ନୂଆଦିଲ୍ଲୀ:୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କଲେ କେନ୍ଦ୍ର ସରକାର । ଏଥିପାଇଁ ସରକାର ମୋଟ ୨.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨,୪୪୧ ଟଙ୍କା ସ୍ଥିର କରାଯାଇଛି, ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ୭୨ ଟଙ୍କା ଅଧିକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଅନୁମୋଦନ କରିଛି । ୨୦୨୬-୨୭ ଖରିଫ୍ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି ।ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜି ଉପରେ କ୍ୱିଣ୍ଟାଲ ପିଛା ୬୨୨ ଟଙ୍କାର ସବୁଠୁ ଅଧିକ ଏମଏସପି ବୃଦ୍ଧି କରାଯାଇଛି । ଏହାପରେ କପା କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା, ଅଳସୀ କ୍ୱିଣ୍ଟାଲ ପିଛା ୫୧୫ ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଧାନ ଏବଂ ଗ୍ରେଡ୍ ଏ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି ।
ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି ।
ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମ ପାଇଁ ପ୍ରଯୁଜ୍ୟ ମୂଲ୍ୟ ସାମିଲ ରହିଛି ।
ପ୍ରତ୍ୟେକ ଫସଲ ଋତୁ ପୂର୍ବରୁ, ସରକାର CACP – କୃଷି ଖର୍ଚ୍ଚ ଏବଂ ମୂଲ୍ୟ କମିଶନର ସୁପାରିଶ ଆଧାରରେ MSP ନିର୍ଣ୍ଣୟ କରନ୍ତି। ବମ୍ପର ଅମଳ ସମୟରେ ଯେତେବେଳେ ବଜାର ମୂଲ୍ୟ ହ୍ରାସ ପାଏ MSP ଚାଷୀଙ୍କ ପାଇଁ ଏକ ସ୍ଥିର ମୂଲ୍ୟ ଭାବରେ କାର୍ଯ୍ୟ କରେ। ମୂଳତଃ, ଏହା ଏକ ପ୍ରକାର ବୀମା ନୀତି ଭାବରେ କାର୍ଯ୍ୟ କରେ । ଯାହାଦ୍ବାରା ଚାଷୀମାନଙ୍କୁ ମୂଲ୍ୟ ହ୍ରାସରୁ ସୁରକ୍ଷା ପ୍ରଦାନ କରେ ।