Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ ରେଜଲ୍ଟ: ବିଜେପିକୁ ୮ ଓ କଂଗ୍ରେସ ଖାତାରେ ୪ ଆସନ

ନୂଆଦିଲ୍ଲୀ: ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେପି ୮ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଖାତାରେ ପଡିଛି ଚାରିଟି ସିଟ୍ । କିଛି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଅନ୍ୟସ୍ଥାନରେ ସ୍ଥାନୀୟ ରାଜନୈତିକ ଦଳର ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପି ଗୁଜରାଟରେ ତିନିଟି ଓ ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନରେ ବାଜିମାତ କରିଛି । ସେହିପରି କଂଗ୍ରେସ ରାଜସ୍ଥାନରେ ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ଗୁଜରାଟ ଓ ମଧ୍ୟପ୍ରଦେଶରେ ଗୋଟିଏ ଲେଖାଏ ରାଜ୍ୟସଭା ସିଟ୍ ହାତେଇ ପାରିଛି ।

ମଧ୍ୟପ୍ରଦେଶରେ ଦିଗବିଜୟଙ୍କୁ ବଡ଼ ବିଜୟ


କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ମଧ୍ୟପ୍ରଦେଶରେ ସବୁଠୁ ଅଧିକ ୫୭ ଭୋଟ ମିଳିଥିଲା। ସେହିପରି ବିଜେପିର ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କୁ ୫୬ ଓ ସୁମେର ସିଂହଙ୍କୁ ମିଳିଛି ୫୫ ଖଣ୍ଡ ଭୋଟ୍ । କ୍ରସ୍ ଭୋଟିଂ ବି ହୋଇଛି । ବିଜେପି ବିଧାୟକ ଗୋପିଲାଲ ଜାଟଓ୍ବ ବିଜେପି ପ୍ରାର୍ଥୀଙ୍କ ବଦଳରେ ଦିଗବିଜୟ ସିଂହଙ୍କୁ ଭୋଟ ଦେଇଥିଲେ ।

ଗୁଜରାଟରେ କାହାକୁ ମିଳିଲା କେତେ ?

ଗୁଜରାଟରେ ଚାରିଟି ରାଜ୍ୟସଭା ଆସନରୁ ବିଜେପିକୁ ବଡ଼ ବିଜୟ ମିଳିଛି । ବିଜେପି ପ୍ରାର୍ଥୀ ଅଭୟ ଭଦଦ୍ବାଜ, ରମିଲାବେନ୍ ବାରା ଓ ନରହରି ଅମୀନ ବିଜୟୀ ହୋଇଥିବା ବେଳେ କଂଗ୍ରେସରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଶକ୍ତି ସିଂ ଗୋହିଲ ।

ରାଜସ୍ଥାନରେ କଂଗ୍ରେସ ୩, ବିଜେପି ଗୋଟିଏ


ରାଜସ୍ଥାନରେ ତିନିଟି ରାଜ୍ୟସଭା ଆସନ ପାଇଁ ନିଆଯାଇଥିଲା ଭୋଟ୍ । ବିଜେପି ଗୋଟିଏ ଓ କଂଗ୍ରେସ ଜିତିଛି ଦୁଇଟି ଆସନ । କଂଗ୍ରେସ ପ୍ରାର୍ଥୀ କେ. ସି. ବେଣୁଗୋପାଳ ଓ ନୀରଜ ଡାଙ୍ଗୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେପିରୁ ରାଜେନ୍ଦ୍ର ଗେହଲଟ ଜିତିଛନ୍ତି ।

ଆଉ କେଉଁ ରାଜ୍ୟରେ କିଏ ଜିତିଲେ ?

ଆନ୍ଧ୍ରପ୍ରଦେଶରେ ସମସ୍ତ ଚାରିଟିଯାକ ଆସନ କବଜା କରିଛି ଓ୍ବାଇଏସଆର୍ କଂଗ୍ରେସ । ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିରୁ ଡକ୍ଟର W.R ଖରଲୁଖୀ ବିଜୟୀ ହୋଇଛନ୍ତି । ଝାଡଖଣ୍ଡରେ ଦୁଇଟି ଆସନରୁ ଗୋଟିଏ ବିଜେପି ପ୍ରାର୍ଥୀ ଦୀପକ ପ୍ରକାଶ ଓ ଅନ୍ୟ ଆସନରେ ଜେଏମଏମରୁ ଶିବୁ ସୋରେନ ରାଜ୍ୟସଭାକୁ ଯିବେ । ମିଜୋରାମରେ ଗୋଟିଏ ଆସନରୁ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ (ଏମଏନଏଫ୍) ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମଣିପୁରରେ ବିଜେପିର ବାଜିମାତ କରିଛନ୍ତି ବିଜେପିର ଲେସେମ୍ବା ସନାଜଓବା ।

Leave A Reply

Your email address will not be published.