Latest Odisha News

BREAKING NEWS

ସଂସଦରେ ଆଉ ଏକ ବଡ଼ ପରୀକ୍ଷା: ଐତିହାସିକ ସମ୍ବିଧାନ ସଂଶୋଧନ ପାଇଁ ଏନଡିଏକୁ ଲୋଡ଼ା ଆଉ ୬ ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ‘ମିଶନ ୩୬୦’ ପାଇଁ ଅଣ୍ଟା ଭିଡ଼ିଛି। ମହିଳା ସଂରକ୍ଷଣ ଏବଂ ଲୋକସଭା ଆସନର ସୀମା ନିର୍ଦ୍ଧାରଣକୁ ଏକାଠି ଯୋଡ଼ି ପ୍ରସ୍ତୁତ କରାଯାଇଥିବା ବହୁପ୍ରତୀକ୍ଷିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ସଂସଦରେ ଗୃହୀତ କରାଇବା ହେଉଛି ଏହି ମିଶନର ମୁଖ୍ୟ ଲକ୍ଷ୍ୟ। ଗତ ଏପ୍ରିଲ ମାସରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଦୁଇ ତୃତୀୟାଂଶ ବହୁମତ ହାସଲ କରିବାରେ ବିଫଳ ହୋଇଥିଲା। ତେଣୁ ଏଥର ମୌସୁମୀ ଅଧିବେଶନରେ ବିଲ୍ ଆଣିବା ପୂର୍ବରୁ ସଂଖ୍ୟାଗରିଷ୍ଠତା ଜୁଟାଇବା ଉପରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଗୁରୁତ୍ୱାରୋପ କରୁଛି।

 

ଲୋକସଭାର ସମୁଦାୟ ସଦସ୍ୟ ସଂଖ୍ୟା ୫୪୦ ଥିବା ବେଳେ କୌଣସି ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଅତିକମରେ ୩୬୦ ଜଣ ସାଂସଦଙ୍କ ସମର୍ଥନ (ଦୁଇ ତୃତୀୟାଂଶ ବହୁମତ) ଆବଶ୍ୟକ। ରାଜନୈତିକ ସମୀକରଣ ଅନୁଯାୟୀ, ବର୍ତ୍ତମାନ ଏନଡିଏ ପାଖରେ ନିଜସ୍ୱ ୨୯୩ ସାଂସଦ ଅଛନ୍ତି। ତୃଣମୂଳ କଂଗ୍ରେସରୁ ଅଲଗା ହୋଇଥିବା ଏନସିପିଆଇ (NCPI) ର ୨୦ ସାଂସଦ, ଡିଏମକେ ର ୨୨ ସାଂସଦ, ୱାଇଏସଆରସିପି (YSRCP) ର ୪ ଏବଂ ଜଣେ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଳିଲେ ଏହି ସଂଖ୍ୟା ୩୪୦ରେ ପହଞ୍ଚିପାରେ।

 

ଏହା ବ୍ୟତୀତ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ରୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଯାଇଥିବା ୬ ଜଣ ସାଂସଦଙ୍କୁ ମିଶାଇଲେ ଏନଡିଏର ସଂଖ୍ୟାବଳ ୩୪୬ ଛୁଇଁବ। ଯଦି ଶରଦ ପାୱାରଙ୍କ ଦଳ (୮ ସାଂସଦ) ମଧ୍ୟ ଏହି ବିଲ୍‌କୁ ସମର୍ଥନ କରେ, ତେବେ ମେଣ୍ଟର ସଂଖ୍ୟା ୩୫୪ ହେବ। ତଥାପି ମ୍ୟାଜିକ୍ ନମ୍ବର ୩୬୦ ଛୁଇଁବାକୁ ଏନଡିଏକୁ ଆହୁରି ୬ ଜଣ ସାଂସଦଙ୍କ ଅଭାବ ପଡ଼ୁଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ସମାଜବାଦୀ ପାର୍ଟି ଏବଂ ଶିବସେନା (ୟୁବିଟି) ମଧ୍ୟ କିଛି ସର୍ତ୍ତ ରଖି ପ୍ରସଙ୍ଗ-ଭିତ୍ତିକ ସମର୍ଥନ ଦେବା ନେଇ ଇସାରା ଦେଇଛନ୍ତି, ଯାହାକି ବିଜେପି ପାଇଁ ଆଶ୍ୱାସନାର ବିଷୟ ହୋଇଛି।

 

ମୌସୁମୀ ଅଧିବେଶନରେ ବିରୋଧୀଙ୍କୁ ମୁକାବିଲା କରିବା ଏବଂ ବିଲ୍ ପାରିତ କରାଇବା ପାଇଁ ବିଜେପି ଶୀର୍ଷ ନେତୃତ୍ୱ କ୍ରମାଗତ ବୈଠକ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷ ଯୋଗ ଦେଇ ସଂସଦୀୟ ରଣନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

 

ସରକାର ଆକଳନ କରୁଛନ୍ତି ଯେ ବର୍ତ୍ତମାନର ରାଜନୈତିକ ପରିବେଶ ଏନଡିଏ ସପକ୍ଷରେ ରହିଛି ଏବଂ ଆଞ୍ଚଳିକ ଦଳଗୁଡ଼ିକର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବିଶେଷକରି, ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଠାରୁ ଦୂରେଇ ରହି ସଂସଦରେ ଅଲଗା ବସିବାକୁ ନିଷ୍ପତ୍ତି ନେଇଥିବା ଡିଏମକେ, ସରକାରଙ୍କୁ କିଛି ପ୍ରସଙ୍ଗରେ ସମର୍ଥନ ଦେଇପାରେ ବୋଲି ବିଜେପି ଆଶାବାଦୀ ଅଛି।

 

ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୯ ରେ ସରକାର ସର୍ବଦଳୀୟ ବୈଠକ ଡାକିଥିବା ବେଳେ ଜୁଲାଇ ୨୧ ତାରିଖରେ ଏନଡିଏର ସଂସଦୀୟ ଦଳ ବୈଠକ (ଯାହାକି ଏବେ ‘ମଙ୍ଗଳ ମିଳନ’ ଭାବେ ନାମିତ) ଅନୁଷ୍ଠିତ ହେବ। ଏହି ‘ମଙ୍ଗଳ ମିଳନ’ରେ ପ୍ରଧାନମନ୍ତ୍ରୀ ମୋଦୀ ମେଣ୍ଟର ସାଂସଦମାନଙ୍କୁ ସମ୍ବୋଧିତ କରିବା ସହ ‘ମିଶନ ୩୬୦’ ର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.