Latest Odisha News

BREAKING NEWS

ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜନୀତିରେ ଆଜି ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି । ପୋଲିସ ସହିତ ଅସଦାଚରଣ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ରଙ୍କୁ ପୋଲିସ ଆଜି ଗିରଫ କରିଛି । ଗୋପାଳପୁର ଥାନା ପୋଲିସ ଦ୍ୱାରା ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।

ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ରାତିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ ଢାବାରେ କିଛି ଶିଶୁ ଶ୍ରମିକ ନିୟୋଜିତ ଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା। ଏହି ସୂଚନା ଆଧାରରେ ଗୋପାଳପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଢାବା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଢାବାରୁ କିଛି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।

ତେବେ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକମାନଙ୍କୁ ଥାନାକୁ ନେଇଯାଉଥିବା ସମୟରେ ବିଜେପି ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ର ଏବଂ ତାଙ୍କର କିଛି ସମର୍ଥକ ସେଠାରେ ପହଞ୍ଚିଥିଲେ। ଅଭିଯୋଗ ହୋଇଛି ଯେ, ସୋମନାଥ ପାତ୍ର ପୋଲିସ ଟିମ୍‌କୁ ଅଟକାଇବା ସହ ସେମାନଙ୍କ ସହିତ ଖରାପ ବ୍ୟବହାର କରିଥିଲେ। ଏତିକିରେ ନଅଟକି ସେ ପୋଲିସ ଅଧିକାରୀମାନଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିବା ନେଇ ଥାନାରେ ଏତଲା ରୁଜୁ ହୋଇଛି। ପୋଲିସର କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ ଏବଂ କର୍ତ୍ତବ୍ୟରତ ଅଧିକାରୀଙ୍କୁ ବାଧା ଦେବା ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଗୋପାଳପୁର ପୋଲିସ ଆଜି ସକାଳେ ଏହି ପଦକ୍ଷେପ ନେଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳୀୟ କର୍ମୀମାନେ ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଗିରଫଦାରୀ ବୋଲି ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.