Latest Odisha News

ବୌଦ୍ଧରେ ଆଜିଠୁଁ ଆରମ୍ଭ ଆଧ୍ୟାତ୍ମିକ ଧନୁଯାତ୍ରା

ବୌଦ୍ଧ: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲୋକପ୍ରିୟତା ହାସଲ କରିଥିବା ବେଳେ, ବୌଦ୍ଧର ଆଧ୍ୟାତ୍ମିକ ଧନୁଯାତ୍ରା ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ବରଗଡ଼ ପରି ଏଠାରେ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ ହୁଏ ଧନୁଯାତ୍ରା। ଐତିହାସକ ବୌଦ୍ଧ ସହରରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ଓ କଂସବଧ ନାଟ୍ୟତ୍ସୋବ ଆଜିଠାରୁ ଆରମ୍ଭ ହେଉଛି ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଯାଇଛି । ମଦନମୋହନ ନାଟ୍ୟ କଳାପରିଷଦର ସଭାପତି ବିଶ୍ୱରଂଜନ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହେଉଥିବା ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ଓ କଂସବଧ ନାଟ୍ୟତ୍ସୋବକୁ ମହାସମାରୋହରେ ପାଳନ କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା ଚଳାଇଛନ୍ତି ।

ଏହି ଯାତ୍ରା ୭ ଦିନ ଧରି ପାରମ୍ପରିକ ଯାତ୍ରା ନାଟ୍ୟ ଶୈଳୀରେ ପରିବେଷଣ କରାଯିବା ସହ ଧନୁସଂକ୍ରାନ୍ତି ଅବସରରେ ଉଦଯାପିତ ହେବ । ପ୍ରତ୍ୟେକ ଦିନ କଂସ ମହାରାଜଙ୍କ ଦରବାର ସହିତ ନିର୍ବାକ୍ ନୃତ୍ୟନାଟିକା ଓ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପରିବେଶଣ କରାଯିବ ଯାହା ଦର୍ଶକମାନଙ୍କୁ ବିଶେଷ ଆକର୍ଷିତ କରିଥାଏ ।

ଶେଷ ଦିବସରେ କଂସ ମହାରାଜ ଓ କୃଷ୍ଣ ବଳାରାମଙ୍କ ସହର ପରିକ୍ରମା କରିବା ସହ ୫ କିମି ବ୍ୟାପ୍ତ ମୁକ୍ତାକାଶ ରଂଗମଂଚରେ ଯାତ୍ରାର ବିଭିନ୍ନ ନାଟ୍ୟାଶଂକୁ ମଂଚସ୍ଥ କରାଯିବ ।

ବୌଦ୍ଧ ଏକ ପୁରାତନ ଗଡଜାତ ଅଂଚଳ । ନିଜର କଳା, ଐତିହ ଓ ସଂସ୍କୃତିକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି । ବର୍ଷସାରା ହେଉଥିବା ପର୍ବପର୍ବାଣୀ ଏବଂ ଯାନିଯାତ୍ରାରେ ନିଜର ଲୋକ କଳା, ଲୋକନୃତ୍ୟ, ଲୋକ ଗୀତ, ଲୋକ ସଂସ୍କୃତି ଏବଂ ଏøତିହକୁ ଜନମାନସରେ ପ୍ରଚାରିତ କରିଥାଏ । ବୌଦ୍ଧ ସହରରେ ଏକ ସ୍ୱତନ୍ତ୍ର ଯାତ୍ରା ଭାବେ ଖ୍ୟାତି ଲାଭ କରିଥିବା ଆଧ୍ୟାତ୍ମିକ ଧନୁଯାତ୍ରା ଓ କଂସବଧ ନାଟ୍ୟ ମହୋତ୍ସବ ମଂଗଳବାର ଠାରୁ ଅନୁଷ୍ଠିତ ହେଉଛି ।

ଯାହା ଫଳରେ ସମଗ୍ର ବୌଦ୍ଧ ସହର ୮ ଦିନ ଧରି ମଥୁରା ନଗରୀ ପାଲଟିବା ସହିତ ସହର ସାରା ଉତ୍ସବର ମାହୋଲ ସୃଷ୍ଟି ହେବ । ସହରରେ ଥିବା ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ୨୦୦୭ ମସିହାରୁ ହୃଦାନନ୍ଦ ମେହେର ଓ ଅନ୍ୟମାନଙ୍କ ଉଦ୍ୟମରେ ପ୍ରଥମେ ଏହି ନାଟ୍ୟୋତ୍ସବ ଆରମ୍ଭ ହୋଇଥିଲା ।

ପ୍ରଥମ ବର୍ଷ ଏହି ଯାତ୍ରା ୩ ଦିନ ଧରି ହେଉଥିଲା । ସେହିଦିନ ଠାରୁ ଏହି ନାଟ୍ୟୋତ୍ସବ ମଦନମୋହନ କଳା ପରିଷଦ ପକ୍ଷରୁ ପାଳିତ ହୋଇଆସୁଅଛି । ପରେ ପରେ ଏହି ଯାତ୍ରାକୁ ସୁନ୍ଦର ଓ ଆକୃଷ୍ଟ କରିବା ପାଇଁ ସହରର କିଛି ବୁଦ୍ଧିଜୀବୀଙ୍କ ପ୍ରଚଷ୍ଟାରେ ଆଗକୁ ବଢିବାକୁ ହାତ ବଢାଇଥିଲେ ।

ବୌଦ୍ଧର ଧନୁଯାତ୍ରା ଏବର୍ଷ ତ୍ରୟୋଦଶ ତମ ବର୍ଷରେ ପହଂଚି ସାରିଥିବା ବେଳେ ଚଳିତ ବର୍ଷ ଦୀର୍ଘ ୮ ଦିନ ଧରି ଯାତ୍ରା ଅନୁଷ୍ଠିତ ହେବ । ୧୦ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଭୈରବୀ ପଡିଆରେ ନାଟ୍ୟ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇ ସାରିଛି ।

ଅନୁଷ୍ଠାନ ପକ୍ଷରୁ ଯାତ୍ରାକୁ ଆକର୍ଷଣ କରିବା ପାଇଁ ନୁତନ ନିର୍ବାକ ନୃତ୍ୟ ନାଟିକା କେଶବ ଧୃତ ନରହରୀ ରୂପ, ଜୟ ଜଗଦିଶ ହରେ ପରିବେଷଣ କରାଯିବ । ନାଟ୍ୟେତ୍ସବ ଆରମ୍ଭ ଦିନ ମହାନଦୀ ଗର୍ଭରୁ କଳା ପରିଷଦର କର୍ମକର୍ତାଙ୍କ ଦ୍ୱାରା ଜଳ ଆସିବା ପରେ ମଦନ ମୋହନ ମନ୍ଦିରରେ ପୂଜା ହୋଇଥାଏ ।

କର୍ମକର୍ତା ଓ କଳାକାର ମାନେ ମା ଭୈରବୀ ମା ଶୀତଳା, ମା ଦୁର୍ଗାଙ୍କ ପୂଜା ପରେ ନାଟକ ମଂଚରେ ମା କାଳୀଙ୍କ ପାଖରେ ପଣା ଓ ପୂଜା କରି ବ୍ରତ ଧାରଣ କରିଥାଆନ୍ତି । ସମସ୍ତ କଳକାର ଓ କର୍ମକର୍ତା ନାଟକ ଆରମ୍ଭ ଦିନ ଠାରୁ ହବିଷ୍ୟ ଆରମ୍ଭ କରିଥାଆନ୍ତି ।

ନାଟକ ଗୁଡିକ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ ହୋଇଥାଏ । ପ୍ରଥମ ଦିନ ନାଟକ ‘ଧର୍ମ ସଂସ୍ଥାପନାର୍ଥାୟ’, ଦ୍ୱିତୀୟ ରଜନୀରେ ନାଟକ ‘ସମ୍ଭବାମୀ ଯୁଗେଯୁଗେ’ , ତୃତୀୟ ରଜନୀରେ ନାଟକ ‘ମଥୁରା ର କଳାଚାନ୍ଦ ଗୋପରେ ବଢ଼ୁଛି’, ଚତୁର୍ଥ ରଜନୀରେ ନାଟକ ‘ବଂଶି ବିଳପିଲା ଜମୁନା ତଟେ’, ପଂଚମ ରଜନୀରେ ନାଟକ ‘ରାସକୁଞ୍ଜେ ରସରାଜ’, ଷଷ୍ଠ ରଜନୀରେ ନାଟକ ‘ରାଇ ମାନ ଭଞ୍ଜନ’, ସସ୍ତମ ରଜନୀରେ ନାଟକ ‘ଧନୁଭଗ୍ନ ଓ କଂସ ବଦ୍ଧ’ ପରିବେଷଣ ହେବ ।

ଅନ୍ତିମ ଉତ୍ସବ ଭାବେ ୧୭ ତାରିଖ ସଂନ୍ଧ୍ୟାରେ ଶ୍ରୀକୃଷ୍ନ ବଳରାମଙ୍କ ନଗର ପରିକ୍ରମା କରାଯିବ ବୋଲି କଳା ପରିଷଦ ପକ୍ଷରୁ ସୁଚନା ଦିଆଯାଇଛି । ୮ ଦିନ ଧରି ହେବାକୁ ଥିବା ସମସ୍ତ ନାଟକ ଓ ନୃତ୍ୟ ନାଟିକା ଗୁଡିକୁ କଳାପରିଷର ହୃଦାନନ୍ଦ ମେହେର ରଚନା କରିଅଛନ୍ତି । ଅନୁଷ୍ଠାନର କଳାକାରମାନେ ବିଭିନ୍ନ ନାଟକରେ ନିଜ ନିଜର କଳା ନିପୁଣତାକୁ ବିଭିନ୍ନ ଭୂମିକାରେ ପ୍ରଦର୍ଶନ କରିବେ ।

Leave A Reply

Your email address will not be published.