Latest Odisha News

ଶେଷ ହେଲା ବଜେଟ୍ ଅଧିବେଶନ: ଦରମା ବଢ଼ିବା ନିଷ୍ପତ୍ତି ନେବ କମିଟି

ଭୁବନେଶ୍ବର:  ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) ।  ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି  । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ  । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ।  ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ମଧ୍ୟ ରହିଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବାପରେ ଦରମା ବଢ଼ିପାରେ।

କାରଣ ଗତ ଜୁଲାଇ ୩୦ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ଶୂନ୍ୟକାଳରେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ  ଦରମା ବଢ଼ାଇବା ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶେଷ ଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ଆଉ ଏବେ ସବୁ ରେଟ ବଢ଼ିଥିବାରୁ ବିଧାୟକଙ୍କ ଦରମା ବି ବଢ଼ିବା ଦରକାର । 

ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି । ତାକୁ ବଢ଼ାଇବାକୁ  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ  ଦାବି କରିଥିଲେ ।

ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଥିଲେ ଯେ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ମଧ୍ୟ ବଢାଯାଉ ।  ସେପଟେ ଶେଷଦିନରେ  ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ  ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,  ଗତ ୫ ବର୍ଷ ଭିତରେ 1.1.2017ରୁ 31.01.2021  ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଚଢ଼ାଉ ବେଳେ ଏହି ୫ ବର୍ଷ ଭିତରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ସେହପରି ଆଜି ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନରେ ବସିଛନ୍ତି ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହି  ଘୋଷଣା କରିବା ପରେ ଆନୁଷ୍ଠାନିକ ଭାବେ ଜୟ ନାରାୟଣ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି।  ବିଧାୟକ ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବାରୁ ବିଧାୟକ ଦଳ ନେତା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେପି ।

Leave A Reply

Your email address will not be published.