ଭୁବନେଶ୍ବର: ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍ ୨୦୨୬) ବେଟିଂ ବିରୁଦ୍ଧରେ ଓଡ଼ିଶା ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ, ସାରା ରାଜ୍ୟରୁ ମୋଟ ୩୬ ଲକ୍ଷ ୮୫ ହଜାର ୨୦୦ ଟଙ୍କାର ନଗଦ ରାଶି ଜବତ କରାଯାଇଛି । ଏହି ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଅଭିଯୁକ୍ତଙ୍କ ନିକଟରୁ ୨ଟି କାର୍ ଏବଂ ୧୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ବେଟିଂ କାରବାରରେ ବ୍ୟବହୃତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ୪୨ ହଜାର ୬୧୧ ଟଙ୍କା ଫ୍ରିଜ୍ କରାଯାଇଛି ।
ତେବେ ଝାରସୁଗୁଡ଼ା ଜିଲ୍ଲାରୁ ବଡ଼ ର଼୍ୟାକେଟ୍ ଚିହ୍ନଟ କରି ସର୍ବାଧିକ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ଓ ବେଟିଂରେ ବ୍ୟବହୃତ ୨ଟି କାର୍ ଜବତ କରିଛି ।
ଅନ୍ୟପଟେ, ପୁରୀ ଜିଲ୍ଲାରେ ଗୋଟିଏ ମାମଲା ରୁଜୁ କରାଯାଇଛି । ୪ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ସର୍ବାଧିକ ୨୫ ଲକ୍ଷ ୩୫ ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି ଏବଂ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କାକୁ ଫ୍ରିଜ୍ କରାଯିବା ସହ ୬ଟି ମୋବାଇଲ୍ ଜବତ କରାଯାଇଛି । ବ୍ରହ୍ମପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ୫୦ ହଜାର ୨୦୦ ଟଙ୍କା ନଗଦ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ।
ସେହିପରି, ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପୋଲିସ ଚଢ଼ାଉ କରି ଗୋଟିଏ ବେଟିଂ ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୬ ଲକ୍ଷ ଟଙ୍କାର ନଗଦ ଅର୍ଥ, ୧୭ ଲକ୍ଷ ୬୧ ହଜାର ୩୬୭ ଟଙ୍କାର ବ୍ୟାଙ୍କ ବାଲାନ୍ସ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।