Latest Odisha News

BREAKING NEWS

‘ମହାରାଷ୍ଟ୍ର ରାଜନୀତି’, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ଭାଙ୍ଗିଯିବ ସରକାର !

ଭୁବନେଶ୍ୱର: ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଉପରେ ପ୍ରମୁଖ ଦଳଗୁଡିକର ନଜର ରହିଛି। ପ୍ରଥମେ ଏମଭିଏ ମେଣ୍ଟ ସରକାର ଗଢିଥିବା ବେଳେ ଘଟଣାକ୍ରମେ ସିନ୍ଦେ ବିଜେପି ସରକାର ଏବେ ରାଜ୍ୟରେ ଚାଲିଛି।

ମହାରାଷ୍ଟ୍ର ରାଜନୀତି ଏବେ ବହୁ ଉତ୍ଥାନପତନ ମଧ୍ୟରେ ଗତି କରୁଛି। ଛକାପଞ୍ଝା ମଧ୍ୟରେ ବିଭିନ୍ନ ଦଳ ଆଗାମୀ ନିର୍ବାଚନରେ ନିଜର ଫାଇଦା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ପ୍ରଚାର ପ୍ରସାରକୁ ବ୍ୟାପକ କରୁଛନ୍ତି।

ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ବିଜେପି ମଧ୍ୟରେ ଟିକେଟ ଭାଗବଣ୍ଟାକୁ ନେଇ ଲଢେଇ ଚାଲିଥିବା କୁହାଯାଉଥିବାବେଳେ ମେଣ୍ଟକୁ ନେଇ ସ୍ପଷ୍ଟ କରିଛନ୍ତି ଏକନାଥ ସିନ୍ଦେ। ଆଗକୁ ଥିବା ସବୁ ନିର୍ବାଚନ ସିନ୍ଦେ ବିଜେପି ମେଣ୍ଟ ମିଳିତ ଭାବେ ଲଢ଼ିବେ ବୋଲି ସିନ୍ଦେ ସ୍ପଷ୍ଟ କରିଛନ୍ତି। ଆଗାମୀ ନଗର ନିଗମ ନିର୍ବାଚନ ମଧ୍ୟ ଉଭୟ ମିଶିକି ଲଢ଼ିବେ।

ବିଜେପି ଓ ସିନ୍ଦେ ଗୋଷ୍ଠି ମଧ୍ୟରେ କନ୍ଦଳ ଆରମ୍ଭ ହେବା କୁହାଯିବା ସହ ଗତ ରବିବାର ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ସବୁ କିଛି ଠିକ ଥିବା କୁହାଯାଉଛି। ଆଗକୁ ଥିବା ଲୋକସଭା, ବିଧାନସଭା ଓ ନଗରନିଗମ ନିର୍ବାଚନ ମିଶିକି ଲଢ଼ାଯିବ।

ଗୋଟିଏ ପଟେ ବିଜେପି ସିନ୍ଦେ ଗୋଷ୍ଠି ଏକାଠି ଲଢ଼ି ସଫଳତା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଏନସିପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ଆଗାମୀ ମୁମ୍ବାଇ ନଗର ନିଗମ ନିର୍ବାଚନ ମିଳିତ ଭାବେ ଲଢ଼ିବାକୁ ଉଦ୍ଧବ ଠାକରେଙ୍କୁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି।

ଉଦ୍ଧବଙ୍କ ପ୍ରତି ମୁମ୍ବାଇବାସୀଙ୍କ ସହାନୁଭୁତି ରହିଛି। ଏପରିକି ଅଜିତଙ୍କ କହିବା ଅନୁଯାୟୀ ଏକ ସର୍ଭେ ଅନୁଯାୟୀ ଉଦ୍ଧବ ଗୋଷ୍ଠି ଶିବସେନାକୁ ମୁମ୍ବାଇରେ ଅଧିକ ସିଟ ମିଳିବ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏମଭିଏ ମେଣ୍ଟ ସିଟ ଭାଗବଣ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଭାଗ ଛିଡୁ ନ ଥିବା ବେଳେ ଏଭଳି କଥା ପଦାକୁ ଆସିଛି।

ସେପଟେ ସିନ୍ଦେ ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚଳିତ ମାସ ୩୦ ତାରିଖରେ ସିନ୍ଦେ ବିଜେପି ସରକାରକୁ ବର୍ଷେ ପୁରିବ। କିନ୍ତୁ ଏ ଯାଏ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରି ନାହିଁ।

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିଶ ୪୧ ଦିନ ପର୍ଯ୍ୟନ୍ତ ବିନା ମନ୍ତ୍ରୀମଣ୍ଡଳରେ ସରକାର ଚଳାଇଥିଲେ। ପ୍ରଥମ ମନ୍ତ୍ରୀମଣ୍ଡଳ ବିସ୍ତାର ସମୟରେ ୧୮ ଜଣ ବିଧାୟକଙ୍କୁ ସାମିଲ କରାଯାଇଥିଲା। ଯେଉଁଥିରେ ୯ ଜଣ ବିଜେପିର ଓ ୯ ଜଣ ସିନ୍ଦେ ଗୋଷ୍ଠୀର ଥିଲେ।

ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୦ ଜଣ ମନ୍ତ୍ରୀ ରହିଛନ୍ତି। କିନ୍ତୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୪୩ ଜଣ ମନ୍ତ୍ରୀ ରହିପାରିବେ। ତେଣୁ ଏବେ ୨୩ ମନ୍ତ୍ରୀପଦ ଖାଲି ରହିଛି। ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ କେବେଠୁ କହୁଥିଲେ ମଧ୍ୟ ଏହା ହୋଇପାରିନି।

ମନ୍ତ୍ରୀ ପଦ ଠାରୁ ଆଶାୟୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ସମ୍ପ୍ରସାରଣ ହୋଇପାରୁନି। ଯାହାକୁ ପଦ ନ ମିଳିବ ସେ ବିଦ୍ରୋହ କରିବାର ଆଶଙ୍କା ରହିଛି। ଯେଉଁଥିପାଇଁ ସରକାରରେ ଅସ୍ଥିରତା ସୃଷ୍ଟି ହୋଇପାରେ।

ଉଦ୍ଧବ ଗୋଷ୍ଠି ଛାଡି ସିନ୍ଦେଙ୍କ ଆଡ଼କୁ ଯାଇଥିବା ୪୦ ବିଧାୟକ ପ୍ରାୟ ସମସ୍ତେ ମନ୍ତ୍ରୀ ପଦ ପାଇଁ ଦାବିଦାର ଥିବା କୁହାଯାଉଛି। ଏପରିକି ସିନ୍ଦେ ଗୋଷ୍ଠି ନେତା ସଞ୍ଜୟ ଶୀର୍ଷାଟ ଓ ଭରତ ଗୋଗାବାଲେ ମଧ୍ୟ ଏ ନେଉ ଖୋଲାଖୋଲି କହି ସାରିଛନ୍ତି।

୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ସମ୍ପର୍କିତ ପ୍ରସଙ୍ଗ ସୁପ୍ରିମକୋର୍ଟ ଶୁଣାଣି ଓ ଏବେ ବାଚସ୍ପତିଙ୍କ ବିଚାରାଧୀନ ଥିବା କହି ସିନ୍ଦେ ଗୋଷ୍ଠି ବିଧାୟକଙ୍କୁ ବୁଝାଯାଉଛି ବୋଲି ଆଲୋଚନା ହେଉଛି। ସେପଟେ ବିନା କୌଣସି ସ୍ୱାର୍ଥ ରଖି ଦଳ ପାଇଁ କାମ କରିବାକୁ ବିଜେପି ବିଧାୟକଙ୍କୁ କୁହାଯାଉଛି।

ଦଳର ୧୦୫ ବିଧାୟକ ଥିଲେ ମଧ୍ୟ ମାତ୍ର ୯ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ତେଣୁ ଏବେ ମନ୍ତ୍ରୀମଣ୍ଡଳ କିଭଳି ସମ୍ପ୍ରସାରଣ ହେବ ତାକୁ ନେଇ ଚର୍ଚା ଜୋର ଧରିଛି।

ସେପଟେ ଆସନ୍ତାବର୍ଷ ନଭେମ୍ବର ମାସରେ ରାଜ୍ୟର ବିଧାନସଭା ନିର୍ବାଚନ ହେବା ସମ୍ଭାବନା ଥିବା ବେଳେ ଦେଶର ସାଧାରଣ ନିର୍ବାଚନ ରହିଛି। ତେଣୁ ଏବେ ମନ୍ତ୍ରୀ ପଦ ଦେଲେ ସମସ୍ୟା ନ ଦେଲେ ବି ବିଧାୟକ ମାନେ ବିଗିଡିଯିବାର ସମ୍ଭାବନା ଅଧିକ। ତେଣୁ ଏହାକୁ ସିନ୍ଦେ ଓ ବିଜେପି କିଭଳି ମ୍ୟାନେଜ କରିବେ ତାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Leave A Reply

Your email address will not be published.