ରାଉରକେଲା: ବଡ଼ ଡକାୟତି ପାଇଁ ଏକାଠି ହୋଇଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ଏମାନେ ନୟାବଜାର କଂଗ୍ରେସ ଭବନ ପଛରେ ଏହି ଯୋଜନା କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ, ରେହ୍ମତ ନଗରର ସାହିଦ୍ ଖାନ (୧୯) ଏବଂ ରେଲୱେ କଲୋନି ହରିଜନବସ୍ତିର କ୍ରିଷ୍ଣା ଦାସ (୧୯), ଗାନ୍ଧିରୋଡ୍ ନୂଆ ବସଷ୍ଟାଣ୍ଡ ଅଞ୍ଚଳର ସୋନୁ ସିଂ (୨୦) ଓ ବିକି ଅହମ୍ମଦ (୨୪), ରେଲୱେ କଲୋନି ଝୁମ୍ପୁଡ଼ିବସ୍ତିର ଦୀପକ ଷଣ୍ଢ (୨୯) । ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ଗୋଟିଏ ଭୁଜାଲି ଓ ୨ଟି ଲୁହାରଡ୍ ଜବତ କରିଛି ପୋଲିସ ।
ପଚରା ଉଚରା ବେଳେ ସେମାନେ ଆଖପାଖ ଦୋକାନ ଓ ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା କରୁଥିବା ସ୍ୱୀକାର କରିଛନ୍ତି । ତେବେ ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।