ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ବର୍ମିଂହାମରେ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆ ଅବସରରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ୨ଟି କୀର୍ତିମାନ କରିଛନ୍ତି । ବୁମରାହଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୭.୫ ଓଭରରେ ୨୫୮ ରନ କରି ଅଲଆଉଟ ହୋଇଛି । ବୁମରାହ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଏଥିସହ ସେ ଇଂଲଣ୍ଡ ମାଟିରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
ସେ ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇ ଦେଇଛନ୍ତି । ଜାଡେଜା ୩୦ ଏବଂ ବୁମରାହ ୩୧ ୱିକେଟ ନେଇଛନ୍ତି । ବୁମରାହ ଦିନିକିଆ କ୍ୟାରିୟରରେ ୧୫୦ ୱିକେଟ ଅକ୍ତିଆର କରିଛନ୍ତି । ସେ କମ ମ୍ୟାଚରେ ଏହି କୀର୍ତିମାନ କରିଛନ୍ତି । ମହମ୍ମଦ ସାମୀ ୮୦ ଏବଂ କୂଲଦୀପ ଯାଦବ ୮୮ ମ୍ୟାଚରେ ୧୫୦ ୱିକେଟ ହାସଲ କରି ତାଙ୍କଠାରୁ ଆଗରେ ରହିଛନ୍ତି । ଟି୨୦ ସିରିଜ ଭାରତ ଶୋଚନୀୟ ଭାବେ ହାରିବା ପରେ ଏବେ ସମସ୍ତଙ୍କ ନଜର ଦିିନିକିଆ ସିରିଜ ଉପରେ ରହିଛି ।