Latest Odisha News

BREAKING NEWS

କେରଳରେ ଜଳ ପ୍ରଳୟ, ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ

କେରଳ : କେରଳରେ ଭୟଙ୍କର ବନ୍ୟା । ଜଳ ପ୍ରଳୟରେ ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ନିଖୋଜ ଥିବା ୧୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସମଗ୍ର ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଲଗାତାର ବର୍ଷା ଲାଗି ରହିଥିବାରୁ, ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଥୋଡୁପୁଝା, କୋକାୟାର, କୁଟ୍ଟିକାୟି ଆଦି ଅଞ୍ଚଳରେ ବ୍ୟାପକ ଭୂସ୍ଖଳନ ହେବାରୁ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି । ମୀନାଚାଲ, ମଣିମାଳା ଆଦି ନଦୀର ଜଳପତ୍ତନ ବୃଦ୍ଧି ପାଇବାରୁ ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଆରବ ସାଗରରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ହଜାର ହଜାର ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରଯାଇଛି ।

ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ସମସ୍ତ ବାହିନୀକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛନ୍ତି । ସେହିପରି ଅଧିକାଂଶ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ସେପଟେ ପଥାମଥିଟ୍ଟା, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଇଡୁକି, ତ୍ରିଶୂର ଜିଲ୍ଲା ଲାଗି ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଥିରୁବନନ୍ତପୁରମ, କୋଲମ, ଅଲାପୁଝା, ପଲକଡ, ମାଲପୁରମ, କୋଝିକୋଡ ଓ ଓ୍ବାୟାନାଡରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେନା, ନୌସେନା ଓ ବାୟୁସେନାକୁ ନିବେଦନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଏନଡିଆରଏଫର ୧୧ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Leave A Reply

Your email address will not be published.