ଭୁବନେଶ୍ବର:ବିଶ୍ବରେ ଅନେକ ପ୍ରଜାତିର ସାପ ଅଛନ୍ତି । ତେବେ ଦୁନିଆରେ ଏମିତି ଏକ ବିଷାକ୍ତ ସାପ ରହିଛି, ଯାହା ମଣିଷକୁ ଚୋଟ ମାରିବା ମାତ୍ରେ ଶରୀରର ପ୍ରତିଟି ସ୍ଥାନରୁ ରକ୍ତସ୍ରାବ ହୋଇଥାଏ । ଆପଣ ଜାଣିଛନ୍ତି କି ଏହି ସାପର ନାଁ କଣ ? ସାପର ନାଁ ହେଲା ବୁମସ୍ଲାଙ୍ଗ । ବୁମସ୍ଲାଙ୍ଗ ବିଷ ଏତେ ଘାତକ ଯେ , ବିଷର ଗୋଟିଏ ବୁନ୍ଦାରେ ୪୦୦ ରୁ ୫୦୦ ଲୋକଙ୍କ ମୃତ୍ୟୁ ହୋଇପାରେ ।
ଆଫ୍ରିକାର ଜଙ୍ଗଲରେ ବୃକ୍ଷରେ ମିଳୁଥିବା ବୁମସ୍ଲାଙ୍ଗ ସାପ, ଯାହାର ବୈଜ୍ଞାନିକ ନାମ ‘ଡିସଫୋଲିଡସ୍ ଟାଇପସ୍’। ଏହି ସାପ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ । ସବୁଜ, ହଳଦିଆ, ବାଦାମୀ ଏବଂ ଗୋଲାପୀ ରଙ୍ଗର ଚର୍ମ ଏବଂ ବଡ଼ ଆଖି ଥାଏ । ଏହା ଅତ୍ୟଧିକ ବିଷାକ୍ତ ସାପ ଅଟେ । ଏହି ସାପଟିର ବିଷ ହିମୋଟକ୍ସିନ ଶ୍ରେଣୀର ହୋଇଥାଏ ।
ଏହି ସାପଟି ଯେତେବେଳେ କାହାକୁ ଦଂଶନ କରେ , ତାହାର ବିଷ ଶରୀରକୁ ପ୍ରବେଶ କରିବା ମାତ୍ରେ ହିଁ ଶରୀରର ରକ୍ତ ଜମାଟ ପ୍ରକ୍ରିୟା ବନ୍ଦ ହୋଇଯାଏ । ଏହାର ପ୍ରଭାବ ସିଧାସଳଖ ଶରୀରର ରକ୍ତପ୍ରବାହ ଉପରେ ପଡିଥାଏ । ଫଳରେ ରକ୍ତ ପତଳା ହୋଇଯାଇ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତ ବାହାରିଥାଏ । ଶରୀରର ବାହ୍ୟ ଓ ଆଭ୍ୟନ୍ତରୀଣରୁ ରକ୍ତସ୍ରାବ ହେବାକୁ ଲାଗେ । ଏଥିସହ ଅସହ୍ୟ ମୁଣ୍ଡବିନ୍ଧା, ମୂର୍ଚ୍ଛାଯିବା ଲକ୍ଷଣ ଦେଖାଯାଏ ଓ ଏବଂ ଶେଷରେ ସେହି ବ୍ୟକ୍ତି ଏକ ଯନ୍ତ୍ରଣାଦାୟକ ମୃତ୍ୟୁରେ ମରିଯାଏ ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ସାପ କାମୁଡ଼ିଥିବା ବ୍ୟକ୍ତିକୁ ଯଦି ଠିକ୍ ସମୟରେ ବୁମସ୍ଲାଙ୍ଗର ଆଣ୍ଟିଭେନୋମ ଡୋଜ ନ ଦିଆଯାଏ ତେବେ ସେ ମରିବା ନିଶ୍ଚିତ।
Comments are closed.