Latest Odisha News

BREAKING NEWS

ଓଡିଶାର ପ୍ରଥମ ‘ଡେଲିଭରି ଗାର୍ଲ’ ପ୍ରିୟଙ୍କା

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ସବୁ କାମ ଅନଲାଇନରେ ହେଉଥିବା ବେଳେ ଖାଇବା ଠାରୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ କେବଳ ଗୋଟିଏ କ୍ଲିକରେ ଆମ ହାତ ପାହାନ୍ତାରେ ଆସି ପହଞ୍ଚି ଯାଉଛି । ସେସବୁକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି ‘ଡେଲିଭରି ବୟ’ ମାନେ ।

ଭୁବନେଶ୍ୱରରେ ଏବେ ଡେଲିଭରି ବୟଙ୍କ ବଦଳରେ ଦେଖିବାକୁ ମିଳିବ ଜଣେ ଡେଲିଭରୀ ଗାର୍ଲଙ୍କୁ । ଯିଏକି ସମାଜରେ ପ୍ରଚଳିତ ହୋଇଆସୁଥିବା ଏହି ପରମ୍ପରାକୁ ଭାଙ୍ଗିବା ସହ ପାଲଟିଛନ୍ତି ସ୍ମାର୍ଟସିଟିର ପ୍ରଥମ ଡେଲିଭରି ଗାର୍ଲ ।

ସମ୍ପୃକ୍ତ ଡେଲିଭରି ଗାର୍ଲଙ୍କ ନାମ ପ୍ରିୟଙ୍କା ଏବଂ ସେ ଢେଙ୍କାନାଳର ବାସିନ୍ଦା ହୋଇଥିବା ବେଳେ ଯୁକ୍ତ ୩ର ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ମଧ୍ୟ ଅଧ୍ୟୟନ ରତ ।

୨୦୧୮ ମସିହା ନଭେମ୍ବର ମାସରେ ବିବାହ ବଦ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ଆସି ରହୁଛନ୍ତି । ପରେ ପରିବାରର ଆର୍ଥୀକ ଅନଟନ ଯୋଗୁଁ ଏକ ଘରୋଇ କମ୍ପାନୀରେ ଡେଲିଭରୀ ଗାର୍ଲ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏସମ୍ପର୍କରେ ପ୍ରିୟଙ୍କା କୁହନ୍ତି ଯେ “ମୁଁ ଚାକିରି କରିବା ପାଇଁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ପରେ ଏହି ଡେଲିଭରି ସଂସ୍ଥାରେ ରହିବା ପାଇଁ ସୁଯୋଗ ମିଳିଲା । ଯେଉଁଥିପାଇଁ ମୋ ସ୍ୱାମୀଙ୍କ ଠାରୁ ମଦ୍ୟ ପୂର୍ଣ୍ଣ ସମର୍ଥନ ମିଳିଛି” ।

ଏନେଇ କମ୍ପାନୀ ମ୍ୟାନେଜର ମନୋଜ କୁମାର ସାହୁ କହିଛନ୍ତି, “ପ୍ରିୟଙ୍କା ପୁଅମାନଙ୍କ ସହ ମିଶି କାମ କରୁଛନ୍ତି । ଏଯାବତ୍ ତାଙ୍କ ବିରୋଧରେ ଗ୍ରାହକଙ୍କ ଠାରୁ କୌଣସି ଅଭିଯୋଗ ଆସନାହିଁ । ଆମ କମ୍ପାନୀରେ ଥିବା ଡେଲିଭରି ପିଲାଙ୍କ ମଧ୍ୟରେ ପ୍ରିୟଙ୍କା ଏକମାତ୍ର ମହିଳା ଭାବେ କାର୍ଯ୍ୟ କରୁଛନ୍ତି ।

“ ଯେତେବେଳେ ପ୍ରଥମ ଅର୍ଡର ଡେଲିଭରି କରିବାକୁ ଯାଇଥିଲି, ସେସମୟରେ ବହୁତ ନର୍ଭସ ଲାଗିଥିଲା । ପରେପରେ ନିଜକୁ ସମ୍ଭାଳି ନେଇଥିଲି । ପ୍ରାୟ ୭ ମାସ ହେବ ମୁଁ ଏହି କାମ କରି ଆସୁଅଛି ଏବଂ ଗ୍ରାହକମାନେ ମଧ୍ୟ ମୋ’ କାମକୁ ପ୍ରଶଂସା କରିବା ସହ ପଜିଟିଭ୍ ରେସପୋନ୍ସ ମଧ୍ୟ ପ୍ରଦାନ କରୁଛନ୍ତି । ମୋ ସ୍ୱାମୀ ଅଜିତ କୁମାର ବିଶ୍ୱାଳ ମଧ୍ୟ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମୋତେ ବହୁତ ସହଯୋଗ ମଧ୍ୟ କରିଛନ୍ତି ।

ପ୍ରିୟଙ୍କାଙ୍କ ଏଭଳି ଉଦ୍ୟମ ସମାଜର ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।

Leave A Reply

Your email address will not be published.