କଲମ ନିଆଁ
କବୀ : ଭବାନୀ ଭୂୟାଁ
ପ୍ରକାଶକ : ପଶ୍ଚିମା ପବ୍ଲିକେଶନ
ନୟାପଲ୍ଲୀ ଭୁବନେଶ୍ୱର
ପୃଷ୍ଠା : ୧୨୦
ମୂଲ୍ୟ : ୧୨୦
ଓଡ଼ିଆ କବିତାରେ ଏକ ଭିନ୍ନ କାବ୍ୟସ୍ବରର ସ୍ରଷ୍ଟା ଭବାନୀ ଭୂୟାଁ । ଭାବ ତଥା ଆବେଗ ଅପେକ୍ଷା ସେ ମଣିଷ ଜୀବନର ସଂଘର୍ଷମୟ ଅବସ୍ଥାର କଥା ଅଧିକ କହିଥାନ୍ତି। ସାଧାରଣ ମଣିଷର ମର୍ଯ୍ୟାଦା ଓ ଅଧିକାର ପାଇଁ ସବୁବେଳେ ଲଢ଼ୁଥିବା ତାଙ୍କ ଅଙ୍ଗୀକାର ବଦ୍ଧତା ହିଁ ପ୍ରତିଟି କବିତାର ଉତ୍ସ ପରି ପ୍ରତୀତ ହୁଏ ।
ସମୁଦାୟ ବୟାଲିଶଟି କବିତାର ସମାହାର ‘କଲମ ନିଆଁ’ କବିତା ସଙ୍କଳନଟିର ପ୍ରଥମ କବିତା ‘କଲମ ନିଆଁ’ ବିଦ୍ରୋହର କଥା କହେ। କଲମ କେବଳ ଲେଖିବା ପାଇଁ ନୁହେଁ ବରଂ ସବୁ ବିପ୍ଳବର ଆରମ୍ଭ ଏହି କଲମରୁ ହିଁ ଆରମ୍ଭ ହୋଇଥାଏ। ।
କିଏ କହିଲା କଲମରେ ନିଆଁ ଲାଗେନି ?
କଲମରେ ହିଁ ନିଆଁ ଜଳେ
ଜଳାଏ ପୋଡ଼ାଏ
ରୁଗୁ ରୁଗୁ କରି ପୋଡ଼ିଚାଲେ ଭିତରଟା
ଡରାଏ , ଭୟଦେଖାଏ
ଜାଳିପାଡ଼ି ଛାରଖାର କରିଦିଏ।
କଲମ ମାଧ୍ୟମରେ କବୀଙ୍କର ଶାଣିତ ସ୍ୱର ଖୁବ୍ ଉଦ୍ବେଳିତ କରେ। ସୁପ୍ତ ମଣିଷକୁ ଜାଗ୍ରତ କାରାଏ। ଭୋକିଲା ମଣିଷର ଆଖିରୁ ଆଖିକୁ, ଭୋକିଲା ପେଟରୁ ପେଟକୁ ସଂଚରି ଯାଉଥିବ ସେ ନିଆଁ। ‘ନାଗରିକ’ କବିତାରେ କବୀ ମଣିଷର ଅଧିକାର ର କଥା କହିଛନ୍ତି। ସବୁ ନାଗରିକ ସଚେତନ ହୋଇ ନିଜର ନାର୍ଯ୍ୟ ଦାବିରେ ଅଟଳ ରହିବା ଉଚିତ। ଯେତେବେଳେ ଦେଶ ନାଗରିକର , ମାଟି ବି ତା’ର । ମାଟି ପ୍ରକୃତରେ ପ୍ରତ୍ୟେକ ମଣିଷର। ନିଜକୁ ମାଟି ପାଇଁ ଲଢ଼ିବାକୁ ହେଲେ କଲମକୁ ସାଥି କରିବା ଦରକାର। ମାଟି କଥା କହେ। ଆତ୍ମବିଶ୍ବାସ ଅଜାଡ଼ି ଦିଏ। ଏକତାର ମନ୍ତ୍ର ଶିଖାଏ। ଅସରନ୍ତି ଘୃଣା ଭିତରେ ବି ଭଲ ପାଇବାର ବୀଜଟେ ଗଜୁରେଇ ଆଣେ। ମଣିଷ କେବଳ ମଣିଷ ହିଁ ହୋଇପାରେ।
‘କୋଣାର୍କ’ କବିତାରେ କବୀ କାରୁକାର୍ଯ୍ୟ ଭିତରେ କଙ୍କାଳର ରୂପ ଦେଖି ବିଳାପର ସ୍ୱରକୁ ତୀବ୍ର କରିଛନ୍ତି।
କଙ୍କାଳର ସ୍ତୁପ ଦେହେ
ସେ କେଉଁ ସମୟର ସ୍ତବ୍ଧ ମୁହୂର୍ତ୍ତଟିଏ
ଅବା ହେଉ
ଲୋକମୁଖର କିମ୍ବଦନ୍ତୀ ଗଳ୍ପ
ତା ନିସଙ୍ଗତାର ପରିଭାଷା
ଆମାନିଆ ଲୁହର ସ୍ୱପ୍ନଭିଜା ରାତି କଥା।
ଶହ ଶହ ନାରୀଙ୍କର ଅଙ୍ଗେ ନିଭା
କଥା।
କବୀଙ୍କର କାବ୍ୟିକ ପଣର ଶାଣିତ ଶବ୍ଦରେ ଦୋହଲି ଯାଉଛି ଇତିହାସର ଇତିବୃତ୍ତ। ଛିଟକି ପଡ଼ୁଛି ପ୍ରତିଶ୍ରୁତିର ରକ୍ତିମ ଆଭା। କାହାର ରକ୍ତ ରଞ୍ଜିତ ପାଦରୁ ଖସି ପଡୁଛି ଲୁହାର ଶିକୁଳି। କେତେ ବ୍ୟଥା ସେ ମନରେ। କୌଣସି ଯାଦୁଗରର କାଉଁରିଆ କାଠିର ସ୍ପର୍ଶ ବି ତାକୁ ଚହଲାଇ ପାରେ ନାହିଁ। ସବୁ ମିଛ ପ୍ରମାଣିତ ହୋଇଯାଏ। ଟିକିଏ ବି ସମ୍ମୋହିତ କରିପାରେ ନାହିଁ। ମୁଠାଏ ପାଉଁଶରେ ପରିଣତ ହେବାକୁ ଶ୍ରେୟସ୍କର ଭାବେ।
‘ଦେଶ’ କବିତାରେ କବୀ ଚମତ୍କାର ଭାବରେ ଦେଶତ୍ୱର ଭାବକୁ ପ୍ରକାଶ କରିଛନ୍ତି। ଦେଶ ଭିତରେ ଥାଇ ଦେଶକୁ ବି ବେଳେ ବେଳେ ଆମେ ଖୋଜିହେଉ। ନିଜ ପାଣି ପବନର ହିସାବ ଦେବାକୁ ହେଲେ ଦେଶାନ୍ତରୀ ଭାବରେ ଆଉଟି ପାଉଟି ହେଉ। ବାରୁଦର ଗନ୍ଧ ଭିତରେ ସ୍ୱାଧୀନତାର ଅସ୍ତିତ୍ୱକୁ ହଜାଇ ବସୁ। ଅକାରଣେ ନିଚ୍ଛକ ସତ୍ୟ ଯେତେବେଳେ ବାଧ୍ୟତାମୂଳକ ଭାବରେ ଚାପି ହୋଇଯାଏ ସେତେବେଳେ ନିରୀହତାର ମୃତ୍ୟୁ ଘଟେ। ଦେଶକୁ ଭଲପାଇ ଦେଶଦ୍ରୋହୀର ପରିଚୟରେ ଜଣେ ପରିଚିତ ହୁଏ। ଗଦା ଗଦା ପ୍ରବଞ୍ଚନା ଭିତରୁ ବ୍ୟବସ୍ଥାର ନଗ୍ନ ରୂପ ଉଙ୍କି ମାରୁଥାଏ।
ଚାରିଆଡ଼େ
ଭୟ ଆଉ କାକୁସ୍ଥର ସ୍ତବ୍ଧ ବାତାବରଣଟିଏ
ଢାଙ୍କି ପକେଇଛି ଦେଶକୁ।
ଦେହସାରା ଖେଳି ଯାଉଛି ଶୀତଳ ଏକ
ମୃତ୍ୟୁର ଆତଙ୍କ
ଜୀବନ ଛନ୍ଦି ହୋଇ ପଡ଼ିଛି
ନିପାରିଲା ପଣିଆର
ପଣକିଆ ଭିତରେ ।
ବାସ୍ତବରେ ରକ୍ତ ଜ଼ଡ଼ ସଡ଼ ପାପୁଲି ଭିତରେ ପବନକୁ ମୁଠେଇ ରଖିହୁଏ ନାହିଁ। ଉତ୍ତାଳ ତରଙ୍ଗ ପରି ତାହା ମାଡ଼ି ଚାଲେ।ଅନ୍ୟାୟ , ଅନୀତିର ମୁଖା ଖୋଲିଯାଏ। ସେଠାରେ କୌଣସି ପ୍ରଲୋଭନ କାମ କରେ ନାହିଁ। ଝଡ଼ ଉଠେ ; ଜୀବନର ରୂପ ଦେଖାଏ। ସ୍ୱପ୍ନ ଓ ସମ୍ଭାବନା ଭିତରେ ରାସ୍ତାଟିଏ ସଜାଡ଼ି ହୋଇଯାଏ। ମଣିଷର ଲୁହ , ମାନବିକତାର କୋହ , ମାଟିର ମୋହ ସବୁ ଯୋଡ଼ାଯୋଡ଼ି ହୋଇ ଯେମିତି ଜୀବନ୍ୟାସ ଦେଇ ହୋଇଯାଏ ।
କଲମ ନିଆଁର ପ୍ରତିଟି କବିତା ସ୍ୱତନ୍ତ୍ର ଓ ବିପ୍ଳବଧର୍ମୀ। କବୀ କବିତା ମାଧ୍ୟମରେ ସମାଜର ଅବହେଳିତ ମଣିଷମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନଙ୍କ ଦୁଃଖରେ ସହଭାଗୀ ହୋଇ ଜୀବନର ରାସ୍ତା ଦେଖାଇଛନ୍ତି । ବିପୁଳ ପାଠକୀୟ ଆଦୃତି ସହ କବିତା ସଙ୍କଳନଟି ପ୍ରତ୍ୟେକ ପାଠକର ହୃଦୟରେ ଏକ ସମାଜ ସଂସ୍କାରକର ଛାପ ଛାଡ଼ିବ ।
Comments are closed.