Latest Odisha News

ପୁସ୍ତକ ପରିଚୟ : ଓଡ଼ିଶା କା ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା 

BjdElectrycity

ଓଡ଼ିଶା କା ଇତିହାସ
ନିର୍ମଳାବାଳା ମିଶ୍ର ଓ ରବି ଶତପଥି
ପ୍ରଥମ ପ୍ରକାଶ – ୨୦୨୨,
ବିଜୟିନୀ ପବ୍ଲିକେଶନ, ଶଙ୍କରପୁର, କଟକ
ପୃଷ୍ଠା ‐ ୩୨୮, ମୂଲ୍ୟ ‐ ଟ୪୦୦/-

ଇତିହାସ କହିଲେ ଆମେ ସାଧାରଣ ଅର୍ଥରେ ଯାହା ବୁଝୁ ତା’ ହେଲା “ଅତୀତରେ ଘଟି ଯାଇଥିବା ଘଟଣା ସମୁହର କାଳାନୁକ୍ରମିକ ସଜ୍ଜୀକରଣ ତଥା ଉକ୍ତ ଘଟଣାଗୁଡିକର ସାଂସ୍କୃତିକ, ରାଜନୈତିକ, ଐତିହାସିକ, ସାମାଜିକ ଓ ତୁଳନାତ୍ମକ ବିଶ୍ଳେଷଣ’ । ଏହା କେବଳ ଏକ ଜାତିର ଅସ୍ମିତାର ପରିଚୟ ନୁହେଁ ବରଂ ପରବର୍ତ୍ତୀ ପିଢ଼ୀ ପାଇଁ ଏକ ମାର୍ଗଦର୍ଶିକା ଅଟେ । ଯେପରି ଜଣେ ମନୁଷ୍ୟ ତା’ ବଂଶର ପରମ୍ପରା ଓ ଇତିହାସକୁ ନେଇ ଗର୍ବ ଅନୁଭବ କରେ ସେହିପରି ନିଜ ଜାତି, ରାଜ୍ୟ ବା ଦେଶର ଇତିହାସ ଜାଣି ସେତିକି ରୋମାଞ୍ଚିତ ହୁଏ । ଭାରତର ଅନ୍ୟାନ୍ୟ ପ୍ରଦେଶ ଭଳି ଓଡ଼ିଶାର ଇତିହାସ ମଧ୍ୟ ଖୁବ୍ ପ୍ରାଚୀନ ଓ ବିଭବମଣ୍ଡିତ । ଇଂରେଜମାନଙ୍କ ଆଗମନ ପରେ ପାଶ୍ଚାତ୍ୟ ଶିକ୍ଷା ସହିତ ଓଡ଼ିଆ ଜାତିର ପରିଚୟ ଘଟେ । ଅବଶ୍ୟ ଭାରତର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ବହୁ ବିଳମ୍ବରେ । ବିଳମ୍ବରେ ହେଉ ପଛେ କିଛି ଶିକ୍ଷିତ ଐତିହ୍ୟ ସଚତନ ନବଯୁବକ ଉତ୍କଳ ବା ଓଡିଶାର ଇତିହାସ ପ୍ରତି ଆଗ୍ରହୀ ହୁଅନ୍ତି । ଆରମ୍ଭ ହୁଏ ଇତିହାସ ସଂକଳନ । ସେ କାଳରେ ଉପଲବ୍ଧ ତଥ୍ୟ, କିମ୍ବଦନ୍ତୀ, ତାଳପତ୍ର ପୋଥି ସାହିତ୍ୟ, ଲୋକକଥାର ବିବରଣୀକୁ ଆଧାର କରି ଲେଖା ହୁଏ ଇତିହାସ । ଆଚାର୍ଯ୍ୟ ପ୍ୟାରୀମୋହନ, ସତ୍ୟବାଦୀର ଅନ୍ୟତମ ପଞ୍ଚସଖା ଯୋଗଜନ୍ମା ପଣ୍ଡିତ କୃପାସିନ୍ଧୁ ମିଶ୍ର, ଜଗବନ୍ଧୁ ସିଂହ, ବିରୁପାକ୍ଷ କର, ପ. ବିନାୟକ ମିଶ୍ର, ତାରିଣୀ ଚରଣ ରଥ ଆଦି ମନୀଷୀଗଣ ଓଡିଶାର ସମୃଦ୍ଧଶାଳୀ ଅତୀତର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା, ବାଣିଜ୍ୟ, ଧର୍ମକୁ ନେଇ ନୂତନ ଦିଗନ୍ତମାନ ଉନ୍ମୋଚିତ କରନ୍ତି । ବିଶେଷକରି ପ୍ୟାରୀମୋହନଙ୍କ ‘ଓଡ଼ିଶା ଇତିହାସ’, କୃପାସିନ୍ଧୁଙ୍କ ‘ଉତ୍କଳ ଇତିହସ’, ‘କୋଣାର୍କ’, ‘ବାରବାଟୀ’, ଜଗବନ୍ଧୁଙ୍କ ‘ପ୍ରାଚୀନ ଉତ୍କଳ’, ବିରପାକ୍ଷଙ୍କ ‘ପ୍ରାଚୀନ ଉତ୍କଳର ନୌବାଣିଜ୍ୟ’, ଉତ୍କଳର ବୌଦ୍ଧଯୁଗର ଇତିହାସ’ ଭଳି ରଚନାବଳି ଓଡିଆ ଚିନ୍ତା ଓ ଚେତନା ଅଦ୍ଭୁତ ଜାଗରଣ ସୃଷ୍ଟି କରିଥିଲା । କାଳକ୍ରମେ ଅନ୍ୟାନ୍ୟ ବହୁ ଲେଖକ, ଐତିହାସିକଙ୍କ କ୍ରମାଗତ ପ୍ରଚେଷ୍ଟା ଓଡିଶା ଇତିହାସରେ ବହୁ ନୂତନ ତଥ୍ୟ ଉନ୍ମୋଚନ କରିଛି । ତନ୍ମଧ୍ୟରୁ ହରେକୃଷ୍ଣ ମହତାବଙ୍କ ‘ଓଡିଶା ଇତିହାସ’ର ଭୁମିକା ଉଲ୍ଲେଖନୀୟ । ଅବଶ୍ୟ ଇତିମଧ୍ୟରେ ମହତାବଙ୍କ ଇତିହାସର ବହୁ ତଥ୍ୟର ନବୀକରଣ ହୋଇସାରିଛି । ତେବେ ପୁରାତନ ତଥ୍ୟର ଖଣ୍ଡନ ଓ ତା’ ସ୍ଥାନରେ ନିତ୍ୟ ନୂତନ ତଥ୍ୟର ସ୍ଥାନ ଗ୍ରହଣ ଇତିହାସରେ କିଛି ନୂଆ କଥା ନୁହେଁ । ଯୁଗ ବଦଳିବା ସହିତ ଇତିହାସରେ ବିଷୟବସ୍ତୁର ବିବିଧକରଣ ହେବା ସହ ଅନେକ ଲୁକ୍କାୟିତ ତଥ୍ୟର ସନ୍ନିବେଶଣ ହୋଇଚାଲିଛି । ଐତିହାସିକଙ୍କ ଅନୁସନ୍ଧିତ୍ସୁ ତଥା ଜିଜ୍ଞାସୁ ମନୋଭାବ ଓଡିଶା ଇତିହାସରେ ନବଜାଗରଣ ଆଣି ଦେଇଛି । ପୁଣି ଅନେକ ଅଞ୍ଚଳର ଆଞ୍ଚଳିକ ଇତିହାସ ମଧ୍ୟ ପ୍ରଣୟନ ହୋଇସାରିଛି । ଓଡିଶାର ଏକ ପୂର୍ଣ୍ଣାଙ୍ଗ ଇତିହାସ ପାଇଁ ଏସବୁ ଆଞ୍ଚଳିକ ଇତିହାସ ଗ୍ରନ୍ଥଗୁଡିକର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ।

ପୁନଶ୍ଚ ଓଡ଼ିଶା ଇତିହାସକୁ ବିଶ୍ବର ବିଭିନ୍ନ ବର୍ଗର ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଅତୀତରେ ଅନେକ ଉଦ୍ୟମ ହୋଇଛି । ମୂଳ ଓଡିଆରୁ ଇଂରାଜୀରେ ଅନୁବାଦ ସହ ଇଂରାଜୀରେ ମୌଳିକ ଭାବେ ଓଡିଶାର ଇତିହାସ ପ୍ରଣୟନ କରାଯାଇଛି ଯାହା ପ୍ରଶଂସନୀୟ । ତେବେ ଏଠାରେ ପ୍ରଶ୍ନ ଉଠେ ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ଇତିହାସକୁ ଯେଭଳି ପରିମାଣରେ ଓଡିଆରେ ଅନୁବାଦ କରାଯାଇଛି, ଓଡିଶାର ଇତିହାସକୁ ଅନ୍ୟାନ୍ୟ ଭାଷାଭାଷୀଙ୍କ ପାଇଁ ସେତିକି ପରିମାଣରେ ଉପଲବ୍ଧ କରାଯାଇଛି କି ? ଅବଶ୍ୟ ଏଇ ନିକଟରେ ଡ. ହରେକୃଷ୍ଣ ମହତାବଙ୍କ ‘ଓଡିଶା ଇତିହାସ’ ହିନ୍ଦୀ ଅନୁବାଦ ପ୍ରକାଶିତ ହୋଇ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । କିନ୍ତୁ ଏହା ଭିତରେ ମହତାବଙ୍କ ଇତିହାସର ବହୁ ତଥ୍ୟର ନବୀକରଣ ହୋଇସାରିଛି । ତେଣୁ ଓଡିଶା ଇତିହାସର ଏକ ପୂର୍ଣ୍ଣାଙ୍ଗ ରୂପ ଅନ୍ୟ ଭାଷାଭାଷୀଙ୍କ ପାଇଁ ନିହାତି ଉପଯୋଗୀ ମନେହୁଏ । ଆଉ ଏଇ ଆବଶ୍ୟକତାଟିକୁ ପୁରଣ କରିଛନ୍ତି ଓଡିଶାର ବିଶିଷ୍ଟ ଲେଖକ ଦମ୍ପତ୍ତି ଶ୍ରୀମତୀ ନିର୍ମଳାବାଳା ମିଶ୍ର ଓ ଶ୍ରୀଯୁକ୍ତ ରବି ଶତପଥି ।

ବୃତ୍ତିରେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ନିର୍ମଳାବାଳା ଏକାଧାରରେ ଜଣେ କବି, ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା ତଥା ପ୍ରାବନ୍ଧିକା । ଶିଶୁ ମନସ୍ତତ୍ତ୍ବକୁ ଆଧାର କରି ସେ ଲେଖିଛନ୍ତି ସଂଖ୍ୟାଧିକ କବିତା ଓ ଗପ । ହିନ୍ଦୀ ଭାଷାରୁ କେତୋଟି ସ୍ମରଣୀୟ କୃତିକୁ ଓଡିଆରେ ଅନୁବାଦ କରିବା ସହ ଧର୍ମଶାସ୍ତ୍ରର ଜଟିଳ ଆଧ୍ୟାତ୍ମ ତତ୍ତ୍ବକୁ ଗଭୀର ଅଧ୍ୟୟନପୂର୍ବକ ଅତି ସରଳ ଓ ଚମତ୍କାର ଢଙ୍ଗରେ ଛନ୍ଦାଶ୍ରାୟୀ କବିତାରେ ରୂପାନ୍ତରିତ କରିଛନ୍ତି । ପୁଣି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ସଂପର୍କରେ ମଧ୍ୟ ଗବେଷଣା କରିଛନ୍ତି । ତାଙ୍କ ରଚନାବଳୀ ମଧ୍ୟରେ ସୁରଶ୍ୟାମ (ଅନୁବାଦ ଉପନ୍ୟାସ), ଗୀତାମୃତ (ଅନୁବାଦ ଗଳ୍ପ), ଶ୍ରୀଶ୍ରୀଶ୍ରୀ ତ୍ରିଧାରା ଚାଳିଶା ଓ ନାମ ସଂକୀର୍ତ୍ତନ, କ୍ଷେତ୍ରେଶ୍ବରୀ ମା’ ବିରଜା ଓ ଯାଜପୁର ମାଟି, ଦିଗବାରେଣୀ ( ନିବନ୍ଧ ୨୦୧୯) ସହିତ ଅନେକ ଶିଶୁ ସାହିତ୍ୟ ଅନ୍ତର୍ଭୁକ୍ତ । ଶ୍ରୀପୁକ୍ତ ରବି ଶତପଥି ଓଡିଶା ଶିକ୍ଷକ ସଂଗଠନର ଜଣେ ଛାମୁଆ ନେତା । ଛାତ୍ରାବସ୍ଥାରୁ ସାମ୍ୟବାଦୀ ଚିନ୍ତାଧାରରେ ଅନୁପ୍ରାଣୀତ ଶ୍ରୀଯୁକ୍ତ ଶତପଥି ଓଡିଶାର ସାହିତ୍ୟ, ଇତିହାସ, ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ସମସ୍ୟାକୁ ନେଇ ବହୁ ପ୍ରବନ୍ଧ ରଚନା କରିଛନ୍ତି । ଓଡିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ତାଙ୍କ ରଚିତ ଅନେକ ଲେଖା ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ତାଙ୍କ ପ୍ରତ୍ୟକ୍ଷ ସମ୍ପାଦନାରେ ମୌଳିକ ହିନ୍ଦୀ ପତ୍ରିକା ‘ଭାଷା କିରଣ’ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକ ଆନ୍ଦୋଳନର ଆଗଧାଡ଼ିର ନେତା ତଥା ବିଚକ୍ଷଣ ଐତିହାସିକ ଶ୍ରୀ ଶତପଥିଙ୍କ କିଛି ପ୍ରମୁଖ ରଚନା ହେଲା ବିଷଣ୍ଣ ଶୈଶବ ‐ ଅନୁବାଦ ଉପନ୍ୟାସ, ଅତୀତ ଏବଂ ବର୍ତ୍ତମାନର ଇତିହାସ, ମଧୁପୁରଗଡ ଓ ଅନ୍ୟାନ୍ୟ ରାଜବଂଶର ଇତିହାସ, ଅପରାହ୍ନର ଛାଇ(ଆତ୍ମଜୀବନୀ) ଇତ୍ୟାଦି ।

ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଉଭୟ ଲେଖକ ଦମ୍ପତ୍ତି ମିଳିତ ଭାବରେ ହିନ୍ଦୀ ଭାଷାରେ “ଓଡ଼ିଶା କା ଇତିହାସ” ପ୍ରଣୟନ କରିଛନ୍ତି । ହିନ୍ଦୀ ଭାଷାରେ ଏପର୍ଯ୍ୟନ୍ତ ଓଡିଶାର ଇତିହାସ ଲେଖା ଯାଇ ନଥିଲା । ଯାହା ହୋଇଛି ତା’ ହେଲା ଓଡିଶା ଇତିହାସର ହିନ୍ଦୀ ଅନୁବାଦ । କିନ୍ତୁ ଶ୍ରୀମତୀ ନିର୍ମଳାବାଳା ଓ ଶ୍ରୀଯୁକ୍ତ ରବି ଶତପଥିଙ୍କ “ଓଡ଼ିଶା କା ଇତିହାସ” କୌଣସି ଅନୁବାଦ ନୁହେଁ ବରଂ ଏହା ତାଙ୍କର ମୌଳିକ ପ୍ରୟାସ । ସେଥିପାଇଁ ପାଇଁ ଏହାର ଗୁରୁତ୍ବ ଢେର୍ ବେଶୀ । ଦୀର୍ଘ ୪୦୦ପୃଷ୍ଠା ବ୍ୟାପୀ ଏହି ଇତିହାସ ପୁସ୍ତକଟିରେ ଅଶୋକଙ୍କ କଳିଙ୍ଗ ଯୁଦ୍ଧରୁ ଆରମ୍ଭ କରି ବର୍ତ୍ତମାନର ସରକାର ପର୍ଯ୍ୟନ୍ତ ଯାବତୀୟ ଘଟଣାବଳିର ଜାତୀୟ ଓ ଅନ୍ତର୍ଜାତୀୟ ପରିପ୍ରେକ୍ଷୀରେ ସାମାଜିକ, ରାଜନୈତିକ, ଐତିହାସିକ ଓ ଅର୍ଥନୈତିକ ବିଶ୍ଳେଷଣ ଖୁବ୍ ସୁନ୍ଦର ଭାବେ କରାଯାଇଛି । ଏହା ଯେତିକି ପ୍ରାମାଣିକ ସେତିକି ଗବେଷଣାତ୍ମକ ।

ଠିକ୍ କଳିଙ୍ଗ ଯୁଦ୍ଧର ପଟ୍ଟଭୁମିରୁ ଆରମ୍ଭ ହୋଇଛି ପ୍ରୋକ୍ତ ପୁସ୍ତକଟି । ଆଜି ବି କଳିଙ୍ଗ ଯୁଦ୍ଧର ସତ୍ୟାସତ୍ୟକୁ ନେଇ ଆଜି ଇତିହାସ ଓ ଐତିହାସିକ ଦ୍ବିଧାରେ । ତେବେ କଳିଙ୍ଗ ଯୁଦ୍ଧର ଭୟାବହତା ପରେ ଯଦି ଉତ୍କଳର ହୃତ ଗୌରବ କିଏ ଫେରାଇ ଆଣିଥିଲେ ସେ ହେଉଛନ୍ତି ଚେଦୀ ବଂଶୀୟ ସମ୍ରାଟ ମହାମେଘବାହନଐର ଖାରବେଳ । ତାଙ୍କ ସମୟ ଥିଲା ଓଡିଶା ଇତିହାସର ସୁବର୍ଣ୍ଣ ଯୁଗ । ପରେପରେ ଭୌମକରମାନଙ୍କ ସମୟରେ କଳା, ସାହିତ୍ୟ, ଭାସ୍କର୍ଯ୍ୟ, ବାଣିଜ୍ୟରେ ଉତ୍କଳ ଶୀର୍ଷତ୍ବ ସ୍ପର୍ଶ କରିପାରିଥିଲା । ତାପରେ ସୋମ ବା କେଶରୀ ବଂଶ, ଗଙ୍ଗବଂଶ, ସୂର୍ଯ୍ୟ ବଂଶ ହୋଇ ପହଞ୍ଚେ ଭୋଇ ବଂଶର ଶେଷ ସ୍ବାଧିନ ସମ୍ରାଟ ମୁକୁନ୍ଦ ଦେବଙ୍କ ନିକଟରେ । ତତ୍କାଳୀନ ଓଡ଼ିଶାର ଗର୍ବ ଓ ଗୌରବ ବାରବାଟୀ ଦୁର୍ଗର ଗାରିମା ବର୍ଣ୍ଣିତ ହୋଇଛି ଆବୁଲଫାଜଲ ଓ ଉଇଲିଅମ୍ ବ୍ରୁଟନଙ୍କ ବିବରଣୀ ମାଧ୍ୟମରେ । ପ୍ରାକୃତିକ ବନ୍ୟା ବ୍ୟୁତ୍ପାତର ରାଜ୍ୟ ଓଡ଼ିଶାର ରାଜନୈତିକ ଅସ୍ଥିରତା ବାରମ୍ବାର ବାହ୍ୟଶତ୍ରୁଙ୍କୁ ଆମନ୍ତ୍ରଣ ଜଣାଇଛି ଆକ୍ରମଣ କରିବାକୁ । ତା’ପରେ ବିଗତ କେତୋଟବର୍ଷ ସୁନାର ଓଡ଼ିଶା ବାରମ୍ବାର ଲୂଣ୍ଠନର ଶିକାର ହୋଇଛି । ମୋଗଲ, ଆଫଗାନ, ପଠାଣ, ମରହଟ୍ଟା ଏବଂ ଶେଷରେ ଇଂରେଜମାନେ ବାରମ୍ବାର ଆକ୍ରମଣ କରି ମଠ, ମନ୍ଦିରର ଏହି ପବିତ୍ର ରାଜ୍ୟକୁ ହତଶ୍ରୀ କରିଦେଇଛି । ରାଜ୍ୟର ସାମାଜିକ ଓ ଅର୍ଥନେତିକ ଅବସ୍ଥା ରସାତଳ ହେଲାପରେ ଶେଷରେ ୧୮୦୩ରେ ଇଂରେଜମାନେ ଓଡିଶା ଅଧିକାର କରନ୍ତି । ଏଥିପାଇଁ ମଧ୍ୟ କମ୍ ମୂଲ୍ୟ ଦେବାକୁ ପଡ଼ିନାହିଁ । ପ୍ରଥମ ଶହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ସହ ଲକ୍ଷ ଲକ୍ଷ ପାଇକମାନଙ୍କ ବଳିଦାନ ଯାବତ୍ ଚନ୍ଦ୍ରାର୍କେ ଏ ଜାତି ମନେରଖିବ । ଲେଖକ ଦ୍ବୟ ଖୁବ୍ ସତର୍କତାର ସହ ଏ ସମ୍ପର୍କରେ ବିସ୍ତୃତ ଦୃଷ୍ଟିପାତ କରିବା ସହିତ ୧୮୫୭ର ସିପାହୀ ବିଦ୍ରୋହରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଛନ୍ତି ।

ଇଂରେଜମାନେ ଓଡିଶା ଅଧିକାର କରିବା ସହ ଶିକ୍ଷାର ଆଧୁନିକୀକରଣ ଘଟେ । ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ନବ୍ୟ ଓଡିଆଙ୍କ ମଧ୍ୟରେ ଜାତୀୟ ଜାଗରଣର ଊନ୍ମେଷ ହୁଏ । ମାତୃଭାଷା ଓ ମାତୃଭୂମି ପ୍ରତି ଅଙ୍ଗୀକାରବଦ୍ଧତା ସ୍ବତଃ ଜାଗିଉଠେ । ୧୮୮୫ରେ ଜାତୀୟ କଙ୍ଗ୍ରେସର ଅଭ୍ୟୁତ୍ଥାନ ଏକ ସ୍ମରଣୀୟ ଅବସର । ପରାଧିନତାର ଶୃଙ୍ଖଳରୁ ମୁକ୍ତି ପାଇଁ ଆରମ୍ଭ ହୁଏ ସ୍ବାଧିନତାର ସଂଗ୍ରାମ । ଏହି ଅବସରରେ ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ଅଭ୍ୟୁଦୟ ଘଟେ । ସ୍ବତନ୍ତ୍ରତା ପ୍ରାପ୍ତି ନିମନ୍ତେ ଦେଶ ବ୍ୟାପି ହୋଇଥିବା ସଂଗ୍ରାମରେ ଏହି ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ । ବହୁ ମନୀଷୀଙ୍କ ଆବିର୍ଭାବ ଓଡିଶା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ସମୟ । ଲେଖକ ଏ ସମ୍ପର୍କରେ ବିସ୍ତାର ଆଲୋଚନା କରିଛନ୍ତି । ତା’ରି ଭିତରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଗଡଜାତ ପ୍ରଜା ଆନ୍ଦୋଳନ ସମ୍ପର୍କରେ ବିଶେଷ ଆଲୋଚନା ଉଲ୍ଲେଖନୀୟ । ବିଶେଷତଃ ଗଡ଼ଜାତ ଆନ୍ଦୋଳନର ବିଭିନ୍ନ ଦିଗ ପ୍ରତି ଲେଖକଦ୍ବୟଙ୍କ ଆଲୋଚନା ଅତ୍ୟନ୍ତ ମୂଲ୍ୟବାନ । ପ୍ରଥମ ବିଧାନସଭା ସରକାର ଗଠନଠାରୁ ଆରମ୍ଭ ବର୍ତ୍ତମାନର ସରକାର ପର୍ଯ୍ୟନ୍ତ ଆଲୋଚନା ମାଧ୍ୟମରେ ଲେଖକ ଦ୍ବୟ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି, ଇତିହାସ, ଧର୍ମ ଓ ପରମ୍ପରା ସମ୍ପର୍କରେ ବ୍ୟାପକ ଆଲୋଚନା କରିଛନ୍ତି । ଶେଷରେ ଉତ୍କଳୀୟ ଧର୍ମ ସଂସ୍କୃତିର ଆଦର୍ଶ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସମ୍ପର୍କରେ ଏକ ବିଶେଷ ଅଧ୍ୟାୟ ସଂଯୋଗ କରି ପୁସ୍ତକଟିର ପରିସମାପ୍ତି କରିଛନ୍ତି ।

ତେବେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ଓଡ଼ିଶାର ଏହି ଘଟଣାବହୁଳ ଇତିହାସକୁ ଅଣଓଡ଼ିଆ ପାଠକ କେତେ ଜାଣନ୍ତି ? ଯଦିଓ ଏ ସମ୍ପର୍କରେ ଇଂରାଜୀରେ କିଛି ପୁସ୍ତକ ପ୍ରଣୟନ ହୋଇଛି ମାତ୍ର ହିନ୍ଦୀ ଭାଷାରେ ଏଭଳି ପ୍ରୟାସ ଅଭିନନ୍ଦନୀୟ । ପ୍ରଥମ ଥର ପାଇଁ ହୋଇଥିବା ଏହି ପ୍ରଚେଷ୍ଟା ଉଭୟ ଓଡ଼ିଶା ଓ ଓଡ଼ିଶା ଇତିହାସ ପ୍ରତି ଆଗ୍ରହ ରଖୁଥିବା ପାଠକ, ଗବେଷକ, ଛାତ୍ରଛାତ୍ରୀମାନଙ୍କ ପାଇଁ ଏ ପୁସ୍ତକଟି ଏକ ଅନବଦ୍ୟ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା ଇତିହାସକୁ ପ୍ରଥମ ଥର ପାଇଁ ମୌଳିକ ଭାବରେ ଅଣଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚେଇଥିବାରୁ ଏକ ବୃହତର ଜାତୀୟ ସ୍ବାର୍ଥ ସାଧନ ହୋଇପାରିଛି ।

ରାଜକିଶୋର ମହାପାତ୍ର
୭୩୭୭୮୮୯୯୧୬
ଅଠରନଳା

Leave A Reply

Your email address will not be published.