Latest Odisha News

ଓଡ଼ିଶାରେ ସଂଗଠନ ତିଆରି କରିବାରେ ବିଫଳ ହେଲା ବିଆରଏସ!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କାୟା ବିସ୍ତାର କରିବ ଏବଂ ଲୋକଙ୍କ ସ୍ୱର ହେବା ସହିତ ବିରୋଧୀ ବିଜେପି ଓ କଂଗ୍ରେସର ବିକଳ୍ପ ହେବ ପରେ ଶାସକ ଦଳ ବିଜେଡିକୁ କ୍ଷମତାରୁ ହଟାଇବ ବୋଲି ଭାରତ ରାଷ୍ଚ୍ର ସମିତିର ନେତା ଯେଉଁ ବୟାନବାଜି କରୁଥିଲେ ତାହା ଏବେ କ୍ରମଶଃ ଥଣ୍ଡା ପଡ଼ିଯାଇଛି।

ତେଲେଙ୍ଗାନାର ଏହି ଦଳ ନିକଟରେ ନାମ ପରିବର୍ତ୍ତନ କରି ଟିଆରଏସରୁ ବିଆରଏସ ହୋଇଛି। ସାରା ଦେଶରେ ନିଜର ପଦ ଚିହ୍ନ ରଖିବାକୁ ଯୋଜନା ରଖିଛି। କିନ୍ତୁ ରାଜ୍ୟରେ ଅନ୍ୟ ଦଳରୁ ନେତା ଆମଦାନୀ କରି ଦଳକୁ ମଜବୁତ କରିବା ସହିତ ଯେଉଁ ପ୍ରଭାବ ପକାଇବ ବୋଲି ଯେଉଁ ଉଦ୍ଦେଶ୍ୟ ରଖିଥିଲା ତାହା କେଉଁଠି ନା କେଉଁଠି ଏବେ ପୂରଣ ହୋଇପାରୁନି ବୋଲି ଜଣାପଡ଼ିଛି। କାରଣ ବିଭିନ୍ନ ଦଳରେ ନେତା ଅସନ୍ତୁଷ୍ଟ ଥିଲେ ମଧ୍ୟ ବିଆରଏସ ପ୍ରତି ଭରସା କରିପାରୁନଥିବା ଜଣାପଡ଼ିଛି।

ବିଆରଏସ ନେତା ଶିଶିର ଗମାଙ୍ଗ କହିଛନ୍ତି, ଅନ୍ୟ ରାଜନୈତିକ ଦଳର ନେତାମାନେ ଆଶାନୁରୂପ ଯୋଗ ନଦେବାରୁ ଓଡ଼ିଶାରେ ବିଆରଏସର ଯୋଜନା ଦୁଇରୁ ତିନି ମାସ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟ ଓ ଜିଲ୍ଲା ସଙ୍ଗଠନରେ ପଦବୀ ପୂରଣ ପାଇଁ ଆମ ପାଖରେ ବରିଷ୍ଠ ନେତା ନାହାନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ସମେତ ବିଭିନ୍ନ ବର୍ଗର ଶତାଧିକ ବ୍ୟକ୍ତି ଗତ ଜାନୁଆରି ଶେଷ ସପ୍ତାହରେ ବିଆରଏସରେ ଯୋଗ ଦେଇଥିଲେ। ମାସେ ପାଇଁ ସଦସ୍ୟତା ଅଭିଯାନ ଆରମ୍ଭ କରିବା ସହ ରାଜଧାନୀରେ ଏକ ବିଶାଳ ସମାବେଶର ଆୟୋଜନ କରିବା ପାଇଁ ଯୋଜନା କରିଥିଲା ତେଲେଙ୍ଗାନାର ଏହି ଦଳ ଯେଉଁଥିରେ ବିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗଦେବାର ଯୋଜନା ଥିଲା।

ତେବେ ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଘୋଷଣା କରିବାରେ ଦଳ ବିଫଳ ହୋଇଛି। ସଦସ୍ୟତା ଅଭିଯାନକୁ ମଧ୍ୟ ସ୍ଥଗିତ ରଖାଯାଇଛି କାରଣ ବିଆରଏସ୍ ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ହେଲେ ଓଡ଼ିଶାରେ ବିଜେଡି-ବିଜେପି-କଂଗ୍ରେସ ଯେତେବେଳେ ସକ୍ରିୟ ଅଛନ୍ତି ସେତେବେଳେ ବିଆରଏସରେ ଅନ୍ୟ ନେତା ଯାଇ ସାମିଲ ହେବା ସମ୍ଭାବନା ମଧ୍ୟ ବହୁତ କମ୍।

ତେଣୁ ରାଜ୍ଯରେ ଅନ୍ୟ ଆଞ୍ଚଳିକ ଦଳ ଓଡ଼ିଶା ଜନମୋର୍ଚ୍ଚା, ଆମ ଓଡ଼ିଶା ଓ ଉତ୍କଳ ଭାରତ ପରି ଆଞ୍ଚଳିକ ଦଳ ଯେଉଁ ସ୍ଥିତି ଦେଇ ଗତି କରି ପରେ ବନ୍ଦ ହୋଇଗଲା ଏବେ ସମାନ ଅବସ୍ଥା ବିଆରଏସ ଉପରେ ଯେ ନପଡ଼ିବ ତାହା କହିବା ଅସମ୍ଭବ।

Leave A Reply

Your email address will not be published.