Latest Odisha News

BREAKING NEWS

ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ଏବଂ ପଞ୍ଜିକରଣ ପ୍ରକ୍ରିୟାକୁ ରାଜ୍ୟ ସରକାର ଅଧିକ ସରଳ ଓ ସୁବିଧାଜନକ କରିଛନ୍ତି। ଆର୍ପାଟମେଣ୍ଟ ପଞ୍ଜିକରଣ ଏବଂ ହସ୍ତାନ୍ତର ପାଇଁ ଲାଗୁ ହେଉଥିବା ଷ୍ଟାମ୍ପ ଡ୍ୟୁଟି ଏବଂ ଦେୟକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି । ଏ ସଂକ୍ରାନ୍ତରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୬ ବିଧାନସଭାରେ ଗୃହୀତ ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଏହି ବିଲ୍ ପାରିତ ପାଇଁ ଉପସ୍ଥାପନା କରିଥିଲେ । ଯାହାଦ୍ୱାରା ଘର କିଣୁଥିବା ଗ୍ରାହକ ଏବଂ ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ବଡ଼ ଆଶ୍ୱସ୍ତି ପାଇଛନ୍ତି।

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ ଅନୁଯାୟୀ ବିଲଡର ମାନେ ଆପାର୍ଟେମେଣ୍ଟର କମନ ଏରିଆ ସୋସାଇଟିକୁ ହସ୍ତାନ୍ତର କରିବା ବାଧ୍ୟତାମୂଳକ । କମନ ଏରିଆରେ ଥିବା ଖେଳ ପଡିଆ, ପାର୍କ, କମ୍ୟୁନିଟି ହଲ, ଲିଫ୍ଟ ଭଳି ସାଧାରଣ ଅଞ୍ଚଳକୁ ଆପାର୍ଟମେଣ୍ଟ ସେସାଇଟି ପରିଚାଳନା କରିବ । ହେଲେ ଏଥିପାଇଁ ଲାଗୁ ଥିବା ଅହେତୁକ ଷ୍ଟାମ୍ପ ଡ୍ୟୁଟି ଯୋଗୁଁ ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ପଡୁଥିଲା । ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ କରାଯାଇଛି ।

କମନ ଏରିଆ ପଞ୍ଜିକରଣ ପାଇଁ ଷ୍ଟାମ୍ପ ଡ୍ୟୁଟିକୁ ୫୦ ହଜାର ଟଙ୍କା ରଖାଯାଇଛି । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ହସ୍ତାନ୍ତର ଦଲିଲରେ ସାଧାରଣ କ୍ଷେତ୍ରର ଅବିଭକ୍ତ ଆନୁପାତିକ ଅଂଶକୁ ଅନ୍ତଭୁ ର୍କ୍ତ କରି ୫ ପ୍ରତିଶତ ହାରରେ ଷ୍ଟାମ୍ପ ଡ୍ୟୁଟି ଧାର୍ଯ୍ୟ କରାଯିବ । ଏହାଦ୍ୱାରା ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ହ୍ରାସ ପାଇବା ସହିତ ସରକାରୀ ରାଜସ୍ୱ ମଧ୍ୟ ସୁରକ୍ଷିତ ରହିବ । ଏହା ସହ ଆପାର୍ଟମେଣ୍ଟ ପଞ୍ଜୀକରଣ ଦେୟକୁ ୨୦ ହଜାର ଟଙ୍କାରେ ସୀମିତ କରାଯାଇଛି । ପ୍ରସ୍ତାବିତ ସଂଶୋଧନରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ର ହସ୍ତାନ୍ତର ସମୟରେ ଲାଗୁଥିବା ୩%, ୪% ଓ ୫% ସ୍ଲାବ୍ଲ ଭିତ୍ତିକ ଷ୍ଟାମ୍ପ ଡ୍ୟୁଟିକୁ ସରଳ କରି ସମସ୍ତ ଆପାର୍ଟମେଣ୍ଟ ୟୁନିଟ୍ ହସ୍ତାନ୍ତର ପାଇଁ ୫% ଏକକ ହାର ଧାର୍ଯ୍ୟ କରାଯାଇଛି ।

ଆର୍ଥିକ ଭାବେ ଦୁର୍ବଳ ବର୍ଗ ପାଇଁ ସୁଲଭ ଆବାସ ଯୋଜନା ଅଧୀନରେ ଉପଲବ୍ଧ ଘର ଉପରେ ସରକାର ପୂର୍ବରୁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଦେୟରେ ୯୦% ଛାଡ଼ ମିଳିବ । ପୂର୍ବରୁ ଅଧ୍ୟାଦେଶ ଭାବେ ଜାରି ହୋଇ ଓଡ଼ିଶା ଗେଜେଟରେ ପ୍ରକାଶିତ ଏହି ସଂଶୋଧନ ବିଧାନସଭାରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୬ ପାରିତ ହେବା ପରେ ଏହି ଅଧ୍ୟାଦେଶର ସ୍ଥାନରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧିନିୟମ, ୨୦୨୬ ଭାବେ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.