ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ । ଏହି ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଅନୁପସ୍ଥିତିରେ ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଇଂଲଣ୍ଡର ସୁଇଂ ପିଚରେ ଭାରତର ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ ।
ଏଥର ସିରିଜ କିନ୍ତୁ ଏକ ମହା ମୁକାବିଲା ଦେଖିବାକୁ ପାଇବ । ଘରୋଇ ପରିବେଶରେ ଜବରଦସ୍ତ ଫର୍ମରେ ଥିବା ଜୋ ରୁଟ ଏବଂ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ମୁକାବିଲା ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ । ପୂର୍ବ କେତୋଟି ମ୍ୟାଚରେ ରୁଟଙ୍କୁ ଆଉଟ କରିବାରେ ବୁମରାହ ସଫଳ ହୋଇଛନ୍ତି । ତାଙ୍କ ପଲା ଭାରୀ ରହିଛି । ଯଦି ଏଥର ସେହି ଫର୍ମ ବଜାୟ ରଖିବେ ତେବେ ଇଂଲଣ୍ଡ ବ୍ୟାକଫୁଟକୁ ଯିବା ନିଶ୍ଚିତ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବୁମରାହ ୩୨ ୱିକେଟ ନେଇ ଭାରତ ପାଇଁ ଏକାକୀ ଲଢ଼ିଥିଲେ । ବୁମରାହ ଟେଷ୍ଟରେ ରୁଟଙ୍କୁ ୨୪ ଇନିଂସରେ ୯ ଥର ଆଉଟ କରିଛନ୍ତି ।
ରୁଟଙ୍କ ଶୀକାର ବୁମରାହଙ୍କୁ ପସନ୍ଦ ଆସିଥାଏ । ତାଙ୍କ ପଛକୁ ପ୍ୟାଟ କମିନ୍ସ (୮)ଓ ଟ୍ରେଭିଡ ହେଡ(୬) ରହିଛନ୍ତି । ବୁମରାହଙ୍କ ବିପକ୍ଷରେ ରୁଟ ୩୧.୭୭ ଆଭରେଜରେ ୨୮୬ ରନ ସଂଗ୍ରହ କରିଛନ୍ତି । ୫୫୯ ବଲ ସାମ୍ନା କରିଥିବା ବେଳେ ୪୧୧ ଡଟ ବଲ ରହିଛି । ବୁମରାହ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ଓଭରାଲ ୧୫୦ ୱିକେଟ ନେବାର ନିକଟତର ହୋଇଛନ୍ତି । ଏଥିପାଇଁ ସେ ଆଉ ୫ଟି ୱିକେଟର ଆବଶ୍ୟକତା କରୁଛନ୍ତି ।
ଅପରପକ୍ଷରେ କୋହଲିଙ୍କ ଆନ୍ତର୍ଜାତୀୟ ଟେଷ୍ଟରୁ ଅବସର ଘୋଷଣା ପରେ ଏବେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପିଛା କରୁଛନ୍ତି । ସଚିନ ୧୫୯୨୧ ରନ କରିଥିବା ବେଳେ ରୁଟ ୧୩୦୦୬ ରନ ସଂଗ୍ରହ କରି ସାରିଛନ୍ତି । ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ୨୯୧୫ ରନ ଆବଶ୍ୟକ ହେଉଛି । ରୁଟ ୩୬ ଶତକ ମଧ୍ୟ ମାରିଛନ୍ତି । ତେବେ ଏଥିରେ ମଧ୍ୟ ସଚିନ ୫୧ ଶତକ ସହ ଆଗରେ ରହିଛନ୍ତି ।
Comments are closed.