ବ୍ରହ୍ମପୁର: ପୋଲିସ ପାଟ୍ରୋଲିଂ ଅଭାବ ଯୋଗୁ ବ୍ରହ୍ମପୁର ସହରର ଗଳିକନ୍ଦି ଏବଂ ସର୍ବସାଧାରଣରେ କେତେକ ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବାର ନଜିର ରହିଛି । ସେମାନଙ୍କ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଉଛି । କେବଳ ସେତିକି ନୁହଁ, ଅନେକ ସମୟରେ ଅପରାଧୀକ କାଣ୍ଡ ମଧ୍ୟ ଘଟୁଛି । ଏହାକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ପୋଲିସ । ଏଣିକି ସର୍ବସାଧାରଣ ସ୍ଥାନରେ ମଦ ପିଇଲେ ପୋଲିସ ଗିରଫ କରି ଜେଲ୍ ଭିତରେ ମାରିବ ବୋଲି ଚେତାବନୀ ଦେଇଛି ।
ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏବେ ଏକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳୁଛି । ପ୍ରମୁଖ ବଜାର, ଛକ ଏବଂ ରାସ୍ତାଘାଟରେ ଏହି ପୋଷ୍ଟର ଲଗାଯାଇଛି । ବ୍ରହ୍ମପୁର ପୋଲିସ ତରଫରୁ ସହର ବ୍ୟାପି ଟଙ୍ଗା ଯାଇଥିବା ଏହି ପୋଷ୍ଟରରେ ଲେଖାଯାଇଛି ଯେ, ସର୍ବସାଧାରଣରେ ମଦ ପିଇବା ଏକ ଦଣ୍ଡନୀୟ ଅପରାଧ। ଯଦି କେହି ବାହାରେ ମଦ୍ୟପାନ କରୁଥିବା ବେଳେ ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଡ଼ବଜାର ଥାନା ପୋଲିସ ପରେ ଅନ୍ୟାନ୍ୟ ଥାନା ପୋଲିସ ମଧ୍ୟ ଏହି ପୋଷ୍ଟର ମାରିବାରେ ଲାଗି ଯାଇଛନ୍ତି ।
ସହରର ପ୍ରମୁଖ ବଜାରଗୁଡ଼ିକ ବଡ଼ବଜାର ଥାନା ପୋଲିସ ଅଧିନରେ ରହିଛି । କିନ୍ତୁ ଏହି ଅଞ୍ଚଳରେ ରାତ୍ରିକାଳୀନ ମଦ୍ୟପାନ ଯୋଗୁ ଅନେକ ଅପରାଧ ଘଟୁଛି । କେତେକ ଅସାମାଜିକ ବ୍ୟକ୍ତି ରାସ୍ତା କଡ଼ରେ ବସି ମଦ୍ୟପାନ କରୁଛନ୍ତି । ଏହି ଥାନା ଅଧିନରେ ଅନେକ ମଦ ଦୋକାନ ରହିଛି । ସନ୍ଧ୍ୟା ହେଲେ ଦୋକାନ ପାଖରେ ହିଁ ମଦ୍ୟପାନ ଚାଲୁଛି । ଠିପି ବନ୍ଦ ଦୋକାନରେ ବସି ମଦ୍ୟପାନ କରିବାକୁ କେତେକ ଅଭ୍ୟାସଗତ ବ୍ୟକ୍ତି ପଛଘୁଞ୍ଚା ଦେଉନାହାନ୍ତି। ପୋଲିସ ସନ୍ଧ୍ୟା ସମୟରେ କାଁ ଭାଁ ପାଟ୍ରୋଲିଂ କରୁଛି । ଏଣୁ ରାସ୍ତା କଡ଼ରେ ତିଆରି ହୋଇଯାଇଥିବା ଅସ୍ଥାୟୀ ବାର୍ଗୁଡ଼ିକୁ ବନ୍ଦ କରିପାରୁ ନାହିଁ ।
ଏନେଇ ବୁଦ୍ଧିଜୀବୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିଲା । ବିଗତ ଦିନରେ କେତେକ ସାମାଜିକ ସଂଗଠନର କର୍ମକର୍ତାମାନେ ନବନିଯୁକ୍ତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ୍ଙ୍କୁ ଏନେଇ ଅବଗତ କରିଥିଲେ । ପୋଲିସ ଏଦିଗରେ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ପରେ ଥାନାଗୁଡ଼ିକ ରାସ୍ତା କଡ଼ ଏବଂ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା ।
ଜିଲା ପୋଲିସ ମୁଖିଆଙ୍କ ଠାରୁ ନିର୍ଦେଶ ପାଇବା ପରେ ଥାନା ପୋଲିସ ତତ୍ପର ହୋଇପଡ଼ିଥିଲା । ବର୍ତ୍ତମାନ ପୋଷ୍ଟର ମରାଯାଇ ଚେତାବନୀ ଦିଆଯାଇଛି । ମଦ୍ୟପାନ କରୁଥିବା ବେଳେ ପୋଲିସ ଯାହାକୁ ଧରିବ, ତାଙ୍କୁ ଗିରଫ କରିବ ବୋଲି ମଧ୍ୟ ଭୟ ଦେଖାଇ ଦେଇଛି ପୋଲିସ ।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ବ୍ରହ୍ମପୁର ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । ପ୍ରମୁଖ ଛକଗୁଡ଼ିକରେ ପୋଲିସ ଗାଡ଼ି ଅଟକାଇ ଚାଳକଙ୍କ ନିଶ୍ବାସ ଯାଞ୍ଚ କରୁଛି । ସେମାନେ ମଦ୍ୟପାନ କରିଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେହିଭଳି ବିଗତ ଦିନରେ ବ୍ରହ୍ମପୁର ପୋଲିସ ସ୍ବତନ୍ତ୍ର ଭାବେ ‘ମଦ ଧରା ଗାଡ଼ି’ ମଧ୍ୟ ଆରମ୍ଭ କରିଛି । ଯଦି ରାସ୍ତାଘାଟରେ ମଦ୍ୟପାନ କରି କେହି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ତେବେ ସେମାନଙ୍କୁ ଏହି ଗାଡ଼ିରେ ବସାଇ ଥାନାକୁ ନିଆଯାଉଛି । ଜୋରିମାନା ଆଦାୟ କରାଯାଉଛି । ଏଣୁ ଉପରୋକ୍ତ ପଦକ୍ଷେପ ମଧ୍ୟ ସର୍ବସାଧାରଣରେ ମଦ୍ୟପାନ ରୋକିବା ଦିଗରେ ସହାୟକ ହେବ ବୋଲି ସହରରେ ଆଲୋଚନା ହେଉଛି ।
Comments are closed.