Latest Odisha News

BREAKING NEWS

ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ଏହି ଅଧିବେଶନ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିବସରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଗାମୀ ନିର୍ବାଚନ ପୂର୍ବରୁ ପଞ୍ଚଦଶ ବିଧାନସଭାର ଏହା ହେଉଛି ଅନ୍ତିମ ଅଧିବେଶନ । ତେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ଓଡ଼ିଶା ବିଧାନସଭାରେ ତାଙ୍କର ପ୍ରଥମ ଅଭିଭାଷଣ ।

ଏହି ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳମାନେ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ଦଳ ମଧ୍ୟ ଗୃହରେ ବିରୋଧୀ ଦଳଙ୍କ ପ୍ରଶ୍ନର ଜବାବ ଦେବାକୁ ବିଭିନ୍ନ ରଣନୀତି ସହିତ ନିଜକୁ ପ୍ରସ୍ତୁତ କରିଛନ୍ତି ।

ଏହି ଅଧିବେଶନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶାସକ ଦଳ ବିଜେଡ଼ି ପକ୍ଷରୁ ବିଧାୟକ ଦଳ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଛି । ବିଜେଡ଼ି ପକ୍ଷରୁ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ତଥା ଚରମ ଅବହେଳା କଥା ଗୃହରେ ଉଠାଇବ ବୋଲି ସୂଚନା ମିଳିଛି । ସେହିପରି ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗୃହରେ କଂଗ୍ରେସ ଚାଷୀ ଓ ଚାଷୀଙ୍କ ସମସ୍ୟା, ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉଠାଇବ । ଏହି ଅଧିବେଶନରେ ବିଜେପି ମଧ୍ୟ ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛି ।

ବଜେଟ୍ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥି ନିମନ୍ତେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.