Latest Odisha News

BREAKING NEWS

ବ୍ୟଞ୍ଜନ ଦ୍ୱାଦଶୀ : ଗୌର ବିହାରରେ ମହାପ୍ରଭୁଙ୍କୁ ଲାଗିହେଲା ୬ ଶହରୁ ଅଧିକ ପ୍ରକାର ବ୍ୟଞ୍ଜନ

ପୁରୀ: ଗୋଟିଏ କି ଦୁଇ ପ୍ରକାର ନୁହେଁ ଭଳିକି ଭଳି ୬ ଶହରୁ ଉଦ୍ଧ୍ୱର୍ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଳିଆପଣ୍ଡା ସ୍ଥିତ ଗୌର ବିହାର ବା ମାତାମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମାତାମଠରେ ଦିନତମାମ ଲାଗି ରହିଥିଲା ଗହଳି ଚହଳି ।

ଦୀର୍ଘବର୍ଷ ଧରି ମାତାମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଇ ଆସୁଛି । ବିଶେଷ କରି ଗୌଡୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତି ବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ ।

ଦ୍ୱାପର ଯୁଗରେ ମା ଯଶୋଦା ସ୍ନେହ ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ପରମ୍ପରାକୁ ବଜାୟ ରଖିଛନ୍ତି ଗୌଡୀୟ ବୈଷ୍ଣବମାନେ । ଏହି ପର୍ବର ଯଥେଷ୍ଟ ପୂର୍ବରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ହୁଏ ପ୍ରସ୍ତୁତି । ପୁରୀ ତଥା ପଶ୍ଚିମବଙ୍ଗର ବହୁ ଶ୍ରଦ୍ଧାଳୁ ଶ୍ରୀ ରାଧାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି ।

ଏହାପରେ ସ୍ୱତନ୍ତ୍ର ପତ୍ରରେ ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଥିଲା ସାଧା, ମିଠା କାନିକା, ଖେଚୁଡି ଓ ଘିଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ପ୍ରକାର ଖିରି, ୫୧ପ୍ରକାର ତରକାରୀ, ୧୬୧ ପ୍ରକାର ଚଟଣୀ । ଗତକାଲି ସକାଳୁ ପରିବା ସବୁ ଅମୁଣିହା ହେବାପରେ ଆରମ୍ଭ ହୋଇଥିଲା ବ୍ୟଞ୍ଜନ ପ୍ରସ୍ତୁତି । ପ୍ରାୟ ୩୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ଲାଗିଥିଲେ । ୨୦ଟି ଚୂଲି ପ୍ରସ୍ତୁତ କରାଯାଇଥିଲା । ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.