Latest Odisha News

BREAKING NEWS

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପୂର୍ବରୁ ଏହି କାରଣ ପାଇଁ ଗସ୍ତ ବାତିଲ ହୋଇଥିଲା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଚଳିତ ମାସରେ ଭାରତ ଗସ୍ତ ଆସିବେ। ଦୁଇ ଦିନିଆ ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ଏପ୍ରିଲ 21ରେ ସେ ଭାରତ ପହଞ୍ଚିବେ ବୋଲି ଜଣାପଡିଛି । ବୋରିଶ ଜନସନଙ୍କ ଏହି ଗସ୍ତ ସେହି ସମୟରେ ରହିଛି ଯେଉଁ ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବୋରିଶ ଜନସନଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ରହିଛି ।

ଗତବର୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କରୋନା କାରଣରୁ ଏହି ଗସ୍ତକୁ ଦୁଇଥର ବାତିଲ କରିବାକୁ ପଡିଥିଲା। ବୋରିଶ ଜନସନ ଗତ ବର୍ଷ ଜାନୁଆରୀରେ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବାକୁ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଯାଉଥିଲେ କିନ୍ତୁ କରୋନା କାରଣରୁ ଏହି ଗସ୍ତକୁ ବାତିଲ କରିବାକୁ ପଡିଥିଲା। ଏହାପରେ ଏପ୍ରିଲରେ ମଧ୍ୟ କରୋନା କାରଣରୁ ଦ୍ୱିତୀୟ ଥର ପାଇଁ ତାଙ୍କ ଯାତ୍ରା ବାତିଲ କରିବାକୁ ପଡିଥିଲା।

ଗତ ବର୍ଷ ନଭେମ୍ବରରେ ଗ୍ଲାସକୋ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୋରିଶ ଜନସନଙ୍କ ମଧ୍ୟରେ ଶେଷ ଥର ପାଇଁ ଭେଟଘାଟ ହୋଇଥିଲା। ସେହିପରି ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ଗତ ମାସରେ ଏହି ଦୁଇ ନେତା ଫୋନ ଜରିଆରେ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିବାଦର ଅନ୍ତ ଘଟାଇବାକୁ  ଆଲୋଚନା ଏବଂ କୂଟନୀତି ଉପରେ ଜୋର ଦେବାକୁ ଆହ୍ୱାନ କରିଥିଲେ।

ଦୁଇ ନେତା ଦ୍ୱିପାକ୍ଷିକ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ। ଯେମିତିକି ବାଣିଜ୍ୟ, ଆଇଟି, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା । ସେହିପରି ଗତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ‘ଇଣ୍ଡିଆ-ୟୁକେ ରୋଡମ୍ୟାପ୍ 2030’ କାର୍ଯ୍ୟକାରୀ କରିବାରେ ଅଗ୍ରଗତିକୁ ସେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.