Latest Odisha News

BREAKING NEWS

ଆଫଗାନିସ୍ତାନ୍ ଉପରେ ପାକିସ୍ତାନର ଆକ୍ରମଣ, ୩୩ ମୃତ ଏକାଧିକ ଗୁରୁତର

ପ୍ରାୟ ୨୬ଟି ପାକିସ୍ତାନୀ ଲଢୁଆ ବିମାନ ମୀରପୁର, ମଣ୍ଡେହ, ସୈଦି ଓ କାଇ ଭଳି ଛୋଟଛୋଟ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଆକ୍ରମଣ କରିଥିଲେ

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଏତିକିବେଳେ ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣା ଅନେକଙ୍କୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଆଫଗାନ ବାସିନ୍ଦା ନିହତ ଓ ଆହତ ହୋଇଥିବା ସୂଚନା ରହିଛି ।

ଗତ ଶୁକ୍ରବାର ଆଫଗାନିସ୍ତାନକ ଖୋସ୍ତ ଓ କୁନାର୍ ଇଲାକାରେ ଆକାଶମାର୍ଗରୁ ପାକିସ୍ତାନ ଆକ୍ରମଣ କରିଥିଲା । ଏ ନେଇ ଆଜି ଆଫଗାନିସ୍ତାନ ସ୍ୱୀକାର କରିଥିଲାବେଳେ ପାକିସ୍ତାନର ଲଢୁଆ ବିମାନ ଖୋସ୍ତ ଇଲାକାର ସ୍ପୁରା ଜିଲ୍ଲା ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି ।

ଟୋଲୋ ନ୍ୟୁଜ୍ ଅନୁଯାୟୀ, ପ୍ରାୟ ୨୬ଟି ପାକିସ୍ତାନୀ ଲଢୁଆ ବିମାନ ମୀରପୁର, ମଣ୍ଡେହ, ସୈଦି ଓ କାଇ ଭଳି ଛୋଟଛୋଟ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଆକ୍ରମଣ କରିଥିଲେ । ଏଥିରେ ଦୁଇଟି ପରିବାରର ପ୍ରାୟ ୩୩ଜଣ ଆଫଗାନିସ୍ତାନ ବାସିନ୍ଦା ପ୍ରାଣ ହରାଇଥିବା ସୂଚନା ରହିଛି । ଅନ୍ୟପଟେ ସଲତାନ ଜିଲ୍ଲା ବାସିନ୍ଦାଙ୍କ ଅନୁଯାୟୀ କୁନାର୍ ଇଲାକାରେ ମଧ୍ୟ ଆକ୍ରମଣରେ ୫ଜଣ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଦାବି କରିଛନ୍ତି ।

ଏହି ଘଟଣାକୁ ପାକିସ୍ତାନ ଖଣ୍ଡନ କରିଛି । ଆକ୍ରମଣ ସାଧାରଣ ନାଗରିକ ନୁହେଁ ବରଂ ତେହରିକ-ଏ-ତାଲିବାନ-ପାକିସ୍ତାନ ନାମକ ଏକ ଆତଙ୍କବାଦୀ ସଙ୍ଗଠନକୁ ଧ୍ୱଂସ କରିବାକୁ ହୋଇଥିଲା ବୋଲି ପାକିସ୍ତାନର ବୈଦେଶିକ ବ୍ୟାପର ମନ୍ତ୍ରାଳୟ ସଫେଇ ଦେଇଛି ।

Leave A Reply

Your email address will not be published.