Latest Odisha News

କ୍ରିକେଟ, ବିଶ୍ୱକପ ଆଉ ଭାରତ-ପାକ ମ୍ୟାଚ : ରୋମାଂଚର ଟ୍ରିପଲ ଡୋଜ

୨୩ ଅକ୍ଟୋବର ପାଇଁ ଏବେଠାରୁ ଛାତ ଧଡ ଧଡ । ଟି୨୦ ବିଶ୍ୱକପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଆମ୍ନା ସାମ୍ନା ହେବେ । ଦୀପାବଳିର ଖୁସି ବି ପରୋକ୍ଷରେ ଏହା ସହିତ ଜଡିତ ହୋଇଯାଇଛି । ବର୍ଷା ଯଦି ବାଧକ ନ ସାଜେ ତାହାହେଲେ କ୍ରିକେଟପ୍ରେମୀ ନିଶ୍ଚିତ ଭାବେ ଏକ ରୋମାଂଚକ ମୁକାବିଲା ଦେଖିବେ । ଆସନ୍ତୁ ମନେ ପକାଇବା ପକାଇବା ଭାରତ-ପାକ ମ୍ୟାଚର କିଛି ରୋମାଂଚକ ମୂହର୍ତ ।

ପାକିସ୍ତାନଠାରୁ ବିଶ୍ୱକପରେ ଭାରତର ପ୍ରଥମ ପରାଜୟ: ୧୯୯୨ ପରଠାରୁ ଭାରତ ଏବଂ ପାକିସ୍ତାନ ୧୨ଟି ମ୍ୟାଚ ଖେଳା ଯାଇଥିଲା । ଆଉ ସବୁଥିରେ ବାଜି ମାରିଥିଲା ଭାରତ । ତେବେ ୨୦୨୧ ଟି୨୦ ବିଶ୍ୱକପରେ ଏହି ବିଜୟ ଧାରାରେ ବ୍ରେକ ଲାଗିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ କରିଥିଲା । ବିରାଟ କୋହଲି ୫୭ ରନର ଇନିଂସ ଖେଳିଥିଲେ । ଆଉ ପାକିସ୍ତାନର ଶାହୀନ ଆଫ୍ରିଦୀ ଭାରତୀୟଙ୍କ ପାଇଁ କାଳ ସାଜିଥିଲେ । ସେ ରୋହିତ,ରାହୁଲ ଓ କୋହଲିଙ୍କୁ ଆଉଟ କରିଥିଲେ । ୧୫୨ ରନର ବିଜୟ ଲକ୍ଷ୍ୟକୁ ୧୦ ୱିକେଟରେ ଜିତି ନେଇଥିଲେ । ବାବର ଆଜମ ୬୮, ମହମ୍ମଦ ରିଜୱାନ ୭୯ରନ କରି ନଟଆଉଟ ରହିଥିଲେ ।
ଆଫ୍ରିଦୀଙ୍କ ବିଶାଳ ଛକା ଆଉ ଭାରତର ପରାଜୟ: ୨୦୧୪ ଏସିଆ କପ କ୍ରିକେଟରେ ପାକିସ୍ତାନକୁ ଶେଷ ଓଭରରେ ୧୦ ରନ ଆବଶ୍ୟକ ଥିଲା । ରବିଚନ୍ଦ୍ରନ ଅଶ୍ୱୀନଙ୍କ ଏହି ଓଭରରେ ଆଫ୍ରିଦୀ ଛକା ଏବଂ ଚୌକା ମାରି ମ୍ୟାଚକୁ ଜିତାଇ ଦେଇଥିଲେ ।
ମିଆଁଦାଦଙ୍କ ଅଭୁଲା ଛକା: ୧୯୮୬ରେ ଭାରତ ବିପକ୍ଷରେ ଜାଭେଦ ମିଆଁଦାଦ ମାରିଥିବା ଛକା ଏବେ ବି ମନରୁ ଲିଭି ନାହିଁ । ଶେଷ ବଲରେ ୫ରନ ଆବଶ୍ୟକ ହେଉଥିବା ବେଳେ ଚେତନ ଶର୍ମାଙ୍କ ଲୋ ଫୁଲ ଟସ ବଲକୁ ମିଆଁଦାଦ ଛକା ମାରିଥିଲେ ।

ସବା କରୀମ, ଚୌହ୍ୱାନଙ୍କ ଚମତ୍କାର ପ୍ରଦର୍ଶନ : ୧୯୯୭ରେ ପାକିସ୍ତାନ ଗସ୍ତରେ ଯାଇଥିଲା ଭାରତ । ପ୍ରଥମ ଦିନିକିଆ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ଭାରତ ସମ୍ମୁଖରେ ୪୭.୨ ଓଭରରେ ୨୬୬ ରନର ଟାର୍ଗେଟ ଦିଆ ଯାଇଥିଲା । ଦର୍ଶକଙ୍କ ବିଶୃଙ୍ଖଳା ଯୋଗୁ ମ୍ୟାଚ ଓଭର କମା ଯାଇଥିଲା । ଏହି ମ୍ୟାଚରେ ସୌରଭ ଗାଙ୍ଗୁଲି ୮୯, ବିନୋଦ କାମ୍ବଲୀ ୫୩ ରନର ଇନିଂସ ଖେଳିଥିଲେ । ତେବେ ଶେଷ ଓଭରରେ ୮ରନ ଆବଶ୍ୟକ ହେଉଥିବା ବେଳେ ରାଜେଶ ଚୌହ୍ୱାନ ହୀରୋ ସାଜିଥିଲେ । ସାକଲେନଙ୍କ ଓଭରରେ ସେ ଛକା ଓ ଚୌକା ମାରିଥିଲେ ।
କାନିତକରଙ୍କ କରିଶ୍ମା: ୧୯୯୮ରେ ଢ଼ାକାରେ ଅନୁଷ୍ଠିତ ଇଣ୍ଡିପେଣ୍ଡେନ୍ସ କପରେ ଭାରତ-ପାକ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ପାକିସ୍ତାନ ୪୮ ଓଭରରେ ୩୧୪ ରନ କରିଥିଲା । ସୌରଭ ଗାଙ୍ଗୁଲିଙ୍କ ଶତକ ଏବଂ ରବିନ ସିଂଙ୍କ ୮୨ ରନ ସତ୍ୱେ ଭାରତ ଶେଷ ଓଭରରେ ବିପଦରେ ପଡିଥିଲା । ରିଷିକେଶ କାନିତକର ଶେଷ ୨ ବଲରେ ୪ ରନ ଆବଶ୍ୟକ ହେଉଥିବା ବେଳେ ଚୌକା ମାରି ଭାରତକୁ ଜିତାଇଥିଲେ ।
ବଲ ଆଉଟରେ ଜିତିଲା ଭାରତ: ୨୦୦୭ ଟି୨୦ ବିଶ୍ୱକପରେ ଲିଗ ମୁକାବିଲାରେ ଭାରତ ବଲଆଉଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୪୧ ରନ କରିଥିଲା । ଜବାବରେ ପାକିସ୍ତାନ ସମାନ ରନ କରିଥିଲା । ଫଳରେ ଫଳାଫଳ ପାଇଁ ବଲଆଉଟର ସହାୟତା ନିଆ ଯାଇଥିଲା । ଏଥିରେ ବାଜି ମାରିଥିଲା ଭାରତ ।
ପାକିସ୍ତାନକୁ ହରାଇ ଭାରତ ହେଲା ବିଶ୍ୱ ଚାମ୍ପିୟନ: ୨୦୦୭ ଟି୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ପାକିସ୍ତାନକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୫୭ ରନ କରିଥିଲା । ଗୌତମ ଗମ୍ଭୀର ୫୪ ବଲରେ ୭୫ ଓ ରୋହିତ ଶର୍ମା ୩୦ ରନ କରିଥିଲେ । ମିସବା ଉଲ ହକଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ଯୋଗିନ୍ଦର ଶର୍ମାଙ୍କ ବଲରେ ମିସବା ଆଉଟ ହେବା ପରେ ଭାରତ ବିଜୟୀ ହୋଇଥିଲା । ଆଉ ଯୋଗୀନ୍ଦର ଷ୍ଟାର ବନି ଯାଇଥିଲେ ।
କୋହଲିଙ୍କ ୫୫ ରନ ଶତକରୁ କମ ନ ଥିଲା: ୨୦୧୬ ଟି୨୦ ବିଶ୍ୱକପରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୮ ରନ କରିଥିଲା । ଭାରତ ସହଜରେ ମ୍ୟାଚ ଜିତିବ ବୋଲି ଆଶା କରାଯାଉଥିଲା । ମାତ୍ର ମହମ୍ମଦ ଅମୀର ଓ ମହମ୍ମଦ ସାମୀ ଚମତ୍କାର ବୋଲିଂ ଭାରତକୁ ଅସୁବିଧାରେ ପକାଇଥିଲା । ବିରାଟ କୋହଲି ୫୫ ରନ କରି ଭାରତକୁ ବିଜୟୀ କରାଇଥିଲେ । ତାଙ୍କର ଏହି ଇନିଂସ ଶତକଠାରୁ କମ ନ ଥିଲା ବୋଲି ସମସ୍ତେ କହିଥିଲେ ।
କୋହଲିଙ୍କ ସ୍ମରଣୀୟ ୧୮୩ ରନ: ୨୦୧୨ ଏସିଆକପରେ ଭାରତ ବିପକ୍ଷରେ ପାକିସ୍ତାନ ୩୨୯ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ସଚିନ ତେନ୍ଦୁଲକର ୮୧, ବିରାଟ କୋହଲି ୧୮୩ ଓ ରୋହିତ ଶର୍ମା ୬୮ ରନ ସହାୟତାରେ ଭାରତ ଟାର୍ଗେଟ ହାସଲ କରି ନେଇଥିଲା ।ସୋଏବ-ସଚିନ ମୁକାବିଲା: ୨୦୦୩ ବିଶ୍ୱକପରେ ପାକିସ୍ତାନ ପେସର ସୋଏବ ଅଖତାର ଓ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମୁକାବିଲା ଏବେ ବି ମନକୁ ରୋମାଂଚିତ କରୁଛି । ସଏଦ ଅନୱରଙ୍କ ଶତକ ବଲରେ ପାକିସ୍ତାନ ୫୦ ଓଭରରେ ୨୭୩ ରନ କରିଥିଲା । ଅଖତରଙ୍କ ଗୋଟିଏ ଓଭରରେ ୧୮ ରନ କରି ସଚିନ ପାକିସ୍ତାନର ମନୋବଳ ଭାଙ୍ଗି ଦେଇଥିଲେ । ସଚିନ ୯୮ ରନର ଇନିଂସ ଖେଳିଥିଲେ । ଏହା ପରେ ରାହୁଲ ଦ୍ରାବିଡ ଓ ଯୁବରାଜ ସିଂ ଭାରତକୁ ବିଜୟୀ କରାଇଥିଲେ ।

Leave A Reply

Your email address will not be published.