। ହେଲେ ପୋଲିସ ଏହି କଥାକୁ ଲୋକଲୋଚନକୁ ଆଣୁନଥିବା ବିଜେପି ନେତା କହିଛନ୍ତି। ଯଦି ପୋଲିସ ଏଭଳି ନୀରବ ଦ୍ରଷ୍ଟା ସାଜିବ ତାହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ବିଜେପି ସମସ୍ତ ପ୍ରକାର ପ୍ରୟାସ କରିବ ବୋଲି କହିଛି ବିଜେପି।

ସେହିପରି ଅର୍ଚ୍ଚନା ନାଗ ପ୍ରସଙ୍ଗରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି, ଅର୍ଚ୍ଚନାଙ୍କ ନାଗଫାଶରେ ଡର୍ଜେନରୁ ଅଧିକ ମନ୍ତ୍ରୀ ରହିଛନ୍ତି। ସଚିବାଳୟ ଠାରୁ ଆରମ୍ଭ କରି ବିଧାନସଭାରେ ସେମାନେ ଅବାଧ ପ୍ରବେଶ କରୁଥିଲେ। ବାରବାଟିରେ ମ୍ୟାଚ ପାଇଁ ଏକାଧିକ ପାସ ନେଉଥିଲେ। ସେ ଏବେ ଗିରଫ ହୋଇଥିଲେ ବି ବେଆଇନ୍ କାମରେ ଫସିଥିବା ମନ୍ତ୍ରୀଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରୁନି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି।

ସେପଟେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେ ବେଆଇନ କାମକୁ ପ୍ରଶୟ ଦିଅନ୍ତି ନାହିଁ। ସବୁବେଳେ ଜିରୋ ଟୋଲରାନ୍ସ ନୀତି ଆପଣାଇଥାନ୍ତି। ତଦନ୍ତ ଚାଲିଛି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ତେଣୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି।

Leave A Reply

Your email address will not be published.