ଭୁବନେଶ୍ୱର: ପିଲାଟିଏ ଜନ୍ମ ହେବା ଦିନଠାରୁ ତା’ର ପାଠପଢ଼ା ଏବଂ ଭବିଷ୍ୟତକୁ ନେଇ ବାପାମାଆଙ୍କ ଚିନ୍ତା ଆରମ୍ଭ ହୋଇଯାଏ। କେଜିରେ ଆଡମିଶନ ଠାରୁ ଆରମ୍ଭ କରି କଲେଜ୍ ଓ ୟୁନିଭର୍ସିଟିରେ ପିଜି ସାରିବା ଯାଏଁ ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଫିସ୍ ଯୋଗାଡ଼ କରିବାକୁ ଯାଇ ଅନେକ ସମୟରେ ଅଭିଭାବକଙ୍କୁ ଧାର କରଜ ମଧ୍ୟ କରିବାକୁ ପଡ଼େ। କିନ୍ତୁ ଏବେ ଆଉ ସେହି ଚିନ୍ତା ରହିବ ନାହିଁ। କାରଣ ରାଜ୍ୟ ସରକାର ନେଇଛନ୍ତି ଏକ ଯୁଗାନ୍ତକାରୀ ନିଷ୍ପତ୍ତି, ଯାହା ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ ଆଣିଦେଇଛି ଏକ ବଡ଼ ଆଶ୍ୱସ୍ତି।
ରାଜ୍ୟରେ ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର’ ବା ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ନିର୍ବାଚନ ସମୟରେ ଦିଆଯାଇଥିବା ସବୁଠାରୁ ବଡ଼ ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ସରକାର ଏହି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ଯାହା ଫଳରେ ଏବେ ଛାତ୍ରଛାତ୍ରୀମାନେ ବିନା କୌଣସି ଆର୍ଥିକ ବାଧାବିଘ୍ନରେ ନିଜର ଉଚ୍ଚଶିକ୍ଷା ସ୍ୱପ୍ନ ପୂରଣ କରିପାରିବେ।
ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାମାନଙ୍କୁ ଆଉ କୌଣସି ପ୍ରକାରର ଟ୍ୟୁସନ୍ ଫିସ୍ କିମ୍ବା ଆଡମିଶନ୍ ଫିସ୍ ଦେବାକୁ ପଡ଼ିବ ନାହିଁ। ପ୍ରାଥମିକ ସ୍ତରରୁ ଆରମ୍ଭ କରି ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହି ଯୋଜନାର ସଫଳ ରୂପାୟନ ପାଇଁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ।
କେବଳ ମାଗଣା ଶିକ୍ଷା ନୁହେଁ, ବରଂ ଉନ୍ନତ ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଏହି ଏସଓପିରେ ଗୁରୁତ୍ୱାରୋପ କରାଯାଇଛି।
ଏହି ଯୋଜନା ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଗରିବ, ମେଧାବୀ ଏବଂ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେବେ। ଅନେକ ସମୟରେ ଦେଖାଯାଏ ଯେ ପିଲାଟିଏ ପାଠରେ ଭଲ ଥିଲେ ସୁଦ୍ଧା ଅର୍ଥାଭାବରୁ ଅଧାରୁ ପାଠ ଛାଡ଼ିଦିଏ। କିନ୍ତୁ ଏବେ ଟଙ୍କା ଅଭାବରୁ କାହାର ବି ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯିବ ନାହିଁ।
Comments are closed.