Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଥିବା କୁହାଯାଉଛି। ଏହି ସାକ୍ଷାତ ଆଲୋଚନା ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳରେ କିଛି ପରିବର୍ତ୍ତନ କିମ୍ବା ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଦୀର୍ଘ ଦିନ ହେଲାଣି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ସରକାରୀ ଦଳ ଭିତରେ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ଏହି ପ୍ରକ୍ରିୟାକୁ ନେଇ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ବରିଷ୍ଠ ମନ୍ତ୍ରୀ ମଧ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ସମ୍ଭାବନାକୁ ଏଡ଼ାଇ ଦେଇନାହାନ୍ତି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିଜେପି ନେତୃତ୍ୱ ଏବେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ କଡ଼ା ନଜର ରଖିଛନ୍ତି। ଯେଉଁମାନଙ୍କ କାମରେ ସନ୍ତୋଷଜନକ ଫଳ ମିଳୁନାହିଁ, ସେମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ ଆସିପାରେ ବୋଲି ଆଶଙ୍କା କରାଯାଉଛି। ଏହା ସହିତ କିଛି ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ପ୍ରଥମଥର ପାଇଁ ବିଧାନସଭାକୁ ଆସିଥିବା କିଛି ଯୁବ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଶାସକ ଦଳର ବହୁ ଆଶାୟୀ ନେତାଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଉତ୍ସୁକତା ଦେଖିବାକୁ ମିଳୁଛି।

ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ଆବଶ୍ୟକ ପଡ଼ିଲେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରାଯିବ। ତେଣୁ ସରକାର ପ୍ରଶାସନିକ ଦକ୍ଷତା ବଢ଼ାଇବା ପାଇଁ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave A Reply

Your email address will not be published.