Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ତକିଆ ତଳର ବହି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୧

କାହାକୁ ଏଇଠି କିଛି ବୁଝାଇବାର ଆବଶ୍ୟକତା ପଡିବ ନାହିଁ ଯେ ଜଣକର ତକିଆ ତଳରେ ଯେଉଁ ବହିଟି ସାଧାରଣତଃ ରହିଥାଏ ତାହା ତାହାର ଅତ୍ୟନ୍ତ ପ୍ରିୟତମ ବହି। ତାହା କେବଳ ପ୍ରିୟତମ ନୁହଁ ସବୁଠୁ ଗୋପନୀୟ ବି। ନିଜର ବିଶ୍ରାମ କାଳରେ ବି ସେହି ପ୍ରକାରର ଘନିଷ୍ଠ ସାନ୍ନିଧ୍ୟ ସହ ଅବସ୍ଥାନ କରିବା କ୍ରମଶଃ ଏକ ଅଲଂଘ୍ୟ ଆକର୍ଷଣରେ ପରିଣତ ହୋଇଯାଇଥିବାର କାରଣରୁ ଜଣକର ତକିଆ ତଳରେ ସେମିତି ଗୋଟିଏ ଗୋଟିଏ ବହି ରହିଥାଏ।

ଏଇଠି ଯାହାର ତକିଆ ତଳର ବହିର କଥା କୁହାଯିବ ସେ ଇତିହାସର ଜଣେ ଅବିସମ୍ବାଦିତ ଆକର୍ଷଣୀୟ ନାୟକ ଚରିତ୍ର। କହିବାକୁ ଗଲେ ତାଙ୍କର ତକିଆ ତଳେ ବସ୍ତୁତଃ ବହି ସହିତ ଆଉ ଦୁଇଟି ପଦାର୍ଥ ରହୁଥିଲା।ତାହା ହେଉଛି ଗୋଟିଏ ଧାରୁଆ ଛୁରୀ ଏବଂ ଗୋଟିଏ କାରୁକାର୍ଯ୍ୟ ପୂର୍ଣ୍ଣ ଆୟତାକାର ବାକ୍ସ।ସେହି କାରୁକାଯ୍ୟପୂର୍ଣ୍ଣ ବାକ୍ସ ଭିତରେ ରହୁଥିଲା ଗୋଟିଏ ବହିର ପ୍ରତିଲିପି।ଯାହାର ତକିଆ ତଳେ ଏଇ ତିନୋଟି ପଦାର୍ଥ ସର୍ବଦା ମହଯୁଦ ହୋଇ ରହୁଥିଲା ସେହି ଚର୍ଚ୍ଚିତ ନାୟକ ଜଣକ ହେଉଛନ୍ତି ବିଶ୍ୱ ଇତିହାସର ଅନ୍ୟତମ ପ୍ରମୁଖ ଚରିତ୍ର ମାସିଡନ୍ ର ରାଜା ଆଲେକଜାଣ୍ଡର।ଆମେ ଇତିହାସରେ ତାଙ୍କୁ ଆଲେକଜାଣ୍ଡାର, ଦି ଗ୍ରେଟ୍ ବୋଲି ପଢିଥାଉ।

ସଂକ୍ଷେପରେ ଆଲେକଜାଣ୍ଡାରଙ୍କ ତକିଆ ତଳରେ ରହୁଥିବା ଧାରୁଆ ଛୁରୀ ଆଉ ସେଇ କାରୁକାର୍ଯ୍ୟପୂର୍ଣ୍ଣ ଆୟତାକାର ବାକ୍ସ ସମ୍ପର୍କରେ କିଛି ଉଲ୍ଲେଖ କରି ତାହାର ଭିତରରେ ରହୁଥିବା ବହିର ପ୍ରସଙ୍ଗକୁ ଯିବା। ଆଲେକଜାଣ୍ଡାର ନିଜର ଭଉଣୀ ର ବିବାହ ସମୟରେ ଏକ ଅଜ୍ଞାତ ଆତତାୟୀ ଦ୍ୱାରା ନିଜର ପିତା ତଥା ମାସିଡନ୍ ର ସମ୍ରାଟ ଫିଲିପସ୍ ଙ୍କ ମୃତ୍ୟୁକୁ ସ୍ୱଚକ୍ଷୁରେ ଦେଖିବା ପରେ ସେ ଏତେ ମାତ୍ରାରେ ଆତଙ୍କିତ ହୋଇ ପଡିଥିଲେ ଯେ ସେ ନିଜକୁ ସୁରକ୍ଷିତ କରି ରଖିବା ପାଇଁ ଏଇଭଳି ବ୍ୟବସ୍ଥା ତାଙ୍କର ଏକପ୍ରକାର ଆବେଶରେ ପରିଣତ ହୋଇଯାଇଥିଲା। ନିଜର ଅନ୍ୟତମ ପ୍ରମୁଖ ପ୍ରତିଦ୍ୱନ୍ଦୀ ପାରସ୍ୟର ରାଜା ଡାରିଅସ ତୃତୀୟଙ୍କୁ ପରାସ୍ତ କରିବା ପରେ ଆଲେକଜାଣ୍ଡାର ତାଙ୍କଠାରୁ ଏକ କାରୁକାର୍ଯ୍ୟପୂର୍ଣ୍ଣ ଛୋଟ ବାକ୍ସକୁ ଲୁଣ୍ଠନ କରିଆଣିଥିଲେ।ସେଇ ବାକ୍ସଟି ଆଲେକଜାଣ୍ଡାରଙ୍କ ତକିଆ ତଳେ ରହୁଥିଲା ଆଉ ସେହି ବାକ୍ସଟି ଭିତରେ ସାତତାଳ ଗହୀରର ଜୀବନନାଟିକା ଭଳି ରହୁଥିଲା ସେଇ ବିଖ୍ୟାତ ବହିର ଏକ ପ୍ରତିଲିପି।ସେହି ବହିଟି ହେଉଛି ବିଶ୍ୱ ସାହିତ୍ୟର ପ୍ରଥମ ମହାକାବ୍ୟ,ଇଲିଆଡ୍।

ଆପଣମାନେ ଜାଣନ୍ତି ବିଶ୍ୱସାହିତ୍ୟ ର ଏଇ ପ୍ରଥମ ମହାକାବ୍ୟ ” ଇଲିଆଡ୍” ଆଦ୍ୟକବି ହୋମର ଙ୍କ ଦ୍ୱାରା ଖ୍ରୀପୂ ୮୦୦ରେ ଲେଖା ହୋଇଥିଲା।ଏହା ବ୍ୟତୀତ ଆଦ୍ୟକବି ହୋମରଙ୍କ ଲିଖିତ ଆଉ ଏକ ମହାକାବ୍ୟ ହେଉଛି “ଓଡିସି”। “ଇଲିଆଡ”ରେ ଗ୍ରୀକ୍ ଆଉ ଟ୍ରୟ ମଧ୍ୟରେ ଦଶ ବର୍ଷ ବ୍ୟାପୀ ଚାଲିଆସିଥିବା ଯୁଦ୍ଧର କଥା ବର୍ଣ୍ଣନା କରାଯାଇଛି। ଏଇ ଦୁଇ ଦେଶ ଭିତରେ ଦଶ ବର୍ଷ ଧରି ସଂଘର୍ଷ ଚାଲି ଆସିଥିଲେ ହେଁ ଏଇ ମହାକାବ୍ୟ “ଇଲିଆଡ” ର ବର୍ଣ୍ଣିତ ବିଷୟ ବସ୍ତୁ ହେଉଛି ସେହି ଯୁଦ୍ଧର ଶେଷ ଆଡକୁ କେତେ ସପ୍ତାହ କାଳଖଣ୍ଡର କଥା।ଏହି ସମୟରେ ଗ୍ରୀକ୍ ମାନେ “ଟ୍ରୋଜାନ ହର୍ସ” ବୋଲି ଗୋଟିଏ ବିରାଟ କାଠଘୋଡା ନିର୍ମାଣ କରି ତାହା ଦ୍ୱାରା ଅତ୍ୟନ୍ତ ଚତୁରତାର ସହ ଟ୍ରୟକୁ ପରାସ୍ତ କରିଥିଲେ। ହୋମର ବିରଚିତ “ଇଲିଆଡ”ରେ ଶତ୍ରୁପକ୍ଷକୁ ପ୍ରତିହତ କରିବା କ୍ଷେତ୍ର ରେ ଏଇ ଭଳି ଚତୁରତାକୁ ଏକ ପ୍ରମୁଖ ବିଭାବ ହିସାବରେ ବିଚାର କରାଯାଇଥାଏ। ଦ୍ୱିତୀୟରେ ଏଥିରେ ମହାକବି ହୋମର “ଆମାଜନ”ବୋଲି ଏକ ଯୁଦ୍ଧବିଶାରଦ ଶ୍ରେଣୀର ଉଲ୍ଲେଖ କରିଛନ୍ତି। ଅସଲରେ ସେହି ଶ୍ରେଣୀ ହେଉଛି ଯୁଦ୍ଧ -ବିଶାରଦା ଅର୍ଥାତ୍ ପୁରୁଷ -ଯୋଦ୍ଧା ମାନଙ୍କୁ ସିଧା ସଳଖ ଟକ୍କର ଦେଇ ପାରୁଥିବା ମହିଳା-ଯୋଦ୍ଧା। ଏହି ମହାକାବ୍ୟରେ ଶେଷ ଏବଂ ତୃତୀୟ ଗୁରୁତ୍ୱପୂର୍ଣ୍ଣ ଉଲ୍ଲେଖ ହେଉଛି କିଛି ମହାନ ବୀରତ୍ୱବ୍ୟଞ୍ଜକ ଚରିତ୍ର ଯଥା,ଆକିଲାସ୍,ହେକ୍ଟର୍ ଏବଂ ଆଗାମେମନନ୍।

ଆଲେଜାଣ୍ଡାରଙ୍କ ତକିଆ ତଳେ “ଇଲିଆଡ୍” କେଉଁ ପ୍ରତୀକାତ୍ମକତାର ଘନିଷ୍ଠତାକୁ ବହନ କରି ରହିଥିଲା ସେକଥା ତ ନିଶ୍ଚୟ ଚର୍ଚ୍ଚାର ପରିସରକୁ ଆସିବ ମାତ୍ର ତାହା ପୂର୍ବରୁ ଏହି ମହାକାବ୍ୟ ଆମକୁ ଆଜି ପ୍ରାୟ ତିନିହଜାର ବର୍ଷ ପରେ କିଛି ପ୍ରାସଙ୍ଗିତା ଉପହାର ଦେଇଛି ଆଜି ଆମକୁ ସେକଥା ସ୍ମରଣକୁ ଆଣିବାକୁ ପଡିବ।ଆଜି ଆମ ପାଖରେ “ଟ୍ରୋଜାନ ହର୍ସ” ନାମକ ଯେଉଁ କମ୍ପ୍ୟୁଟର “ମାଲାୱେୟାର୍”ରହିଛି ତାହା ଆମର କମ୍ପୁଟର ଭିତରକୁ ପ୍ରବେଶ କରି ତାହାକୁ ଅଚଳ କରିଦେଇଥାଏ।ଏବେ ଆମ ପାଖରେ “ଇଲିଆଡ୍” ର ଚରିତ୍ର ହେକ୍ଟର୍ ଏକ ଇଂରେଜୀ-କ୍ରିୟାପଦ ହିସାବରେ ବ୍ୟବହୃତ ,ଯାହାର ଅର୍ଥ ହେଉଛି,ଜଣକୁ ଅଯଥା ବିରକ୍ତ କରିବା।ଏବଂ ଜଣେ ଅପରାଜେୟ ବୀରର ଦୁର୍ବଳତମ ସ୍ଥାନ କୁ ବୁଝିବା ପାଇଁ ଆମ ଆଗରେ ଏବେ ଅଛି ଗୋଟିଏ ପ୍ରୟୋଗ,”ଆକିଲାସ୍ ଙ୍କ ଗୋଇଠି” ବା “ଆକିଲାସସ୍ ହିଲ୍”।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ଏହି ମହାକାବ୍ୟ”ଇଲିଆଡ୍” ନିଜ ସ୍ୱରୂପରେ ଏକ ପ୍ରକାର ସ୍ପଷ୍ଟ ଭାବରେ ରହିଥିଲେ ହେଁ ଏହାର ରଚୟିତା ଆଦ୍ୟକବି ହୋମରଙ୍କ ବିଷୟରେ ଇତିହାସ ରହସ୍ୟାବୃତ୍ତ।ଅନେକଙ୍କ ମତରେ ଏହି ମହାକାବ୍ୟ ଏକ ମୌଖିକ ପରମ୍ପରାର ଉପଜ ଆଉ ଏହା ଯଥେଷ୍ଟ ପରବର୍ତ୍ତି ସମୟରେ ବିକଶିତ ଲେଖନକ୍ରୀୟାର ଉପଜ।ତେଣୁ ହୋମର ବୋଲି ଜଣେ କେହି ନଥିଲେ।ଏଇ ମହାକାବ୍ୟ ଏକ ସାମୁହିକ ରଚନା।ଏପରିକି କେହି କେହି ତାଙ୍କୁ ଜଣେ ଦୃଷ୍ଟିବାଧିତ, ଜଣେ ନାରୀ ବୋଲି ମନ୍ତବ୍ୟ ରଖିଛନ୍ତି।କିନ୍ତୁ କେବଳ ଜଣେ ଚିନ୍ତାନାୟକ ସବୁବେଳେ କବି ହୋମର “ଇଲିଆଡ୍”ଏବଂ “ଓଡିସି” ସହ “ମାର୍ଗିତେଶ” ଏବଂ “ବାତ୍ରାକୋମିମାକିଆ” ବୋଲି ଆଉ ଦୁଇଟି କାବ୍ୟ ରଚନା କରିଛନ୍ତି ବୋଲି ନିଜର ମତ ରଖିଛନ୍ତି। ନିଜର “ପୋଏଟିକସ୍”ରେ ଏଇ କଥା କହିଛନ୍ତି ପ୍ରସିଦ୍ଧ ଗ୍ରୀକ୍ ଦାର୍ଶନିକ ଏବଂ ଶିକ୍ଷକ ଆରିଷ୍ଟୋଟଲ୍। ଆରିଷ୍ଟୋଟଲ ଙ୍କ ବ୍ୟାଖ୍ୟାନରେ ସେ ସବୁବେଳେ ଜଣେ ଗ୍ରୀକ୍ ର ପ୍ରକୃତ ଗ୍ରୀକପଣର ସ୍ୱରୂପ ଏବଂ ତଦନୁଯାୟୀ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ଏକମାତ୍ର ଦେଶପ୍ରେମଭିତ୍ତିକ ନିର୍ଦ୍ଦେଶିକା ହେଉଛି ଏହି “ଇଲିଆଡ୍” ବୋଲି କହିଛନ୍ତି।

ଆରିଷ୍ଟୋଟଲ୍ ଥିଲେ ଆଲେକଜାଣ୍ଡାର ଙ୍କ ଶିକ୍ଷକ।ଏବଂ ଏହି ମହାନ ବୀର ଜଣକ ଶେଷ ଯାଏଁ ତାଙ୍କର ଏହି ମହାନ ଶିକ୍ଷକ ଙ୍କର ଅତ୍ୟନ୍ତ ଅନୁଗତ ଥିଲେ। ସେଦୃଷ୍ଟିରୁ ଏଇ ଶିକ୍ଷକଙ୍କ ନିରବଚ୍ଛିନ୍ନ ସାନ୍ନିଧ୍ୟକୁ ଭୋଗିବା ପାଇଁ ଆଲେକଜାଣ୍ଡାର ତାଙ୍କର ତକିଆ ତଳେ ରଖୁଥିଲେ “ଇଲିଆଡ୍” ର ପ୍ରତିଲିପି।ଏବଂ ବାସ୍ତବ ଜୀବନରେ “ଇଲିଆଡ୍” ର କାର୍ଯ୍ୟାନ୍ୱୟନ କରିବା ପାଇଁ ସେ ସେଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ନିଜ ପାଇଁ ବାଛିଥିଲେ।

ଆଲେକଜାଣ୍ଡାର ସବୁବେଳେ ମନେକରୁଥିଲେ, ସେ ହେଉଛନ୍ତି “ଇଲିଆଡ୍”ର ଅପ୍ରତିଦ୍ୱନ୍ଦୀ ଏବଂ ଅପରାଜେୟ ବୀର ଆକିଲାସ୍।

 

Leave A Reply

Your email address will not be published.