ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଚଣ୍ଡୀଗଡ଼ର ଏକ ପ୍ରକାଶନ ସଂସ୍ଥାରେ ଦୀର୍ଘ ଦିନ ଧରି କାମ କରୁଥିଲା ବସନ୍ତ। ସେ ଥିଲା କପି ଏଡିଟର। ମାନେ ଯେ କୌଣସି ଲେଖା ଛାପା ହେବା ପାଇଁ ପ୍ରେସକୁ ଯିବା ପୂର୍ବରୁ, ତାକୁ ତନ୍ନ ତନ୍ନ କରି ପଢ଼ିବା, ସେଥିରେ ଆବଶ୍ୟକ ସଂଶୋଧନ କରିବା, ଅନାବଶ୍ୟକ ତଥ୍ୟ ଏବଂ ଶବ୍ଦ ସବୁକୁ ବାଦ୍ ଦେବା ଏବଂ ଦରକାର ପଡ଼ିଲେ କୌଣସି ଏକ ଅନୁଚ୍ଛେଦର ଶବ୍ଦବିନ୍ୟାସରେ ପରିବର୍ତ୍ତନ କରି ତାକୁ ସୁନ୍ଦର ରୂପେ ଲେଖିବା ଥିଲା ବସନ୍ତର କାମ। ତେବେ ଅଫିସରେ ଯେତେ ସବୁ କାମ ଥିଲେ ବି, ତାକୁ ଠିକ୍ ସମୟରେ ସାରିଦେଇ, ସେ ବାହାରି ଯାଏ ସୁଖନା ଲେକ୍ ନିକଟକୁ। ହଁ ଏକ ବଡ଼ ସହରର ଗୋଟିଏ ବଡ଼ ପୋଖରୀ ବୋଲି ତାକୁ କୁହାଯାଇପାରେ। ଲେକ୍ ମାନେ ଯଦି ହ୍ରଦ, କିନ୍ତୁ ଏଇ ସୁଖନା ଲେକ୍ ଆମ ଚିଲିକାର ଠାଏ ଠାଏ ଗଢ଼ି ଉଠିଥିବା ଚିଙ୍ଗୁଡ଼ି ଘେରିରୁ ଗୋଟିଏ ଦୁଇଟାକୁ ଏକାଠି କରିଦେଲେ, ଯେତିକି ହେବ ସେତିକି। ତଥାପି ପାଣି ତାକୁ ଆକର୍ଷିତ କରେ। ସେଥିପାଇଁ ସେ ସନ୍ଧ୍ୟା ହେଲେ ସୁଖନା ହ୍ରଦର କୂଳରେ ଯାଇ ବସେ। ତୁଠ ପାହାଚରେ ଜୋତା ଦୁଇଟାକୁ ରଖି ଦେଇ ସେ ପାଣିରେ ପାଦ ବୁଡ଼ାଇ ବସେ। ଲୋକମାନେ ବୋଟରେ ବସି ପେଡାଲ ମାରି ପାଣି ଭିତରେ ଘୂରି ଆସନ୍ତି। କେହି କେହି ପ୍ରେମୀ ଯୁଗଳ ପାଣି କୂଳରେ ବସି ପରସ୍ପରର ଦୃଷ୍ଟି ଭିତରେ ବାନ୍ଧି ହୋଇଥାନ୍ତି। ବୁଲାବିକାଳି ଚେନାଚୂର, ବାରମଜା, ଚିନାବାଦାମ ବିକ୍ରି କରି ବୁଲୁଥାନ୍ତି। କେବେ କେବେ ଖୁବ୍ କମ୍ ଲୋକ ଥାଆନ୍ତି, ପୁଣି କେବେ ଏତେ ଲୋକ ଯେ, ସୁଖନା କୂଳରେ ଟିକିଏ ପାଦ ରଖିବାକୁ ସ୍ଥାନ ମିଳେନି। କିନ୍ତୁ ଏ ସବୁ ସତ୍ତ୍ୱେ ବସନ୍ତ ସେଠାକୁ ନିଶ୍ଚୟ ଯାଏ।
ଅନେକ ସମୟରେ ତାର ଇଚ୍ଛା ହୁଏ ସେହି ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଅବସ୍ଥାରେ ହିଁ ପାଣି ଭିତରକୁ ଡେଇଁ ପଡ଼ିବାକୁ। ମନ ଭରି ଟିକିଏ ପହଁରି ଆସିବାକୁ ଇଚ୍ଛା ହୁଏ ତାର। ହେଲେ ଠାଁ କୁ ଠାଁ ସେଠାରେ ଫଳକ ଲାଗିଛି। ପାଣି ଭିତରେ ଗାଧୋଇବା ମନା। ଯଦି କେହି ଏପରି କରେ, ତାହେଲେ ଜୋରିମାନା ତଣ୍ଡିବାକୁ ହେବ। ତେଣୁ ବସନ୍ତ ନିଜକୁ ନିୟନ୍ତ୍ରଣ କରେ। ତଥାପି ଦିନେ ଆଉ ତା ମନ ମାନିଲା ନାହିଁ। ସୁଖନା କୂଳରେ ସମସ୍ତେ ଦେଖୁଥାନ୍ତି, ବସନ୍ତ କେବଳ ନିଜର ଜୋତା ଦୁଇଟିକୁ ତୁଠ ପାହାଚ ଉପରେ ରଖିଦେଇ ଗୋଟିଏ ଲମ୍ଫ ମାରିଲା ପାଣିକୁ। ତା ପରେ ହାତ ଗୋଡ଼ ଛାଟି ପହଁରି ଚାଲିଲା ଆଗକୁ ଆଗକୁ। କେତେବେଳେ ବୁଡ଼ି ବୁଡ଼ି ପହଁରୁ ଥାଏ ତ ପୁଣି କେତେବେଳେ ଛାତି ପିଟି, ପୁଣି କେବେ ପାଣିକୁଆ ଭଳି ତଳକୁ ଉପରକୁ ହୋଇ ପହଁରୁ ଥାଏ। କୂଳରେ ଥିବା ଲୋକମାନେ ତାକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି। ଏତିକି ବେଳକୁ ବସନ୍ତ ପ୍ରାୟ ପାଞ୍ଚ ଶହ ମିଟିର ପାଣି ଭିତରକୁ ପହଁରି ଚାଲି ଯାଇଥାଏ, ହଠାତ୍ ଦୁଇ ଚାରି ଜଣ ଲୋକ ଏକା ସାଙ୍ଗରେ ହୁରି ପକାଇଲେ, ଲୋକଟା ବୁଡ଼ିଯିବ। ଆଉ ସେ ବାହାରି ପାରିବନି। ଏତେ ଦୂରକୁ ପଳେଇଗଲାଣି। ବୋଧ ହୁଏ ଆତ୍ମହତ୍ୟା କରିବା ପାଇଁ ସେ ଯାଇଛି। ଏମିତି କେତେ କଣ।
କେହି କେହି ନିଜ ମୋବାଇଲ ଫୋନରେ ତାର ଫଟୋ ଏବଂ ଭିଡିଓ ରେକର୍ଡ କରିବାରେ ଲାଗି ପଡ଼ିଥିଲେ। ସେଠାରେ ମୋଟର ବୋଟ୍ ଚଳାଉଥିବା ଲୋକମାନେ ଦେଖିଲେ, ବସନ୍ତ ଖୁବ୍ ଦୂରକୁ ଚାଲିଗଲାଣି ପହଁରି ପହଁରି। ସେମାନେ ପୋଲିସ ଓ ଦମକଳ ବାହିନୀକୁ ଖବର ଦେବା ସଙ୍ଗେ ସଙ୍ଗେ ମୋଟର ବୋଟରେ ତାକୁ ଉଦ୍ଧାର କରିବା ପାଇଁ ତା ପାଖରେ ପହଞ୍ଚିଲେ। ଦେଖିଲା ବେଳକୁ ସେମାନଙ୍କୁ ଦେଖି ଅତି ଆନନ୍ଦରେ ବସନ୍ତ କହିଲା, ଆଃ ମଜା ଆଗୟା ୟାର୍ .. ଇତନେ ଦିନୋଁ କେ ବାଦ୍ ମୈଁ ଆଜ୍ ପାନିମେଁ ଉତରା .. ମଜା ଆଗୟା । ସେମାନେ ସମସ୍ତେ ଆଶ୍ଚର୍ଯ୍ୟ। ଏ କଣ, ପାଣିରେ ଏତେ ଦୂର ଆସିସାରିଲା ପରେ ବି ବସନ୍ତ ଆଦୌ କ୍ଳାନ୍ତ ହୋଇନାହିଁ ତାକୁ ସେମାନେ ଉପରକୁ ଉଠାଇବା ପାଇଁ ତା ଆଡ଼କୁ ଏକ ସୁଇମିଂ ଟ୍ୟୁବ୍ ଫିଙ୍ଗିଲେ। ସେ, ହସିଦେଇ କହିଲା, ଇସକୀ କୋଇ ଜରୁରତ୍ ନହିଁ ହୈ। ମୈଁ ଖୁଦ୍ ଚଲା ଯାଉଁଗା। .. ତା ପରେ ସେଠାରୁ ଫେରସ୍ତ ପହଁରିଲା ବସନ୍ତ। ଅତି ଆନନ୍ଦରେ ବିଭିନ୍ନ ପ୍ରକାର ପହଁରା ପହଁରି ସେ ଆସି ପହଞ୍ଚିଲା କୂଳରେ। ତାକୁ ଦେଖିବା ପାଇଁ ଚାରିଆଡୁ ଲୋକଙ୍କ ଭିଡ଼ ହୋଇଗଲା। ସେହି ଗହଳି ଭିତରେ ପଶି ତା ସାମ୍ନାରେ ଆସି ଠିଆ ହେଲା ପୋଲିସ। କିଛି କହିବା ପୂର୍ବରୁ ତାକୁ ପାହାରେ ଦେଲା। ତା ପରେ ତା ନାଁରେ କାଟିଲା ଚାଲାଣ। ହଜାରେ ଟଙ୍କା ଫାଇନ୍। ବସନ୍ତ ଅତି ଆନନ୍ଦରେ ହଜାରେ ଟଙ୍କା ଦେଇଦେଲା ପୋଲିସକୁ। ପୋଲିସ ବି ବଡ଼ ଆଶ୍ଚର୍ଯ୍ୟଜନକ ଦୃଷ୍ଟିରେ ତା ଆଡ଼କୁ ଅନାଇଲା।
ସେତେବେଳେ ସେହି କୂଳରେ ଧଇଁ ସଇଁ ହୋଇ ପହଞ୍ଚିଲେ ଦୁଇ ତିନି ଜଣ ସାମ୍ବାଦିକ। ସେଥିରେ ଜଣେ ଟିଭିବାଲା। ସମସ୍ତେ ବସନ୍ତର ପ୍ରତିକ୍ରିୟା ନେବାକୁ ଚାହିଁଲେ। ସେ କାହାକୁ କିଛି ନକହି ସେଠାରୁ ଚାଲିଆସିଲା ନିଜ ବସାକୁ। ସେଦିନ ରାତିରେ ଖୁବ୍ ଆନନ୍ଦିତ ଥିଲା ସେ। ଏତେ ଦିନ ପରେ ପାଣିରେ ଏତେ ଦୂର ପହଁରିଥିବାରୁ, ତାକୁ ତା ଗାଁ କଥା ମନେ ପଡ଼ିଯାଉଥିଲା। ଖୁବ୍ ଶାନ୍ତିରେ ଶୋଇଥିଲା ସେ। କିନ୍ତୁ ତା ପରଦିନ ସକାଳୁ ସବୁ ଖବରକାଗଜର ସହର ପୃଷ୍ଠାରେ ବସନ୍ତର ଫଟୋ। ମୋବାଇଲ ଦେଖିଲା ବସନ୍ତ। ତା ଅଫିସରୁ ଜଣେ ସହକର୍ମୀ ତାକୁ ଗୋଟିଏ ଭାଇରାଲ ଭିଡିଓ ପଠାଇଛନ୍ତି। ସେ ତାକୁ ଖୋଲି ଦେଖିଲା ବେଳକୁ, ସେ ଭିଡିଓ ଥିଲା ତାର ନିଜର। ସୁଖନା ଲେକରେ ପହଁରୁ ଥିବା ଭିଡିଓ। ସେଦିନ ଅଫିସରେ ଯେତେବେଳେ ପହଞ୍ଚିଲା ବସନ୍ତ, ତା ସମ୍ପାଦକ ଆସି ସିଧା ତା ପାଖରେ ହାଜର। କହିଲେ, ଆରେ ତମେ ସିନା ଦୁନିଆ ପାଇଁ କପି ଲେଖିବ, ନିଜେ ଯଦି କପି ହେଇଯିବ ବା କପିର ତଥ୍ୟ ହୋଇଯିବ, ତାହେଲେ ଫାଇଦା କଣ? ଏବେ ଲୋକମାନେ ତମକୁ ଖୋଜି ଖୋଜି ଆମ ଆଫିସକୁ ଆସିବେ। ଅଯଥାରେ ଅନ୍ୟମାନଙ୍କ କାମକୁ ଭଣ୍ଡୁର କରିବେ । ସେଥିପାଇଁ ଏଇଟା ଭଲ ହେବ, ଯଦି ତମେ ଏଇଠୁ ଚାକିରି ଛାଡ଼ି ଅନ୍ୟ କେଉଁଠି କିଛି ବ୍ୟବସ୍ଥା ଦେଖିବ। କାରଣ ତମଭଳି ନିୟମ ମାନୁନଥିବା ଲୋକଙ୍କୁ ରଖି ଅଯଥାରେ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବାର କିଛି କାରଣ ନାହିଁ।
ବସନ୍ତର ମୁହଁରେ ଥିଲା ଏକ ପରିତୃପ୍ତିର ହସ। ତା ହସ ଦେଖି ଅଫିସରେ ଥିବା ଅନ୍ୟ ସହକର୍ମୀମାନେ ଚକିତ ହୋଇ ତା ଆଡ଼କୁ ଅନାଉଥିଲେ। ନିଜ ଅଫିସ ଆଲମାରୀ ଖୋଲି ସେଥିରେ ଥିବା ତା ନିଜର କିଛି ବହିପତ୍ର ଏବଂ ଅନ୍ୟ ଜିନିଷପତ୍ରକୁ ଏକ ବ୍ୟାଗରେ ଭର୍ତ୍ତି କଲା ବସନ୍ତ। ଅଫିସରେ ଥିବା ଅନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ ଅଫିସରୁ ବାହାରକୁ ଆସିଗଲା। ଏତିକିବେଳେ ତା ସାମ୍ନାରେ ଠିଆ ହୋଇଥିଲେ ତା ବସ୍। କହିଲେ, କଣ ଦି ପଦ ଗାଳିରେ ସଙ୍ଗେ ସଙ୍ଗେ ଚାକିରି ଛାଡ଼ି ଘରକୁ। ତାକୁ କିଛି ବି ଜବାବ ନଦେଇ, ସିଧା ଗୋଟିଏ ମୁଗ୍ଧ ଦୃଷ୍ଟିରେ ତା ଆଡ଼କୁ ଦେଖି ଚାଲିଆସିଲା ବସନ୍ତ। ତାକୁ ଲାଗୁଥିଲା ସତେ ଯେମିତି ତାକୁ ପଞ୍ଜୁରୀ ଭିତରୁ ବାହାର କରିଦେଇ କେହି ଜଣେ ଆକାଶରେ ଉଡ଼ାଇ ଦେଉଛି। ଆଉ ସେ ଉଡ଼ି ଉଡ଼ି ଦୁଇ ହଜାର କିଲୋମିଟର ଦୂରରେ ଥିବା ତା ଗାଁରେ ପହଞ୍ଚି ଯାଇଛି।
ଚଣ୍ଡୀଗଡ଼ରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ସିଧା ଫ୍ଲାଇଟ୍ ଧରି ଭୁବନେଶ୍ୱର। ତା ପରେ ସେଠାରୁ ଯାଇ ନିଜ ଗାଁରେ ପହଞ୍ଚିଲା ବସନ୍ତ। ପ୍ରାୟ ପାଞ୍ଚ ବର୍ଷ ହେଲା ସେ ଗାଁକୁ ଆସିନଥିଲା। ଏତେ ଦିନ ପରେ ସେ ଗାଁକୁ ଆସିଛି ଦେଖି, ସାହିର ସ୍ତ୍ରୀଲୋକମାନେ ଏମିତି ଭାବେ ତାକୁ ଘେରି ଗଲେ ଯେ, ଆଉ କିଛି ପଚାରନି। ତାକୁ ହଜାରେ ପ୍ରଶ୍ନ। ଆରେ କୁଆଡ଼େ ପଳେଇଥିଲୁ ତୁ? ତତେ କିଏ ଗୁଣିଗାରେଡ଼ି କରି କୁଆଡ଼େ ନେଇଯାଇଥିଲା କିରେ? କାହା ସାଙ୍ଗରେ ବାଟ ଭୁଲି ପଳେଇ ଯାଇଥିଲୁ କି? ହଇରେ, ଏତେ ଦିନ ପରେ ତତେ ତୋ ଗାଁ ମନେ ପଡ଼ିଲା? ବସନ୍ତ କେବଳ ସମସ୍ତଙ୍କ ପ୍ରଶ୍ନ ଶୁଣି ହସିଦେଉଥାଏ। କାହାକୁ କିଛି ଜବାବ ଦେଉନଥିଲା ସେ। ସମସ୍ତଙ୍କୁ ଆଡ଼େଇ ହୋଇ ତା ଘର ଭିତରକୁ ପଶିଲା ବସନ୍ତ। ଘର ଭିତରେ ଗୋଟିଏ ମସିଣା ଉପରେ ଗଡୁଥିଲେ ତା ବାପା। ମାଆ ବସି ତାଙ୍କ ପାଦରେ ସୋରିଷ ତେଲରେ ରସୁଣ ମିଶାଇ ଫୁଟାଇଥିବା ତେଲକୁ ଧୀରେ ଧୀରେ ମାଲିସ କରୁଥାନ୍ତି। ବସନ୍ତକୁ ଦେଖି ସେ ସବୁକିଛି ଛାଡ଼ି ଦେଇ ମାଆ କହିଲେ, ମୋ ବାଆଆଆଟା କିରେ। କୁଆଡ଼େ ପଳେଇଥିଲୁ ରେ ବାଆଆଆ? ମାଆଙ୍କୁ କୁଣ୍ଢାଇ ଧରିଲା ବସନ୍ତ। ମାଆ ତା ମୁଣ୍ଡକୁ ଆଉଁସି ଦେଉଥାନ୍ତି। ଏତିକିବେଳେ ମସିଣା ଉପରୁ ଉଠି ପଡ଼ି ତାକୁ କୋଳେଇ ଧରିଲେ ବାପା। ଏତେ ଦିନ ପରେ ମାଆର ହାତ ରନ୍ଧା ମାଛ ତରକାରି ଆଉ ଭାତ ଖାଇଲା ବସନ୍ତ।
ଗାଁରେ ସମସ୍ତେ ଶୋଇଥାନ୍ତି। ପାହାନ୍ତିଆରୁ ସେ ବାହାରି ଯାଇଥିଲା ସମୁଦ୍ରକୁ। ଇଏ ସେହି ସମୁଦ୍ର ଯାହାକୁ ଦେଖି ଦେଖି ବଡ଼ ହୋଇଛି ସେ। ମାତ୍ର ଚାରି ବର୍ଷ ବୟସରେ ବାପାଙ୍କ ସାଙ୍ଗରେ ଡଙ୍ଗାରେ ବସି ଅକାତକାତ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଛି ସେ। ସେଇଠି ସେଇ ସମୁଦ୍ରର ପାଣିରେ ପହଁରା ଶିଖିଛି ପିଲାଦିନରୁ। ସେବେଠୁ ସେ ପଡ଼ିଯାଇଛି ସମୁଦ୍ରର ମୋହରେ। ସମୁଦ୍ର କେବେ ଶାନ୍ତ, କେବେ ପୁଣି ଅଥୟ। ତାରି ଭିତରେ ଉଠୁଥିବା ଜୁଆର ସବୁ ଯେମିତି ଲାଗେ ବସନ୍ତର ମନ ଭିତରେ ସୃଷ୍ଟି ହେଉଥିବା ବିଭିନ୍ନ ଭାବନା ଏବଂ ଆବେଗର ଜୁଆର। ଏଇ ସମୁଦ୍ରର ମୋହରେ ପଡ଼ି ସେ ଶିଖିଛି କବିତା ଲେଖିବା। ବିଶ୍ୱବିଦ୍ୟାଳୟରେ ପଢ଼ିଲା ବେଳେ ଅଧିକାଂଶ ସମୟରେ ସେ ବିଳମ୍ବରେ ପହଞ୍ଚେ । ସାରମାନେ କେବେ କେମିତି ତାକୁ କହନ୍ତି, ବସନ୍ତ .. ତମେ କଣ ନିୟମିତ ଭାବେ ବିଳମ୍ବରେ କ୍ଲାସକୁ ଆସୁଛ? ସେ କେବଳ ହସିଦିଏ। କୌଣସି ସାରଙ୍କୁ କିଛି କହେନି। କେବଳ ସାଙ୍ଗମାନଙ୍କୁ କହେ, ଆଜି ସମୁଦ୍ରକୁ ପଳେଇଥିଲି ତ, ସେଥିପାଇଁ ଟିକିଏ ଡେରି ହେଇଗଲା। ହଉ ବା .. ଏଇଟା ଗୋଟେ କଥା।… ତା ପରେ କହେ, ଭାଇ ପାଠ ସିନା ଛାଡ଼ିଦେବି, ହେଲେ ସମୁଦ୍ରକୁ ଛାଡ଼ି ପାରିବି ନାହିଁ। ତା ପରେ ସାଙ୍ଗମାନଙ୍କୁ କବିତା ଶୁଣାଏ। ଅତି ସୁନ୍ଦର କବିତା। ମିତ୍ରାକ୍ଷର .. ଅମିତ୍ରାକ୍ଷର .. ସବୁ ଛନ୍ଦରେ କବିତା ଲେଖୁଥିଲା ବସନ୍ତ। ସମୁଦ୍ର ଆଉ ତା ମନର ଏକ ସମାନ୍ତରାଳ ଚିତ୍ର ଦେଖିବାକୁ ମିଳୁଥିଲା ତାରି କବିତାରେ।
ହେଲେ ସେଦିନ ଯେତେବେଳେ ପାହାନ୍ତିଆରୁ ସେ ସମୁଦ୍ରରେ ପହଞ୍ଚିଲା, ତାକୁ ଲାଗିଲା, ଯେମିତି ସମୁଦ୍ରଟା ତାଠୁ ଢେର ଦୂରକୁ ଚାଲିଯାଉଛି। ପୂର୍ବାକାଶ ସିନ୍ଦୂରା ଫିଟିଲା ବେଳକୁ ବେଳାଭୂମିରେ ଠିଆ ହୋଇଥିଲା ସେ। ଏ କଣ? ଏଇଟା ତ ତା ସମୁଦ୍ର ନୁହେଁ। ଏଇଠି କଣ ବେଳାଭୂମିରେ କୁଢ଼ କୁଢ଼ ଆବର୍ଜନା। ଲାଗୁଥିଲା, ପୂରା ଦୁନିଆର ସବୁ ଆବର୍ଜନା ତା ବେଳାଭୂମିରେ ଏକାଠି ହୋଇଛି। ଟିକିଏ ଦୂରରେ କିଛି ବଡ଼ ଧରଣର ସାମୁଦ୍ରିକ ମାଛଙ୍କ ମୃତଦେହ। ପରିବେଶଟାକୁ ଅଧିକ ପୁତିଗନ୍ଧମୟ କରିଦେଉଥାଏ। ବସନ୍ତକୁ ଲାଗିଲା, ଯେମିତି କେହି ତା ସମୁଦ୍ରକୁ ଅଭିଶପ୍ତ କରିଦେଇଛି। ସେ ଆଉ କିଛି ନଭାବି ମନେ ମନେ ମଣିଷଙ୍କ ଅବିବେକୀ ପଣିଆକୁ ଧିକ୍କାର କରୁଥିଲା। ତା ପରେ ବେଳାଭୂମିରେ ଲାଗିଥିବା ତାଙ୍କ ମାଛମରା ଡଙ୍ଗାଟାକୁ ଧରି ସମୁଦ୍ର ଭିତରକୁ ଚାଲିଲା ସେ। ଅତି ଦ୍ରୁତବେଗରେ ଆହୁଲା ମାରୁଥାଏ ସେ। ସେଇ ସମୁଦ୍ରରେ କିଛି ଦୂରକୁ ଚାଲିଗଲା ପରେ ସବୁ ଶାନ୍ତ। ସେଇ ଶାନ୍ତ ଜଳରାଶି ଉପରେ ରହି ଚାରିଆଡ଼କୁ ଦେଖିଲେ କେବଳ ନୀଳବର୍ଣ୍ଣର ସମୁଦ୍ର। କହିବାକୁ ଗଲେ ପାଣି କେଉଁଟା ଆଉ ଆକାଶ କେଉଁଟା, ତାହା ଜାଣିବା ମୁସ୍କିଲ। ସେଇଠି ସେ ନିଜ ମୋବାଇଲରେ ଭିଡିଓ ରେକର୍ଡ କଲା । ତା ସହ ସେଲଫି ବି ନେଲା। ଆଉ ତାକୁ ଚଣ୍ଡୀଗଡ଼ରେ ଥିବା ତା ଅଫିସର ସମ୍ପାଦକଙ୍କ ମୋବାଇଲ ହ୍ୱାଟସଆପକୁ ପଠାଇଦେଲା ବସନ୍ତ। ତା ସମ୍ପାଦକ ସେ ଭିଡିଓ ମେସଜକୁ ଖୋଲିଲା ବେଳକୁ, ସେଥିରେ ସମୁଦ୍ର ଭିତରେ ରହି, ବସନ୍ତ ଗାଉଥିଲା ତା ନିଜ ଲେଖା କବିତା, ମୁଁ ଦରିଆ କୂଳର ପିଲା ।
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.