Latest Odisha News

BREAKING NEWS

ପୁସ୍ତକ ପରିଚୟ : ନୀଳ ଅନୁରାଗ

କବିତା ସଙ୍କଳନ : ନୀଳ ଅନୁରାଗ
କବି : କୃଷ୍ଣଚନ୍ଦ୍ର ମହଲା
ପ୍ରକାଶକ : ମାରୁତି ପ୍ରିଣ୍ଟେକ୍ ଇଣ୍ଡଷ୍ଟ୍ରି
ପୃଷ୍ଠା : ୧୫୮
ମୂଲ୍ୟ : ୧୫୦

ଓଡ଼ିଆ ସାହିତ୍ୟର କବିତା ବିଭାଗରେ କୃଷ୍ଣଚନ୍ଦ୍ର ମହଲା ଏକ ନିଆରା ଶବ୍ଦ ଶିଳ୍ପୀ। ତାଙ୍କ ଅସ୍ପଷ୍ଟ ଉଚ୍ଚାରଣକୁ ସେ କବିତା ମାଧ୍ୟମରେ ପରିପ୍ରକାଶ କରନ୍ତି। ନିକଟରେ ପ୍ରକାଶିତ ହୋଇଥିବା ତାଙ୍କ କବିତା ସଙ୍କଳନ ‘ନୀଳ ଅନୁରାଗ’ ତାଙ୍କ କାବ୍ୟ ସ୍ଵରର ସୂକ୍ଷ୍ମତାକୁ ବର୍ଣ୍ଣନା କରେ।

କବିଙ୍କ ଭାଷାରେ ପ୍ରେମର ପ୍ରେମ, ପ୍ରୀତି,  ଅନୁରାଗ, ଆକଂକ୍ଷାର ସମ୍ମିଶ୍ରଣ ହିଁ ‘ନୀଳ ଅନୁରାଗ’ର କଳେବର ମଣ୍ଡିତ କରେ।

” ଭକତି ଲୁହରେ ପାଦପଦ୍ମ ପଖାଳି
ପ୍ରୀତି ସଂପୁଟ ଫେଇ ଦେବି ଅଜାଡ଼ି
ଅନୁରାଗରେ ପୂଜା ଅର୍ଘ୍ୟ ସଜାଡ଼ି
ମନ ପ୍ରସୂନ ଦେବି ଶ୍ରୀକରେ ତୋଳି। ”

ସଙ୍କଳନର ପ୍ରଥମ କବିତା ‘ହେ ବିଦ୍ୟାବର’ ରେ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ କବି ଖୁବ୍ ସୁନ୍ଦର ଭାବରେ ନିଜ ମନର ଭାବନାକୁ ପରିପ୍ରକାଶ କରିଛନ୍ତି । କବିତା କେବଳ ଶବ୍ଦ କି ବାକ୍ୟର ସମାହାର ନୁହେଁ,  ଭାବ ଓ ଅନୁଭବର ସୁରଭିରେ ସିକ୍ତ ତାର କଳେବର। ମା’ର ଅନେକ ରୂପ ସହ ଦିଗନ୍ତ ପ୍ରସାରୀ ତାର ପରିସୀମା। ଅଶୋକ ବନରୁ ପଞ୍ଚବଟୀ ପର୍ଯ୍ୟନ୍ତ ଏକ ଯାତ୍ରା । କେବେ ହିମାଳୟ ପରି ସ୍ଥିର ତ କେବେ ମହୋଦଧି ପରି ଚଞ୍ଚଳ। କବିଙ୍କ ଭାଷାରେ

“ମୋ ଦୁଖର ହିମାଳୟଟା
ସତ୍ତା ଶୂନ୍ୟ ହୁଏ ନାହିଁ
ତୋର ମହୋଦଧିରେ ଡୁବି ।”

‘ଦୁଇଟି କବିତା’ ଶୀର୍ଷକରେ କବି ଗୋଲାପ ଓ କେତକୀର କଥା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।  ଗୋଲାପ ସମସ୍ତଙ୍କ ଆଦର ପାଉଥିବା ବେଳେ କେତକୀ ଦିଅଁଙ୍କୁ ଲାଗି ହୋଇ ନପାରିବାର ଦୁଃଖରେ ମ୍ରିୟମାଣା । ଜୀବନ ଠିକ୍ ଏମିତି କେବେ ଦୁଃଖ ଭିତରେ ସୁଖ ପୁଣି ସୁଖ ବି ମୂଲ୍ୟହୀନ। କବିତା ମାଧ୍ୟମରେ କବି କେବେ ବୁଢିଆଣୀ ଜାଲରେ ସୃଜନଶୀଳତା ଖୋଜୁଛନ୍ତି ତ କେବେ ଟିକେ ସ୍ନେହ ପାଇଁ ଧୂଳିରେ ଗଡ଼ି ଯାଇଛନ୍ତି।  ଭକ୍ତିର ଗୀତ ଗାଇ ବିକାର ଗସ୍ତ ମନକୁ ମଙ୍ଗଳମୟ କରିବାକୁ ପ୍ରୟାସ କରିଛନ୍ତି  । କବିର ଜୀବନ ଛାଇ ଆଲୁଅର ଖେଳ ପରି ।  ଏହି ସଙ୍କଳନର ଅନେକ କବିତାରେ କବି ଜୀବନ ପ୍ରତି ଏକ ସକାରାତ୍ମକ ଚିନ୍ତାଧାରା ରଖିବା ପାଇଁ ଆହ୍ବାନ ଦେଇଛନ୍ତି।  ଦୁଃଖ,  କଷ୍ଟ, ଆଲୁଅ,  ଅନ୍ଧାର ଯେତେ ସବୁ ଅବସ୍ଥା ଆସିଲେ ବି ଜୀବନ।ସବୁବେଳେ ଗତିଶୀଳ । ଆଶା ଓ ଆଶ୍ୱାସନାକୁ ନେଇ ବଞ୍ଚିବାକୁ ହୁଏ। ଜୀବନ ଜୀଇଁବାକୁ ହୁଏ।

ଏହି କବିତା ସଙ୍କଳନଟି  ଅନେକାଂଶରେ ଆଧୁନିକ କବିତାର ସମାହାର ହୋଇଥିବା ବେଳେ କିଛି କବିତାରେ ରୀତିଯୁଗୀୟ କବିତାର ଛାପ ଦେଖିବାକୁ ମିଳେ।  ସଙ୍କଳନସ୍ଥ ଅନେକ୍ କବିତାର ଶବ୍ଦ ଭଞ୍ଜ ସାହିତ୍ୟ ସହିତ ସାମଞ୍ଜସ୍ୟ ରଖୁଛି।  କେତୋଟି ସ୍ଥାନରେ କିଛି ବନାନଗତ ତ୍ରୁଟି ମଧ୍ଯ ପରିଲକ୍ଷିତ ହେଉଛି ।  ଅନକେ କବିତା ଦୀର୍ଘ ହୋଇଥିବା ବେଳେ କିଛି କବିତାର କଳେବର ଅତ୍ୟନ୍ତ କ୍ଷୁଦ୍ର ରହିଛି।  କିନ୍ତୁ ମୋଟାମୋଟି ଭାବରେ କହିବାକୁ ଗଲେ ଏହି ସଙ୍କଳନର ସମସ୍ତ କବିତା ଭିନ୍ନ ଭିନ୍ନ ଭାବରେ ସ୍ଵତନ୍ତ୍ର। ଓଡ଼ିଆ ସାହିତ୍ୟ ଜଗତ ପାଇଁ ନିଶ୍ଚିତ ଭାବରେ ଏହା ଏକ ମୂଲ୍ୟବାନ୍  କୃତି ସାବ୍ୟସ୍ତ ହେବ ଏଥିରେ କିଛି ସନ୍ଦେହ ନାହିଁ  ।

Leave A Reply

Your email address will not be published.