Latest Odisha News

BREAKING NEWS

ମୋଦିଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ଆସନ୍ତା ୨୦ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ବର୍ଷକର ରିପୋର୍ଟ କାର୍ଡ ସହ ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି । ତେଣୁ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ କରିବା ପରେ ଖାଲି ପଡିଥିବା ମନ୍ତ୍ରୀପଦ ପୂରଣ କରାଯିବ । ବର୍ଷେ ଧରି ୬ମନ୍ତ୍ରୀ ପଦ ଖାଲି ପଡିଥିବା ବେଳେ ଏକାଧିକ ବିଭାଗ ଯୋଗୁଁ ଭାରାକ୍ରାନ୍ତ ହୋଇ ରହିଛନ୍ତି ମନ୍ତ୍ରୀ । ତେବେ ପ୍ରଦର୍ଶନ ଭିତ୍ତିରେ କିଛି ମନ୍ତ୍ରୀଙ୍କ ପଦ ଯିବା ସହ କିଛି ନୂଆ ମୁହଁ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡା ଯାତ୍ରା ପରେ ହେବ ସେନେଇ ଚୂଡାନ୍ତ କରାଯାଇନି । ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀମାନେ ସେମାନଙ୍କ ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସାରିଛନ୍ତି । ରିପୋର୍ଟ କାର୍ଡ ଆଧାରରେ କେଉଁ ମନ୍ତ୍ରୀ ରହିବେ ଓ କେଉଁ ମନ୍ତ୍ରୀଙ୍କ ପଦ ଯିବ ସେନେଇ ନିଷ୍ପତ୍ତି ନିଆଯିବ । ମିଳିଥିବା ସୂଚନା ଅନୁସାରେ, ସରକାରର ନୂଆ ମନ୍ତ୍ରିମଣ୍ଡଳ ନେଇ ନକ୍ସା ପ୍ରସ୍ତୁତ ସରିଛି । ମନ୍ତ୍ରିମଣ୍ଡଳରୁ କିଏ ବାଦ ପଡିବେ, କିଏ ରହିବେ ସେନେଇ ଆପାତତଃ ନିଷ୍ପତ୍ତି ନିଆସରିଛି । ତେବେ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଓ ମୋଦିଙ୍କ ଗସ୍ତ ଦୃଷ୍ଟିରୁ ଏହାକୁ ଗୋପନୀୟ ରଖାଯାଇଥିବା ଚର୍ଚ୍ଚା ହେଉଛି ।

ବିଦା ହେବେ ୩ରୁ ୪ ! 

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ଜଣ ମନ୍ତ୍ରୀ ହୋଇପାରିବେ । ତେବେ ଗତ ବର୍ଷକ ମଧ୍ୟରେ ୬ମନ୍ତ୍ରୀ ପଦ ଖାଲି ପଡିଛି । ମୁଖ୍ୟମନ୍ତ୍ରୀ, ୨ଉପମୁଖ୍ୟମନ୍ତ୍ରୀ, ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଦର୍ଶନ ଭିତ୍ତିରେ କିଛି ମନ୍ତ୍ରୀଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବିବାଦୀୟ ମନ୍ତବ୍ୟ ସହ ଗତ ବର୍ଷକ ମଧ୍ୟରେ ଯେଉଁ ମନ୍ତ୍ରୀମାନେ ଆଶାଜନକ ଭାବେ ପ୍ରଦର୍ଶନ କରିନାହାନ୍ତି, ସେମାନଙ୍କୁ ବାଦ ଦିଆଯାଇପାରେ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ୩ରୁ ୪ଜଣ ମନ୍ତ୍ରୀ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାସହ ଅନେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯାଇପାରେ । ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିବା ସହ ପ୍ରାୟ ସବୁ ଜିଲ୍ଲା ବୁଲି ସାରିଛନ୍ତି । ତେଣୁ ପ୍ରଦର୍ଶନ ଭିତ୍ତିରେ ନିଷ୍ପତ୍ତି ନେଇପାରନ୍ତି ।

ମନ୍ତ୍ରୀ ପଦ ପାଇଁ ବଢିଲା ଲବି

୬ମନ୍ତ୍ରୀ ପଦ ଖାଲି ରହିଥିବା ବେଳେ ମନ୍ତ୍ରୀ ପଦ ପାଇଁ ବିଜେପିର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଜୋରଦାର ଲବି ହେଉଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରାପଡା, କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ ପରି ୧୭ଟି ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ ମିଳିନି । ସେହିପରି ବିଜେଡିରୁ ଆସିଥିବା ନେତା ବି ନିରାଶ ହୋଇଛନ୍ତି । ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜନଜାତି ବର୍ଗରୁ ୩ଜଣ, ୨ ଅନୁସୂଚିତ ବର୍ଗ ଓ ୫ଜଣ ଓବିସି ବର୍ଗର ମନ୍ତ୍ରୀ ରହିଛନ୍ତି । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଆଞ୍ଚଳିକ ସନ୍ତୁଳନ ସାଙ୍ଗକୁ ଜାତି ଗଣିତ ବି କଷିବାକୁ ପଡିବ । ଦକ୍ଷ ତଥା ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ । ବରିଷ୍ଠ ସାଙ୍ଗକୁ ଯୁବ ଚେହେରାଙ୍କୁ ସ୍ଥାନ ଦିଆଯାଇପାରେ । ମନ୍ତ୍ରୀପଦ ପାଇଁ ୨୦ରୁ ଅଧିକ ବିଧାୟକ ଆଶା ବାନ୍ଧିଛନ୍ତି ।

ଅନୁଗତଙ୍କ ପାଇଁ ଦିଲ୍ଲୀରୁ ଭୁବନେଶ୍ବର ଲବି ଚଳାଇଛନ୍ତି ଛାମୁଆ ନେତା । ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଭୂମିକା ନେବା ନେଇ ଦିଲ୍ଲୀରୁ ସଙ୍କେତ ମିଳିଛି । ଜିଲ୍ଲାଓ୍ବାରୀ ସମୀକରଣ ସହ ଦଳୀୟ ଆନୁଗତ୍ୟକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ମହିଳା ଭାଗିଦାରୀ ବଢାଇବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା ବେଳେ ଯୁବ ଚେହେରାଙ୍କୁ ବି ସୁଯୋଗ ମିଳିପାରେ । ୨୧ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରତିନିଧିତ୍ବ ଦେବାକୁ ଉଦ୍ୟମ ହୋଇପାରେ । ଯେଉଁମାନେ ମନ୍ତ୍ରିମଣ୍ଡଳରୁ ବାଦ ପଡିବେ ପରେ ସେମାନଙ୍କୁ ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନରେ ଥଇଥାନ କରାଯାଇପାରେ ।

Comments are closed.