Latest Odisha News

BREAKING NEWS

ଆସୁଛି ଆଉ ଏକ ବଡ଼ ଲଘୁଚାପ: ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ୨୪ ତାରିଖ ବେଳକୁ ଆସୁଛି ଆଉ ଏକ ବଡ଼ ଲଘୁଚାପ। ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୬ ଜିଲ୍ଲା ପାଇଁ ଆଲର୍ଟ ଜାରି ହୋଇଛି। ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବଲାଙ୍ଗିରରେ ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ । କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା କମିବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।

ଅନ୍ୟପଟେ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଦୁର୍ବଳ ହୋଇ ଲଘୁଚାପକୁ ଖସିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ। ବର୍ଷାର ବିସ୍ତୃତି ବି କମିବ। କେବଳ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ଗତ ୪୮ ଘଣ୍ଟା ଧରି ଚାଲିଥିବା ତୁହାକୁ ତୁହା ବର୍ଷା ପ୍ରଭାବରେ ସାପୁଆ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ ଆଠଗଡ଼ର ବହୁ ଗାଁରେ ପାଣି ପଶିଯାଇଛି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୭.୬୪ ମିଟର ରହିଛି।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୂଆପଡ଼ାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ‘ୟେଲୋ ଆଲର୍ଟ’ ଜାରି ହୋଇଛି। ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ସ୍ଥାନୀୟ ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଆଜି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ବାରଣ କରାଯାଇଛି । ଏହା ସହିତ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.