ନୂଆଦିଲ୍ଲୀ: କୌଣସି ସରକାରୀ କର୍ମଚାରୀଙ୍କ ନାମରେ କେବଳ ଅପରାଧିକ ମାମଲା ବିଚାରାଧୀନ ଥିବା କାରଣ ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସେବା ପ୍ରଦାନ କରିଆସୁଥିବା ଜଣେ ସରକାରୀ କର୍ମଚାରୀଙ୍କୁ କେବଳ ଏକ ଫୌଜଦାରୀ ମାମଲା ଲମ୍ବିତ ଥିବା ଆଳରେ ବହିଷ୍କାର କରିବାକୁ କୌଣସି ଆଇନ ସରକାରୀ ନିଯୁକ୍ତିଦାତାଙ୍କୁ କ୍ଷମତା ଦେଉନାହିଁ।
ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଶୀଲ୍ ନାଗୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପଞ୍ଜାବର ଜଣେ ପୂର୍ବତନ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଙ୍କ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ଆବେଦନକାରୀ ସତପାଲ ସିଂହ ୨୦୦୨ ମସିହାରେ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ୍ (ଆଇଆରବି) ରେ କନେଷ୍ଟବଳ ଭାବେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ନାମରେ ଆଇପିସିର କିଛି ଧାରା ଅଧୀନରେ ଏକ ଅପରାଧିକ ମାମଲା ବିଚାରାଧୀନ ଥିଲା । ଏହି କାରଣରୁ ତାଙ୍କୁ ଯୋଗଦାନ କରିବାରୁ ବଞ୍ଚିତ କରାଯାଇଥିଲା। ଏହା ପରେ ୨୦୦୩ ମସିହାରେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ସେବାରୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେଇଥିଲେ । ନିମ୍ନ ଅଦାଲତ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।
ଶେଷରେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଯେ କର୍ମଚାରୀଙ୍କୁ ହଟାଇବା ନିଷ୍ପତ୍ତି ଆପେ ଆପେ କିମ୍ବା ଯାନ୍ତ୍ରିକ ଭାବେ ନିଆଯିବା ଉଚିତ ନୁହେଁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଯୁକ୍ତିଦାତା ଘଟଣାର ସମସ୍ତ ଦିଗ, ଅପରାଧର ପ୍ରକୃତି ଏବଂ କର୍ମଚାରୀଙ୍କ ସ୍ଥିତି ଉପରେ ବିଚାର କରିବା ଆବଶ୍ୟକ। କେବଳ ମାମଲା ରୁଜୁ ହୋଇଥିବା ଆଧାରରେ ଦୀର୍ଘ ଦିନ ଧରି ସେବା ଦେଇଥିବା ଜଣେ କର୍ମଚାରୀଙ୍କୁ ଚାକିରିରୁ ନିବୃତ୍ତ କରିବା ଅନ୍ୟାୟ ଏବଂ ଆଇନ ବିରୋଧୀ।
ଆବେଦନକାରୀଙ୍କୁ ଦୀର୍ଘ ଦିନ ଧରି ଚାକିରିରୁ ବଞ୍ଚିତ କରାଯାଇ ତାଙ୍କ ଜୀବିକା ଛଡ଼ାଇ ନିଆଯାଇଥିବାରୁ, ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରିଛନ୍ତି । ଅନ୍ୟାୟ ଭାବେ ଚାକିରି ହରାଇଥିବା ଏହି ପୂର୍ବତନ ପୋଲିସ ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆଗାମୀ ଦିନରେ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅନେକ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେବଳ ମାମଲା ବିଚାରାଧୀନ ଥିବା ଯୋଗୁଁ ଚାକିରି ଯିବାର ଭୟ ଏବେ ଅନେକାଂଶରେ ଦୂର ହେବ।


Comments are closed.