ସିଙ୍ଗାପୁର: ଅନ୍ ଲାଇନ ଶିକ୍ଷା ଜଗତରେ କୋଟିପତିରୁ ଏବେ ଜେଲର ଅଭିଯୁକ୍ତ। ବାଇଜୁସର (Byju’s) ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନଙ୍କ ପାଇଁ ଆସିଛି ଏକ ବଡ଼ ଝଟକା। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ସିଙ୍ଗାପୁରର ଏକ କୋର୍ଟ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ଘଟଣାରୁ ଜଣାପଡିଛି ଯେ, ଗତବର୍ଷ ଏପ୍ରିଲ ମାସରେ ରବୀନ୍ଦ୍ରନଙ୍କ ସମ୍ପତ୍ତିକୁ ନେଇ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାଇଜୁସ ମୁଖ୍ୟ ଏହି ନିର୍ଦ୍ଦେଶକୁ ପାଳନ କରିନଥିଲେ। ଏହାକୁ ନେଇ କୋର୍ଟ ଅବମାନନା ମାମଲା ଚାଲିଥିଲା। ଏହି ମାମଲାରେ ଶୁଣାଣି କରି କୋର୍ଟ ତାଙ୍କୁ ଜେଲ ଦଣ୍ଡ ଦେବା ସହ ୯୦ ହଜାର ସିଙ୍ଗାପୁର ଡଲାର ଜରିମାନା ମଧ୍ୟ କରିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ଏହାଛଡ଼ା, ବାଇଜୁ ରବୀନ୍ଦ୍ରନଙ୍କୁ ବେୟାର ଇନଭେଷ୍ଟକୋ (Beeaar Investco) କମ୍ପାନୀର ମାଲିକାନା ପ୍ରମାଣିତ କରିବା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ବା କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୋଟେ ସମୟରେ ବାଇଜୁସ ଦେଶର ସବୁଠାରୁ ସଫଳ ଷ୍ଟାର୍ଟଅପ୍ ଭାବେ ପରିଗଣିତ ହେଉଥିଲା। ୨୦୧୧ରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ କରୋନା ସମୟରେ ଅନଲାଇନ ଶିକ୍ଷା କ୍ଷେତ୍ରରେ ବେଶ ଲୋକପ୍ରିୟତା ହାସଲ କରିଥିଲା। ୨୦୨୨ ବେଳକୁ କମ୍ପାନୀର ବଜାର ମୂଲ୍ୟ ୨୨ ବିଲିଅନ ଡଲାରରେ ପହଞ୍ଚିଥିଲା। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡାର ଥିଲେ ବଲିଉଡ ଅଭିନେତା ଶାହରୁଖ ଖାନ୍।
ତେବେ ପରବର୍ତ୍ତୀ ସମୟରେ କମ୍ପାନୀର ଆର୍ଥିକ ଅବସ୍ଥା ବିଗିଡ଼ିବାକୁ ଲାଗିଲା। ବଡ଼ ଧରଣର ଆର୍ଥିକ ଋଣ, ଅଡିଟରେ ବିଳମ୍ବ ଏବଂ ଆର୍ଥିକ ଅନିୟମିତତା ଭଳି ଅଭିଯୋଗ ଘେରରେ ବାଇଜୁସ ଫସିଗଲା। ବର୍ତ୍ତମାନ ରବୀନ୍ଦ୍ରନଙ୍କ ଉପରେ ପ୍ରାୟ ୧.୨ ବିଲିଅନ ଡଲାରର ଋଣ ରହିଛି। ଏହି ଗିରଫଦାରୀ ଓ ଜେଲ ଦଣ୍ଡ ଘଟଣା ବାଇଜୁସର ପତନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।
ଏଯାଏଁ ବାଇଜୁ ରବୀନ୍ଦ୍ରନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଉପରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେ ସିଙ୍ଗାପୁରରେ ଅଛନ୍ତି କିମ୍ବା ଅନ୍ୟ କୌଣସି ଦେଶକୁ ଚାଲି ଯାଇଛନ୍ତି, ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ।