Latest Odisha News

BREAKING NEWS

ନୂଆ ନିୟମ ଜାରି କଲା ବିଏମସି, ନମାନିଲେ ଦେବେ ଜୋରିମାନା

ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ନିମନ୍ତେ ଭୁବନେଶ୍ବର ମହାନଗର ନିଗମ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି। ଘର ବାହାରେ ୫ ମିଟର ପର୍ଯ୍ୟନ୍ତ ସଫା ନରଖିଲେ ଜୋରିମାନା ଦେବାକୁ ହେବ ବୋଲି ପୂର୍ବରୁ କହିଥିଲା ବିଏମସି। ଏବେ ଏହି ଧାରାରେ ଏଣିକି ଘର ବାହାରେ ଦୁଇଟି ଡଷ୍ଟବିନ୍ ବା ଆବର୍ଜନା କୁଣ୍ଡ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିୟମ ଗତକାଲି ବିଏମସି ଜାରି କରିଥିବା ବେଳେ ଆଜିଠୁ ଏହା ଲାଗୁ ହୋଇଛି। ବିଏମସି କମିସନର ବିଜୟ କୁଲାଙ୍ଗେ ଏହି ନିୟମ ଜାରି କରି ଲୋକଙ୍କ ସହଯୋଗ କାମନା କରିଛନ୍ତି। ଘର ବାହାରେ ସଫା ନରଖିଲେ ୫ ହଜାର ଟଙ୍କା ଜରିମାନା ସେହିପରି ଅଳିଆ ସଂଗ୍ରହ କରୁଥିବା ଗାଡ଼ିରେ ଓଦା ଶୁଖିଲା ଆବର୍ଜନା ଅଲଗା ଅଲଗା ନ ଦେଲେ ୫ଶହ ଟଙ୍କା ଜରିମାନା ଦେବାକୁ ହେବ କହିଛି ବିଏମସି।

ଘର ବାହାରେ ଦୁଇଟି ଆବର୍ଜନା କୁଣ୍ଡ ବା ବାକ୍ସ ରହିବ। ଗୋଟିକରେ ଓଦା ଅଳିଆ ଓ ଅନ୍ୟଟିରେ ଶୁଖିଲା ଅଳିଆ ରହିବ। ବିଏମସିର ସଫେଇ କର୍ମଚାରୀଙ୍କ ଆବର୍ଜନା ବାକ୍ସରେ ମଧ୍ୟ ଠିକ୍ ଭାବେ ଅଳିଆ ରଖିବାକୁ କୁହାଯାଇଛି। ନଚେତ ସଫେଇ କର୍ମଚାରୀଙ୍କ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି। ଭୁବନେଶ୍ବରରେ ରହୁଥିବା ଲୋକଙ୍କ ସହିତ ବ୍ୟବସାୟୀଙ୍କ ସଂସ୍ଥା ପାଇଁ ମଧ୍ୟ ସମାନ ନିୟମ ଜାରି ହୋଇଛି। ଓଦା ଶୁଖିଲା ଅଳିଆ ମିଶି ସଂଗ୍ରହ କଲେ ସଫେଇ କର୍ମଚାରୀଙ୍କୁ ଅସୁବିଧା ହେଉଛି ତେଣୁ ଏପରି ଏକ ପଦକ୍ଷେପ ନିଆଯାଇଛି ବୋଲି ବିଏମସି କମିସନର କହିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ନମ୍ବର ହାଟ ପରିଦର୍ଶନ କରିଥିଲା ବିଏମସିର ଏକ ଟିମ୍। ହାଟରେ ବସୁଥିବା ବ୍ୟବସାୟୀ ମାନେ ଅଳିଆ ଗୁଡିକୁ ଏଣେ ତେଣେ ଫୋଫାଡି ଥିଲେ। ଯାହାକୁ ଦେଖି କମିସନର ଅସନ୍ତୋଷ ପ୍ରକାଶ କରିଥିଲେ। କମିସନର କୁଲାଙ୍ଗେ ସ୍ଥିତି ଅନୁଧ୍ୟାନ କରିବା ପରେ ଏପରି ନୂଆ ନିୟମ ଜାରି କରିଛନ୍ତି।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ରାଜଧାନୀରେ ଅନେକ ବଡ ବଡ ଆପାର୍ଟମେଣ୍ଟ ରହିଛି ହେଲେ ସେଠାରେ ଆବର୍ଜନା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ତେଣୁ ରାତି ହେଲେ ରାସ୍ତାରେ ଆସି ଅଳିଆ ଗଦା କରି ଦେଉଛନ୍ତି ଲୋକେ। ଏପରି ହେବା ଦ୍ବାରା ସମସ୍ୟା ଉପୁଜୁଛି। ସମାନ ସ୍ଥିତି ବଡ ବଡ ହୋଟେଲ ମାନଙ୍କରେ ମଧ୍ୟ ରହିଛି। ତେଣୁ ବିଏମସି ଏହିପରି ନିୟମ ଜାରି କରିଥିବା ସୂଚନା ରହିଛି। ସଫେଇ କର୍ମଚାରୀମାନେ କୌଣସି ଘର କିମ୍ବା ବ୍ଯବସାୟୀକ ପ୍ରତିଷ୍ଠାନମାନ ବିରୋଧରେ ଅଳିଆ ନିୟମ ଉଳ୍ଲଂଘନ କରୁଥିବା ନେଇ ଅଭିଯୋଗ କଲେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି୍ ବିଏମସି କହିଛି।

Leave A Reply

Your email address will not be published.