ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲିଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିଏମ୍ସି ତାଙ୍କ ଅଫିସକୁ ୧୫ ଦିନ ପାଇଁ ସିଲ୍ କରିଥିଲା । ହେଲେ ଆଜି ହଠାତ ତାଙ୍କ ଅଫିସକୁ ବିଏମ୍ସି ଖୋଲିଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ।
ସେ କହିଛନ୍ତି, କ୍ଷମତା ନଥାଇ କର୍ତ୍ତୃତ୍ୱ ଜାହିର୍ କରିଛି ବିଏମସି। ତାଙ୍କ ପଳାଶପଲ୍ଲୀ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍ ବୋଲି କହିଛନ୍ତି ଅପରାଜିତା । ଏ ନେଇ ବିଏମସି କମିଶନରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ତାଙ୍କୁ କହିବାର ସୁଯୋଗ ନଦିଆଯାଇ କାର୍ଯ୍ୟାଳୟ ସିଲ୍ କରାଯାଇଛି ବୋଲି ଅପରାଜିତା କହିଛନ୍ତି। ତାଙ୍କ ଜନ୍ମଦିନ ଘଟଣା ଦିନ ଉପସ୍ଥିତ ତାଙ୍କର କୌଣସି ସମର୍ଥକ କିମ୍ବା ସେ ନିଜେ କୋଭିଡରେ ଆକ୍ରାନ୍ତ ହୋଇ ନାହାନ୍ତି ବୋଲି କହିଛନ୍ତି। ଏଭଳି ସ୍ଥିତିରେ ପୂରା ଅଫିସକୁ ସିଲ୍ କରିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି। ଆଗାମୀ ଦିନରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଅପରାଜିତା କହିଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୧୦ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଥିଲା। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଥିଲା।