ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
କାମିନୀର ପୁଅକୁ ସେତେବେଳେ ମାତ୍ର ଚାରି ବର୍ଷ। ତା ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ, ଅଧିକାଂଶ ସମୟରେ ସେ ନିଜ ପୁଅକୁ ନେଇ ବାପଘର ଗାଁରେ ରହେ। ତାର ତିନି ତିନିଟା ଭାଇ। ଆଉ କାମିନୀ ଭାବେ, ତା ଭାଇମାନେ ଥିଲା ଯାଏଁ, ପୃଥିବୀରେ କିଏ କଣ, ସ୍ୱୟଂ ଇନ୍ଦ୍ର ଚନ୍ଦ୍ର ବି ତାର କିଛି କରିପାରିବେନି। ବଡ଼ ଅହଂକାରୀ ସେ। ନିଜ ଗାଁରେ ବା ଶାଶୂଘର ଗାଁରେ ଅନ୍ୟ କାହାକୁ ମାନିବା, ମାନ ସମ୍ମାନ କରିବା ତ ଦୂରର କଥା, ସେ ନିଜ ଶାଶୂ ଶ୍ୱଶୁର କିମ୍ବା ଦେଢ଼ଶୂରଙ୍କୁ ବି ମାନେନି। ତାର ଏକମାତ୍ର ଅହଂକାର, ସେ ଦୁନିଆର ସବୁଠୁ ସୁନ୍ଦରୀ, ଆଉ ତା ସ୍ୱାମୀ ଦୁନିଆର ଏକମାତ୍ର ସରକାରୀ ଚାକିରିଆ। ଅନ୍ୟସମସ୍ତେ କେଉଁ ଗାଈର ଗୋବର ଯେ, ସେମାନଙ୍କୁ ସେ ପଚାରିବ? ଭାଇମାନେ ବି କିଛି ଗୁଣରେ କମ୍ ନୁହନ୍ତି। କାମିନୀର ଅହଂକାରକୁ ସେମାନେ ବଳ ଦିଅନ୍ତି। ଶାଶୂ ଶ୍ୱଶୁରଙ୍କୁ ସମ୍ମାନ ନେଦବାକୁ ତା ଭାଇମାନେ ଏକ ସ୍ୱାଭିମାନର ପ୍ରତୀକ ଭାବେ ଗ୍ରହଣ କରିନେଇଛନ୍ତି। ଖାଲି ସେତିକି ନୁହେଁ, କାମିନୀର ଚାରି ବର୍ଷର ପୁଅ ଯେତେବେଳେ ଗାଁ ଦାଣ୍ଡରେ ଖେଳିବାକୁ ବାହାରେ, ସେତେବେଳେ ଅନ୍ୟ କାହାର ପିଲା ଖେଳିବାକୁ ହେବନାହିଁ। ଅନ୍ୟ ସମସ୍ତ ପିଲାଙ୍କ ଉପରେ କାମିନୀର କଟକଣା। ଆଉ ପିଲାମାନେ ଯଦି ଭୁଲରେ ତା ପିଲା ସହିତ ଖେଳିଲା ବେଳେ ଟିକିଏ ଖୁମ୍ପୁରା ଖୁମ୍ପୁରି ହୋଇଯାଆନ୍ତି, ତାହେଲେ କଥା ସରିଲା। କାମିନୀ ସହିତ ତା ଭାଇମାନେ ଏବଂ ମାଆ ସମସ୍ତେ ସେ ପିଲାର ଘରେ ପଶିଯାଆନ୍ତି। ସେ ପିଲାର ବାପା ମାଆଙ୍କୁ ବେଜିତ୍ କରନ୍ତି। ଦରକାର ପଡ଼ିଲେ ସେ ପିଲାକୁ ଟାଣି ଆଣି ଦି ଚଟକଣି ପିଟି ଦିଅନ୍ତି।
ଖାଲି ସେତିକି ନୁହେଁ, ଗାଁ ପୋଖରୀକୁ ଗାଧୋଇବାକୁ ଗଲେ, କାମିନୀ ଚାହେଁ, ଅନ୍ୟ କେହି ସେଠାରେ ନ ଗାଧାନ୍ତୁ। ସେଥିପାଇଁ ପ୍ରାୟ ପ୍ରତିଦିନ ଗାଁ ପୋଖରୀ ତୁଠରେ ଅନ୍ୟ ଝିଅ ବୋହୂଙ୍କ ସହିତ ତାର ତାଳ ପଡ଼େ। ଗଣ୍ଡଗୋଳ ହୁଏ। ତେଣୁ ପରିସ୍ଥିତି ଏମିତି ହେଲା ଯେ, ଶେଷକୁ ଗାଁର ଝିଅ ବୋହୂମାନେ ଯେତେବେଳେ ଦେଖନ୍ତି ଯେ, ପୋଖରୀ ତୁଠରେ କାମିନୀ ଅଛି, ତାହେଲେ ସେମାନେ ବରଂ ଅତୁଠରେ ଗୋଧୋଇ ପଡ଼ନ୍ତି ସିନା, ହେଲେ ତା ସହିତ ତୁଣ୍ଡବଜା ହୁଅନ୍ତି ନାହିଁ। ଆଉ କେବେ ଯଦି ତା ସହିତ କାହାରି ଉଚ୍ଚବାଚ ହୁଏ, ତାହେଲେ ତା ଭାଇମାନେ ସେ ଲୋକର ତେପନ ପୁରୁଷ ମନେ ପକାଇ ଦିଅନ୍ତି। ମୋଟାମୋଟି କହିବାକୁ ଗଲେ, ନିଜ ଭାଇମାନଙ୍କ ଦାଦାଗିରିରେ କାମିନୀ ଦିନକୁ ଦିନ ଶକ୍ତିଶାଳୀ ହୋଇଉଠିଛି। ତା ସ୍ୱାମୀ ଶଙ୍କର କୋଉ ବର୍ଷେ ଛଅ ମାସରେ ଥରେ ଗାଁକୁ ଆସିଲେ, ସେ ଦିନେ ଦୁଇ ଦିନ ପାଇଁ ଶାଶୂ ଘରକୁ ଯାଏ। ତା ପରେ ଶଙ୍କର କାନରେ କି ମନ୍ତ୍ର ଫୁଙ୍କେ କେଜାଣି, ସେ ବାବୁ କାମିନୀକୁ ନେଇ ଶ୍ୱଶୂର ଘରେ ହାଜର। ସିଧା ଭାଷାରେ କହିଲେ, ନିଜ କାନିରେ ଶଙ୍କରକୁ ଗଣ୍ଠି ପକାଇ ରଖିଛି କାମିନୀ। ତେଣୁ ଛଅ ମାସ ବର୍ଷକରେ ଗାଁକୁ ଆସିଲେ ବି, ଶଙ୍କର ନିଜ ବାପା ମାଆଙ୍କ ଅପେକ୍ଷା ସ୍ତ୍ରୀ ଓ ଶାଶୂଙ୍କ କଥା ବେଶୀ ଶୁଣେ।
ତେବେ ସମୟ ତ ସବୁବେଳେ ସମାନ ନଥାଏ। ଧୀରେ ଧୀରେ କାମିନୀର ଭାଇମାନେ ଜଣକ ପରେ ଜଣେ ବାହା ହେଲେ। ସେମାନଙ୍କ ଘର ସଂସାର ଆରମ୍ଭ ହେଲା। କାମିନୀ ଘରକୁ ନୂଆ ଭାଉଜମାନେ ଆସିଲେ। ବାପଘରେ କାମିନୀର ଏକାଧିପତ୍ୟ ସେହି ଭାଉଜମାନଙ୍କ ଦେହରେ ଗଲାନି। ତେଣୁ ଗଦାଏ ବାସନ ଏକାଠି ଟଣଟାଣ ହେଲା ଭଳି କାମିନୀ ସହିତ ଭାଉଜମାନଙ୍କ ତୁଣ୍ଡବଜା ଆରମ୍ଭ ହେଲା। ହେଲେ ଏଭଳି ସ୍ଥିତିରେ, ଭାଇମାନେ ପଡ଼ିଲେ ହରଡ଼ ଘଣାରେ। ସ୍ତ୍ରୀ କଥା ଶୁଣିବେ ନା ଭଉଣୀ କଥା, ସେହି ଦ୍ୱନ୍ଦ୍ୱରେ ଅନେକ ସମୟରେ ସେମାନେ ଯାହା କରନ୍ତି, ତାହା ସେମାନଙ୍କୁ ମହଙ୍ଗା ପଡ଼ିଯାଏ। କେତେବେଳେ ଭଉଣୀ ସପକ୍ଷରେ କହିଲେ ସ୍ତ୍ରୀ ନାରାଜ, ତ ଆଉ କେତେବେଳେ ସ୍ତ୍ରୀ ସପକ୍ଷରେ କହିଲେ ଭଉଣୀ ନାରାଜ। ଏଭଳି ସ୍ଥଳେ ସେମାନେ କରିବେ କଣ? ସେହି ଦ୍ୱନ୍ଦ୍ୱ ଲାଗି ରହିଥିଲା। କାମିନୀର ତିନି ଭାଇଙ୍କ ଭିତରୁ ସବାବଡ଼ ଭାଇ ତୁଳନାତ୍ମକ ଭାବେ ଅନ୍ୟ ଦୁଇ ଜଣଙ୍କଠାରୁ ଶାନ୍ତ ଓ ଭଦ୍ର। କିନ୍ତୁ ଅନ୍ୟ ଦୁଇ ଜଣ କେବଳ ବିଛୁଆତି କି ବାଇଡଙ୍କ ନୁହନ୍ତି ବରଂ ତାଠୁ ବି ଭୟଙ୍କର। ଦୁଇ ଜଣ ଯାକ ଘୋଡ଼ା ମଦୁଆ। ବେଳେ ବେଳେ ମଦ ପିଇ ଏମିତି ମାତାଲ୍ ହୋଇଯାଆନ୍ତି ଯେ, ହିତାହିତ ଜ୍ଞାନ ରହେନି ସେମାନଙ୍କର। ମଦ ନିଶାରେ ବେଳେ ବେଳେ ଅନେକ ବାଜେ କଥା କହି ଦିଅନ୍ତି ସେମାନେ। ଏମିତି ହିଁ ଦିନେ କାମିନୀର ସାନ ଭାଇ ମଦ ପିଇ ଘରକୁ ଫେରିଲା ବେଳକୁ, ତା ସ୍ତ୍ରୀ ଓ କାମିନୀ ଭିତରେ ଚାଲିଛି ମହାଭାରତ। ଗାଁଟା ଯାକର ମାଇପେ ଆସି ଦୁଆରମୁହଁରେ ଠିଆ। ଏ ଦୃଶ୍ୟ ଦେଖି, ରାଗରେ ନିଆଁଖଣ୍ଡ କାମିନୀର ଭାଇ। ସଙ୍ଗେ ସଙ୍ଗେ କାମିନୀକୁ ରଡ଼ିଛାଡ଼ି ଡାକିଲା ସେ, କହିଲା ତୁ ବି ବଡ଼ ବିଚିତ୍ର ଜନ୍ତୁ। ତତେ ବାହା ଦେବାର ଦଶ ବର୍ଷ ହେଲାଣି। ତଥାପି ତୁ ଆସି ଏଇଠି ଗୋତି ପଶୁଛୁ। ନା ନିଜେ ଠିକ୍ ଭାବେ ବଞ୍ଚୁଛୁ, ନା କାହାକୁ ବଞ୍ଚିବାକୁ ଦେଉଛୁ ତୁ । ସବୁଠୁ ଭଲ ହେବ, ଯଦି ତୁ ତୋ ଛୁଆକୁ ନେଇ ତୋ ଶାଶୂଘର ଗାଁକୁ ଚାଲିଯିବୁ। ତା ହେଲେ ତୋର ଆଉ କୌଣସି ଅସୁବିଧା ହେବନି। ଏ କଥାଟା କାମିନୀକୁ ବଡ଼ ବାଧିଥିଲା। ସେ ଏହି କଥା ଶୁଣିବା ମାତ୍ରେ ନିଆଁଖଣ୍ଡ। ଆଉ ନଖାଇ ନପିଇ ରାତାରାତି ନିଜ ଶାଶୂ ଘରକୁ ବାହାରିପଡ଼ିଲା ସେ। ସାଙ୍ଗରେ ଆଠ ବର୍ଷର ପୁଅ। ତାକୁ ଧରି ସେ ପହଞ୍ଚିଗଲା ଶାଶୂଘର ଗାଁରେ।
ଏହାରି ଭିତରେ ମହାନଦୀରେ ଅନେକ ପାଣି ବହି ସାରିଲାଣି। କାମିନୀ ଆଉ ନୂଆ ଭୁଆସୁଣୀ ହୋଇ ନାହିଁ। ତା ପୁଅ ଏମ୍.ଏ ପଢ଼ିଲାଣି। ତଥାପି କାମିନୀର ହାବଭାବରେ କୌଣସି ପରିବର୍ତ୍ତନ ଆସିନି। ଶାଶୂ ଶ୍ୱଶୁର ଆରପାରିକୁ କୋଉକାଳୁ ଗଲେଣି। ଏଣେ କାମିନୀର ବ୍ୟବହାରରେ ତା ଦେଢ଼ଶୂର, ଦିଅର ଏତେ ଅତିଷ୍ଠ ଯେ, ବାପା ମାଆ ମରିବାର ବାରଦିନ ଭିତରେ ଜମିବାଡ଼ି ସବୁ ଭାଗ ବାଣ୍ଟି ଦେଇଛନ୍ତି ସେମାନେ। ତେଣୁ କାମିନୀ ଏବେ ନା ଭାଇମାନଙ୍କ ସହିତ କୌଣସି ସମ୍ପର୍କ ରଖିଛି, ନା ଶଙ୍କରର ଭାଇମାନଙ୍କ ସହିତ। ଓଲଟା ଯେବେ ଯେଉଁଠି କୌଣସି ସୁଯୋଗ ମିଳିଲେ ନିଜ ଦେଢ଼ଶୂର, ଦିଅର ଓ ନଣନ୍ଦଙ୍କୁ ଅସମ୍ମାନିତ କରିବା ବ୍ୟତୀତ ସେ ଆଉ କିଛି କରିନି।
ଗତ କିଛି ଦିନ ହେଲାଣି କାମିନୀର ସାନଭାଇ ଅତ୍ୟନ୍ତ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଭାଇମାନେ ଅନେକ ଚେଷ୍ଟା କରି ତା ଚିକିତ୍ସା ଖର୍ଚ୍ଚ ତୁଲାଉଛନ୍ତି। ସମସ୍ତେ ଆଶାବାଦୀ, ଏ ଖବର ପାଇବା କ୍ଷଣି କାମିନୀ ନିଶ୍ଚୟ ଡାକ୍ତରଖାନାକୁ ଆସିବ। ତା ଚାକିରିଆ ସ୍ୱାମୀକୁ କହି, ଅନ୍ତତଃ କିଛି ଆର୍ଥିକ ସହାୟତା କରିବ। କିନ୍ତୁ ଦୁର୍ଭାଗ୍ୟବଶତଃ କାମିନୀ ତା ନିଜ ଦୁନିଆରୁ ବାହାରକୁ ଆସିପାରୁନି। ତା ପାଖରେ ଭାଇମାନଙ୍କ ପାଖକୁ ଯିବାକୁ ସମୟ ନାହିଁ। ଖାଲି ସମୟ କାହିଁକି, ଇଚ୍ଛା ବି ନାହିଁ।
ଏହି ଘଟଣାର କିଛି ଦିନ ପରେ କାମିନୀର ବାପାଘର ଗାଁ ମଶାଣିରେ ହୁତୁହୁତୁ ହୋଇ ଜଳୁଥିଲା ଚିତା। ମାଲଭାଇମାନେ କେତେ ଚେଷ୍ଟା କଲେ ବି ଠିକ୍ ଭାବେ ପୋଡ଼ା ଦେଉନଥିଲା ସେ ଛଅ ଫୁଟିଆ ମୃଦଦେହଟା। ସମସ୍ତେ କହୁଥିଲେ, ବୋଧ ହୁଏ ସେ କାହାକୁ ଅପେକ୍ଷା କରିଛି। ତାର କେହି ନିଜର ତା ପାଖକୁ ଆସି, ତା ଚିତାରେ କାଠ ଦୁଇଖଣ୍ଡ ପକାଇଦେଲେ ବୋଧହୁଏ ସେ ଏଇ ସଙ୍ଗେ ସଙ୍ଗେ ପାଉଁଶ ହୋଇଯିବ। ହେଲେ ସେମିତି କିଛି ହେଉନି। ମାଲଭାଇମାନେ ବାରମ୍ବାର ଦୂରକୁ ଦେଖୁଛନ୍ତି। ମଶାଣି ବାଟକୁ ଅନାଉଥାନ୍ତି। କାଳେ କେହି ଆସୁଛି କି। ହେଲେ କେହି ଆସିବାର ନାଁ ଗନ୍ଧ ନାହିଁ। ଏତିକି ବେଳେ ଜଣେ ମାଲୁଆ କହିଲା, ଆରେ ହଁ ତ, ଏହାର ତ ଗୋଟିଏ ବୋଲି ଭଉଣୀ। ହେଲେ ସେ ତ କାହିଁ ଆସିନି ଆଜି। ବୋଧହୁଏ ସେ ଅପେକ୍ଷା କରିଛି ତାକୁ ହିଁ। ଡାକ୍ତରଖାନାରେ ପଡ଼ିଥିବା କାମିନୀର ଭାଇ ଅକାଳରେ ଚାଲିଯାଇଛି ଆରପାରିକୁ। ଜୀବନତମାମ ମଦ ପିଇ ପିଇ ତା କାଳିଞ୍ଜ ପାଣି ହୋଇଯାଇଛି। ଏ ଖବର ଯେ, କାମିନୀ ପାଖରେ ପହଞ୍ଚିନି ସେ କଥା ନୁହେଁ। ହେଲେ ନିଜ ଅହଂକାରରେ ଆଜି ସେ ଭାଇର ମଲାମୁହଁ ବି ଦେଖିବାକୁ ଆସିନି। ତାକୁ ଯେତେବେଳେ ଗାଁର ଅନ୍ୟ ସ୍ତ୍ରୀ ଲୋକମାନେ ଯିବା ପାଇଁ କହିଛନ୍ତି, ସେତେବେଳେ ସେ କହିଛି, ମୋର କେହି ଭାଇ ନାହିଁ। ଯେଉଁଦିନ ସେ ତା ସ୍ତ୍ରୀର କଥା ଶୁଣି ମୋତେ ଘରୁ ବାହାରିଯିବାକୁ କହିଥିଲା, ସେଦିନ ହିଁ ସେ ମୋ ପାଇଁ ମରିସାରିଛି। ଏତିକି ବେଳକୁ ପଶ୍ଚିମାକାଶରେ ସୂର୍ଯ୍ୟ ବୁଡ଼ି ସାରିଥିଲେ। ଶୀତ ଦିନଟା ତ ଶୀଘ୍ର ଚାରିଆଡ଼େ ଅନ୍ଧାରିଆ ହୋଇଆସୁଥିଲା। ତାରି ଭିତରେ ଖୁବ୍ ଦୂରରୁ ଦେଖାଯାଉଥିଲା ମଶାଣିପଡ଼ିଆରେ ଦୀର୍ଘ ସମୟ ଧରି ଜଳୁଥିବା ସେ ନିଆଁ। ସତେ ଯେମିତି ଅପେକ୍ଷା କରିଛି ପୂର୍ଣ୍ଣାହୂତି ପାଇଁ।
ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.