କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୦
ପ୍ରୀତିପୁର ଆଉ ମୁକ୍ତାପୁର ମଝିରେ ଯେଉଁ ବିସ୍ତୀର୍ଣ୍ଣ ଉଚ୍ଚ ଭୂମି ତାହା ଦିନଥିଲା ଏକ ସବୁଜ ସମୃଦ୍ଧ ଗାଆଁ ବିରହପୁର। ତାହାର ଏକ ଦିଗରେ ସମୁଦ୍ର ଅନ୍ୟ ଏକ ଦିଗରେ ପ୍ରାଚୀ ନଈ। ଗାଆଁକୁ ଲାଗି ଛୋଟ ଏକ ବଣ।ଗାଆଁର ଚାରିଦିଗରେ ବିସ୍ତୀର୍ଣ୍ଣ ଚାଷ ଜମି। ବିଭିନ୍ନ ବର୍ଣ୍ଣ ଆଉ ବର୍ଗର ପ୍ରାୟ ପଚାଶଟି ପରିବାର ଧାରୀ ଏଇ ଗାଁଟିର ମୁଖ୍ୟ ଜୀବିକା ଥିଲା ଧାନ-ଆଖୁ – ପରିବା ଚାଷ ଓ ମାଛ ଧରା। ଗାଆଁର ଦୁଇ ମୁଣ୍ଡେ ଅବସ୍ଥାପିତ ଠାକୁର ଶ୍ରୀନୀଳ ମାଧବ ଓ ଠାକୁରାଣୀ ମାଆ ଦକ୍ଷିଣେଶ୍ୱରୀ।
ମନେ ପଡେ ଦେବର ପିଲାଦିନ। ପ୍ରୀତିପୁରରୁ ବିରହପୁର ଖୋଜେ ବାଟ।ବାପାଙ୍କ ସହିତ ସେ ଯାଏ ଆଖୁ ଖାଇବାକୁ। ବାପାଙ୍କର ସେ ଗାଆଁରେ ଖାତିରି ଥିଲା।ବାପା ଶାଳକୁ ଗଲେ ତାଙ୍କ ଆଗରେ ଥୁଆ ହେବ ଝୋବାଏ ଆଖୁରସ।ପୁଣି ଆଖୁ ପାଗ କରୁଥିବା ଲୋକଟି ବେଲାଏ ପାଣିରେ ଢାଳିଦେବ ଚାଇଁ ଗୁଡ଼।
ଦେବର ମନ ସେଥିରେ ନଥାଏ। ତାର ଲୋଡା ମୋଟା ଆଖୁ ଗଛଟିଏ। ତାକୁ ଆଖୁ ଚୋବେଇବାକୁ ଖୁବ୍ ଭଲ ଲାଗେ। ସେମାନେ ଫେରିଲା ବେଳକୁ ଦୋରୁହ, ଚାଇଁଗୁଡ଼ ଓ ଆଖୁ ପଗରେ ବ୍ୟାଗ ଭରିଯାଏ। ଚାଷୀମାନେ ମାଗଣାରେ ଏତେ ଜିନିଷ ଦିଅନ୍ତି ନାହିଁ।ପ୍ରତିବଦଳରେ ଘର ଛପର ପାଇଁ ନଡ଼ା,ବାଉଁଶ ସହ ତାଳପଟ ବି ଆଣନ୍ତି। ତା ସାଙ୍ଗକୁ ନଡିଆ,କରମଙ୍ଗା,ଦହି ଘିଅ ପାଇଁ ଦେବର ଘର ଆଗରେ ନିତି ଗହଳି।
ସେ ଗାଆଁର ଲୋକଥିଲେ ଖୁବ୍ ସରଳ ବିଶ୍ୱାସୀ। ମାଟି ନଈ ସମୁଦ୍ରକୁ ନେଇ ସେମାନଙ୍କର ଜୀବନ ଯାତ୍ରା।ବର୍ଷକରେ ଥରେ ଅଷ୍ଟପ୍ରହରୀ ହୁଏ।କେତେଥର ଦେବ ଅଣ୍ଟାରେ ଘାଗୁଡ଼ି,ମୁଣ୍ଡରେ ମୁକୁଟ ଆଉ ହାତରେ ବଇଁଶୀ ଧରି ନାମଧରିବାକୁ ସେ ଗାଆଁକୁ ଯାଏ। ତା ସହିତ ରାଧା ହୋଇ ନାଚେ ଦେବୀ।ନାଚି ନାଚି ହାଲିଆ ହୋଇଗଲେ ସେମାନେ କେଉଁ ବାରଣ୍ଡା ଉପରେ ଶୋଇପଡନ୍ତି।
ତା ଆଗରେ ସ୍ମୃତିର ଅସରନ୍ତି ମୁଣା ଧରି ବହିଯାଉଛି ପ୍ରାଚୀ ନଈ।ସୁଦୂର ଟାପୁ ଉପରେ ତା ଆଖି ପଡିଯିବାରୁ ଚହଲି ଗଲା ସେ ମୁଣା।ଖସି ପଡ଼ିଲେ କେଇଟି ପିଛିଲା ଦିନ।
ଦେବକୁ ସେତେବେଳେ ପାଞ୍ଚ କି ଛ ବର୍ଷ।କୁଆଁର ପୁନେଇ ରାତିରେ ସେ ଯାଇଥାଏ ଅଷ୍ଟପ୍ରହରୀ ରେ ନାମ ଧରିବାକୁ।ଠିକ୍ ରାତି ଅଧକୁ କେହିଜଣେ ଖବର ଦେଲା ।ପାଣି ଉଠିବ।ନଡ଼ିଆ ଗଛ ଉଁଚରେ।
ଅଷ୍ଟପ୍ରହରୀ ସେଇଠି ଅଧା ରହିଲା।ଚାହୁଁ ଚାହୁଁ ସେ ଗାଆଁରୁ ସ୍ଥାନାନ୍ତର ହୋଇ ଅଧାରୁ ଅଧିକ ଲୋକ ବନ୍ଧ ଉପରେ ରହିଲେ।ଆଉ କେହି କେହି ଏହା ଏକ ମାମୁଲି ଘଟଣା ଭାବି ନିଶ୍ଚିନ୍ତ ହୋଇ ବସି ରହିଲେ।ଦେବ ଗାଁ ଲୋକଙ୍କ ସହିତ ଗାଁ କୁ ଫେରି ଆସିଲା। ଦିନ ଯାଇ ସନ୍ଧ୍ୟା ହେଲା।ଭୟ ଆଉ ଅନିଶ୍ଚିତତା ଭିତରେ ସେ ରାତିଟି ଏକ ପ୍ରକାର ରହସ୍ୟ ମୟ ଲାଗୁଥିଲା।ସମୁଦ୍ର ଆଡୁ ଶତ ସର୍ପର ଫୁତ୍କାର ସମ ଏକ ଭୟଦ୍ରୋକୀ ସ୍ୱର ମାଡ଼ି ଆସିଲା।
ପ୍ରଥମେ ଆସିଲା ଛୋଟ ଆକାରର ଲହରୀଟିଏ।ତାପଛକୁ ପଛ ଆକାଶ ଛୁଆଁ ଢେଉ ମାଡିଆସି ଗ୍ରାମ ସଂଲଗ୍ନ ବିସ୍ତୀର୍ଣ୍ଣ ପାଟ ଓ ବଣ କୁ ବୁଡେଇଦେଲା।ସର୍ବଶେଷରେ ଆସିଲା ମୃତ୍ୟୁର ପରୱାନା ଧରି ପ୍ରଳୟର ହସ୍ତସମ ଏକ ଲହରି।ନିମିଷକରେ ମାଟିରେ ମିଶିଗଲା ଗୋଟେ ସବୁଜଶ୍ରୀ ଗାଆଁ।
କ୍ରମଶଃ…..
Comments are closed.