Latest Odisha News

ପୁସ୍ତକ ପରିଚୟ : ଭାବ ବଇଭବ

ତାରାପ୍ରସାଦଙ୍କ ‘ଭାବ ବଇଭବ’ ଶହେଟି ଗୀତି….. ଅସରନ୍ତି ପ୍ରୀତି….

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା 

ଭାବ ବଇଭବ
କବିତା ସଙ୍କଳନ
କବି : ତାରାପ୍ରସାଦ ଜେନା
ଜେଇସି ପବ୍ଲିକେସନ
ପୃଷ୍ଠା : ୧୧୨
ମୂଲ୍ୟ : ୧୯୯

ବିଗତ ଚାରି ଦଶନ୍ଧି ଧରି ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଆସୁଥିବା କବି ତାରାପ୍ରସାଦ ଜେନା ଓଡିଆ ଗୀତିକବିତାର ଜଣେ ବିମୁଗ୍ଧ ଉଚ୍ଚାରଣ । ତାଙ୍କ ରଚିତ ଏକ ହଜାରରୁ ଅଧିକ ଗୀତିକବିତା, ଶିଶୁଗୀତିକା, ଗଜଲ, ରୁବାୟତ, ପଲ୍ଲୀକବିତା ବିଭିନ୍ନ ପତ୍ରପତ୍ରିକା ସହିତ ସୋସିଆଲ ମିଡିଆରେ ପ୍ରକାଶିତ ଓ ବହୁଳ ପଠିତ ଓ ପ୍ରଶଂସିତ । ଶ୍ରୀଯୁକ୍ତ ଜେନା ନିଜେ ଜଣେ ଉତ୍ତମ ପାଠକ ଓ ପୁସ୍ତକ ସଂଗ୍ରାହକ । ଓଡିଆ ଶବ୍ଦ ଭଣ୍ଡାର ଉପରେ ତାଙ୍କର ଅସାଧାରଣ ଦଖଲ ରହିଛି । ରୀତିମତ ଅପ୍ରଚଳିତ ତଥା ଲୋକମୁଖରୁ ଲୁପ୍ତପ୍ରାୟ ବହୁ ଗାଉଁଲୀ ଶବ୍ଦକୁ ଖୋଜିଲୋଡି ତାକୁ କବିତାରେ ରୂପାନ୍ତରିତ କରନ୍ତି । ମୁଖ୍ୟତଃ ପ୍ରେମ, ପ୍ରଣୟ ଓ ଦାମ୍ପତ୍ୟର ମଧୁର ଚିତ୍ରକୁ ନେଇ ତାଙ୍କ ଗୀତିରାଜି ସୁସମୃଦ୍ଧ ହେଲେ ହେଁ ତା’ ଭିତରେ ଆମ ଗାଉଁଲୀ ଟାହିଟାପରା, ଢଗଢମାଳି, ଚାଲିଚଳଣି, ପର୍ବପର୍ବାଣୀ, ଯାନିଯାତ୍ରା, ସ୍ତ୍ରୀ ପୁରୁଷ ବଚନିକାକୁ ଏତେ ସୁନ୍ଦର ଭାବେ ସ୍ଥାନିତ କରନ୍ତି ଯେ ପାଠକକୁ ଯୁଗପତ୍ ଆନନ୍ଦ ପ୍ରଦାନ କରେ । ଅଧୁନା ଜଣେ ରୋମାଣ୍ଟିକ୍ କବି ଭାବେ ସୁପରିଚିତ ତାରାପ୍ରସାଦଙ୍କ ସଦ୍ୟ ପ୍ରକାଶିତ “ଭାବ ବଇଭବ” ତାଙ୍କ ରୋମାଣ୍ଟିକ୍ ପ୍ରୀତି ଭାବନାର ୧୦୦ଟି ପ୍ରୀତିଗୀତିର ମନୋଜ୍ଞ ସଂକଳନ ।

କବିଙ୍କ ରୋମାଣ୍ଟିକ୍ ଗୀତିଧର୍ମିତାକୁ ନିମ୍ନୋକ୍ତ ପଂକ୍ତିରୁ ଲକ୍ଷ୍ୟ କରନ୍ତୁ
‘ସଖୀ ତୁମେ ଅନାହତ ପ୍ରେମ ଲାଗି ସହଜ ହିସାବ
ସଖୀ ତୁମେ ଉପଗତ ଅଭିସାର ମନର ବୈଭବ
ସଖୀ ମୋର ବର୍ଷାଭିଜା କଦମ୍ବର ରୋମାଞ୍ଚ ବିରୋଳ
ସଖୀ ତୁମେ ଦେଇଦେଲ ପଢିବାକୁ ଦେହର ଭୂଗୋଳ…..’
କବି ନିଜ ପ୍ରେୟସୀର ମୁଖକୁ କେବେ ଚନ୍ଦ୍ରମା ତ କେବେ ଗୋଲାପ ସହ ତୁଳନା କରିଛନ୍ତି । ପ୍ରିୟତମାର ଅଭୁଲା ସୌନ୍ଦର୍ଯ୍ୟ ହିଁ ତାଙ୍କ କାବ୍ୟ ରଚନାର ହେତୁ…..
‘ଉପମା ଛାଞ୍ଚରେ ପ୍ରିୟାକୁ ରଖିବା
ତୁଳନା ଦେଇଛି ଛାଡି
ମୋ ପ୍ରିୟା ହଜାରେ ଉପମା ବଳିଛି
ଦେଖୁଛି ଅଠର ଘଡ଼ି,
ମନକୁ ମନ ଯେ କାବ୍ୟରେ ବୁଡୁଛି
ଧରି ମୁଁ କବିର ଦେହ
…….ଗୋଲାପ ଫୁଲଟେ କି ହେବ ମୋହର
ଗୋଲାପ ପ୍ରିୟାର ମୁହଁ !’
ପ୍ରେମରେ ପଡିବା ପାଇଁ ଦିନ, ମାସ, ବର୍ଷ ନୁହେଁ ଗୋଟିଏ ମୁହୂର୍ତ୍ତ ହିଁ ଯଥେଷ୍ଟ । ଆଖିରେ ଆଖି ମିଶିଲେ ମନ ତଳର ଅସୁମାରୀ କଥା ଆଉ ଜଣଙ୍କ ହୃଦୟରେ ଖେଳିଯାଏ । ଛୋଟିଆ ଚାହାଣୀରେ କେତେ କଥା କହି ହୋଇଯାଏ ! କେବଳ ସେଇ ଗୋଟିଏ ପ୍ରେମଭରା ଚାହାଣୀ ହିଁ ଯଥେଷ୍ଟ…….
‘ମହୁଠୁ ମିଠାରେ କଥାକୁ ଉଖାରି
ଚାହିଁଥିଲା ମୋର ମୁହଁ
ଦେଖିଲି କଅଁଳ ବୟସୀ ସୁନ୍ଦରୀ
ଓଠ ତଳେ ଖେଳେ ମୋହ,
ପ୍ରିୟା ହେବ ବୋଲି ମୋ ରାଣ ଖାଇଲା
ଏଇ ଥିଲା ବଡ଼ କାମ
…….ସେ ମୋତେ ଚାହିଁଲା ମୁଁ ତାକୁ ଚାହିଁଲି
ହୋଇଗଲା ବାସ୍ ପ୍ରେମ !’
କିନ୍ତୁ ପ୍ରେମିକାର ମନ ଠିକ୍ ଆକାଶରେ ଖେଳୁଥିବା ଅଦିନିଆ ମେଘ ଖଣ୍ଡ ଭଳି । ଏଇ ଅଛି ପୁଣି ନାହିଁ । କେବେ ବର୍ଷିଯିବାକୁ ଯାଇ ତୁହାଏ ହେମାଳ ପବନ ବହିଯାଏ ତ କେବେ ବିନା ମେଘରେ ବର୍ଷାର ଆସର ଜନ୍ମାଏ । ସବୁ ଅନିଶ୍ଚିତତାରେ, ସବୁ ଶଙ୍କା ଆଶଙ୍କାରେ ପୂର୍ଣ୍ଣ ପ୍ରିୟାର ମନ କିନ୍ତୁ ଇନ୍ଦ୍ରଧନୁ ଭଳି ରଙ୍ଗୀନ୍ । ସେଥିପାଇଁ କବି ଲେଖନ୍ତି…
‘ଆୟୁଷର ରଙ୍ଗୀନ୍ ଗୋ ସଙ୍ଗ ତୁମ ମନ୍ଦ ନୁହେଁ
ପୀୟୁଷର ନାଲି ଓଠ ଢଙ୍ଗ ତୁମ ମନ୍ଦ ନୁହେଁ
…..ମନ୍ଦ ନୁହେଁ…..ମନ୍ଦ ନୁହେଁ…..ମନ୍ଦ ନୁହେଁ !
ତୁମେ କେବେ ଆହ୍ଲାଦିନୀ ସାଜ ପ୍ରାଣ ପ୍ରିୟା
ତୁମେ ପୁଣି ମାୟାବିନୀ ରାଜ୍ ମୋହ ମାୟା
କ୍ଷଣେ ହୁଅ ଖୋଲା ବହି ଭାବ ମନ ପୃଷ୍ଠା
କିବା ପୁଣି ଲିଭିଯାଅ ପାଣିଗାର ନିଷ୍ଠା
ଗଭୀରତା ଜଣାନାହିଁ କେତେ ଅଛି ସ୍ନେହ
ଆୟୁଷର ରଙ୍ଗୀନ୍ ଗୋ ସଙ୍ଗ ତୁମ ମନ୍ଦ ନୁହେଁ
…..ମନ୍ଦ ନୁହେଁ…..ମନ୍ଦ ନୁହେଁ…..ମନ୍ଦ ନୁହେଁ’

କବି ତାରାପ୍ରସାଦ ଶବ୍ଦର ଚିହ୍ନରା ଗ୍ରାହକ । ସାଧାରଣ ଶବ୍ଦପୁଞ୍ଜକୁ ନେଇ ଅଦ୍ଭୁତ କୌଶଳର ସହିତ ଗଢନ୍ତି ନିଜ ଗୀତିକବିତାର ଅବୟବ । ଶବ୍ଦ ଚୟନ ବେଳେ ସେତିକି ସତର୍କ ସେତିକି ସ୍ବଭାବସୁଲଭ । ଅତୁଳନୀୟ ଶବ୍ଦ ସୌନ୍ଦର୍ଯ୍ୟ ସହିତ ପ୍ରୀତି ଭାବନାର ସୁକୁମାର୍ଯ୍ୟ ହିଁ ତାଙ୍କ ଗୀତିକବିତାର ଅମୂଲ୍ୟ ଭାବ ସଂପଦ । ଏଇ ଯେମିତି
‘ହଜାରେ ଆଖିର ପହରା ଆଡେଇ ତୁମକୁ ଆଣିଛି କାଢ଼ି
ମୋ ମନ ବଗିଚା ଫୁଲର ସହରେ ତୁମେ ଗୋ ସୁନ୍ଦର କଢ଼ି
……..ହଜାରେ ଫୁଲର…….
ଭାବର ମଳୟେ ଦୋହଲି ଯାଉଛ
ସହଜେ ମୁରୁକି ହସି
ସରମ ଏମିତି ଛାଟୁଛ ସତରେ
ପାଖରୁ ଦୂରକୁ ଖସି
ସରମ ଓଠରେ ରଙ୍ଗୀନ୍ କାହାଣୀ
ଅକୁହା ହେଉଛି ପଢ଼ି
……..ହଜାରେ ଆଖିର ପହରା ଆଡ଼େଇ…….’
ଅଭିବ୍ୟକ୍ତି ସାଧାରଣ ମନେ ହେଉଥିଲେ ହେଁ ଗୀତିମୟତା ହିଁ ପାଠକ ହୃଦୟକୁ ଆନ୍ଦୋଳିତ କରେ । ଖୁବ୍ ସହଜ ସରଳ ଭାବେ କବି ନିଜ ହୃଦୟର ଆବେଗକୁ ଗୀତରେ ସଜେଇଛନ୍ତି । ସେଥିରୁ କିନ୍ତୁ ତାଙ୍କ ରୋମାଣ୍ଟିକ୍ ଆଭିମୁଖ୍ୟ ସହଜରେ ବାରି ହୋଇପଡ଼େ ।
ଲକ୍ଷ୍ୟ କରନ୍ତୁ
‘କୋଟିଏ ସପନ ଏକାଠି କରି ମୁଁ ତତେ ଲୋ ସଜାଏ ପ୍ରିୟା
ତୁ ହେଲୁ ହୃଦୟ କଅଁଳ ସ୍ପନ୍ଦନ, କୁହୁକ ଦେଶର ମାୟା
ଅନ୍ଧାର ଭିତରେ ଆଲୁଅ ଲାଗୁଛୁ
ତତେ ମୁଁ ପାରୁନି ଭୁଲି
କବିଟିଏ ବୋଲି ତୋ କଥା କହୁଚି…’

ପ୍ରେମର ଅସରନ୍ତି ଗାଥା ଗାଉଥିବା କବି ତାରାପ୍ରସାଦ ପ୍ରଣୟିନୀର ପ୍ରୀତିଛୁଆଁକୁ ଯେତିକି ବିଭୋର ହୋଇଛନ୍ତି, ତାର ପ୍ରତାରଣାରେ ସେତିକି ଜଳିଛନ୍ତି । ପ୍ରିୟାର ବିହୁନେ ବେଦନା ବିଧୁର କବି ପ୍ରାଣ ଗାଇ ଉଠିଛି…
‘ମୋ ଆଖିରେ ତୋଳି ଅନେକ ସପନ
ଦିନେ କରିଥିଲୁ ପ୍ରିୟା
ସେଇ ସପନ ମୋ ମନେପଡେ ଆଜି
ଲାଗେ ଭାରି ଅସହାୟ
ଲୁହଭିଜା ଆଖି ଚାହିଁ ତ ପାରେନି
ଅଭିସାରେ ଆଉ ସଜାଡି
…..ଜୀବନ ପାତ୍ର ମୋ ଶୂନ୍ୟ ରହିଗଲା….’

ସେ ଜଳିବାରେ ବି ଥାଏ ଗୋଟେ ନିଆରା ଆନନ୍ଦ । ନିଆଁ ପାଖକୁ ଗଲେ ମୃତ୍ୟୁ ଅବଶ୍ୟମ୍ଭାବି ଜାଣି ମଧ୍ୟ ପତଙ୍ଗ ନିଆଁ ପ୍ରତି ଆକର୍ଷିତ ହୁଏ । କାହିଁକି ? ପତଙ୍ଗ ଜାଣେ ସେ ଆକର୍ଷଣର ହେତୁ…..
ପ୍ରେମର ଅନେକ ରଙ୍ଗ, ଅନେକ ଭାବନା, ଅନେକ ରୂପ ପୁଣି ଅସରନ୍ତି ଭାବନା । କେବେ ପାଖରେ ପାଇବାର ମୋହ ତ କେବେ ପାଇ ହରାଇବାର କୋହରେ ପ୍ରେମିକ ପ୍ରେମିକା ଆନମନା ହୁଅନ୍ତି । ପ୍ରେମ କେବେ ପାଣ୍ଡୁଲିପି ତ କେବେ ବହି । ଠିକ୍ ଗୋଟେ ଅଧାଦେଖା ସ୍ବପ୍ନ ପରି…..
‘ସ୍ବପ୍ନ ମଖା ମୃଦୁ ନିଦେ ପାଦ ଚାପି ଆସିଲ
ଆଖି ଆଖି ମିଶା ମିଶି ମୋର ପାଖେ ବସିଲ
ପ୍ରୀତି ଛୁଆଁ ବସନ୍ତରେ ମନ ଖୋଲି ହସିଲ
ଛାଇ ଭଳି ଚାଲିଗଲ ସତେ ଅବା ରୁଷିଲ
ଭାବିଦେଲେ ପଛକଥା ମନ ବ୍ୟଥା ସହିବ
……କଥା ଥିଲା ତୁମ ସାଥେ
ମୋର ପ୍ରିୟା ରହିବ…..’
ବିଚ୍ଛେଦ ପରେ ଯେଉଁ ମିଳନ….ତାର ଆନନ୍ଦ ଆହୁରି ନିଆରା । କବି ତାରାପ୍ରସାଦ ପ୍ରେମର ବିଭିନ୍ନ ସୋପାନକୁ ଶହେଟି କୋମଳ ପାଖୁଡାରେ ସଜେଇ ମାଳଟିଏ କରିଛନ୍ତି । ପାଠକର ମନକୁ କେବେ ପ୍ରେମରେ ଉଷୁମ କରିଛନ୍ତି, କେବେ ଲୁହରେ ଭିଜେଇଛନ୍ତି ଆଉ କେବେ ଆନନ୍ଦରେ ରସେଇଛନ୍ତି । ଗୋଲାପର କୋମଳତାକୁ ଅନୁଭବ କରିବାକୁ ଯାଇ ବାରମ୍ବାର କଣ୍ଟାର ଆଘାତରେ ରକ୍ତାକ୍ତ ହୋଇଛନ୍ତି । ତଥାପି ତାଙ୍କ କବିପ୍ରାଣ ପ୍ରେମର ଜୟଗାନ କରିବାକୁ ପଛେଇ ନାହିଁ ।

‘ସ୍ତ୍ରୀ ‐ ସ୍ବପ୍ନ ବିଭୋର ଦ୍ବିତୀୟ ଈଶ୍ବର
ଚର୍ଚ୍ଚିତ ଜୀବନ କଳା
ପୁ ‐ ପ୍ରେମ ନାମରେ ଚାଲିଛି ଚାଲିବ,
ଭାବର ବିଖ୍ୟାତ ଲୀଳା
ସ୍ତ୍ରୀ ‐ ପୁନଃ ଜନ୍ମରେ ଐଶ୍ବର୍ଯ୍ୟ ପ୍ରାପ୍ତିର
କାମନା ମାନସ ସାଜି’
ପ୍ରଣୟର ଏଇ ଶହେଟି ପାଖୁଡାକୁ ନେଇ କବି ତାରାପ୍ରସାଦଙ୍କ “ଭାବ ବଇଭବ” ଅଗଣିତ ପ୍ରେମ ପକ୍ଷୀଙ୍କ ମନରେ ଉଡାଣର ଆନନ୍ଦ ଭରିଦେଉ ।

 

Comments are closed.