Latest Odisha News

BREAKING NEWS

ଆର୍ଥିକ ସଂକଟରେ ପାକିସ୍ତାନ…କେମିତି କରିବ ଭାରତ ସହ ମୁକାବିଲା?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଦେଶରେ ଆକ୍ରୋଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ଦେଖାଇଛନ୍ତି ତ ପାକିସ୍ତାନ ବିରୋଧରେ ବଡ଼ଧରଣର ଆକ୍ସନ ପାଇଁ ଦାବି ହେଉଛି । ଆତଙ୍କ ବିରୋଧରେ ଭାରତର କଡା ସନ୍ଦେଶ ପରେ ଭୟରେ ଥରହର ପାକିସ୍ତାନ । ତେବେ ପ୍ରଶ୍ନ ଉଠୁଛି, ଭାରତର ମୁକାବିଲା କରିବାକୁ ସମର୍ଥ କି ପାକିସ୍ତାନ? କାରଣ ଆର୍ଥିକ ସଂକଟ ସହ ଯୁଝୁଛି ଦେଶ । ଏହା ପଛର ବଡ଼ କାରଣ ହେଉଛି ଆତଙ୍କବାଦ । ବର୍ଷ ବର୍ଷ ଧରି ପରଦା ପଛରୁ ଆତଙ୍କବାଦକୁ ସମର୍ଥନ କରିଆସୁଛି ପାକିସ୍ତାନ । ତେବେ ପହଲଗାମ ହମଲା ପରେ ଭାରତ ଅନେକ ପଦକ୍ଷେପ ନେଇଛି, ଯାହାଦ୍ବାରା  ପାକିସ୍ତାନର ଅର୍ଥନୀତି ଭୁଶୁଡି ପଡିବ ।

ଆର୍ଥିକ ସଂକଟରେ ପାକିସ୍ତାନ

ଆତଙ୍କବାଦକୁ ନେଇ ଭାରତର କଡା ଆଭିମୁଖ୍ୟ ପରେ ନାଲିଆଖି ଦେଖାଉଛି ପାକିସ୍ତାନ । ତେବେ ସତ ହେଲା, ଭାରତ ସହ ମୁକାବିଲା କରିବା ସ୍ଥିତିରେ ନାହିଁ ପାକିସ୍ତାନ । କାରଣ ଋଣରେ ବୁଡିରହିଛି ଦେଶ । ବଡ଼ ବଡ଼ ବ୍ୟବସାୟୀ ପାକିସ୍ତାନ ଛାଡି ଚାଲି ଯାଉଛନ୍ତି । କେବେ ବିଶ୍ବ ବ୍ୟାଙ୍କ ତ କେବେ ଆଉଏମଏଫଠାରୁ ଫଣ୍ଡ ନେଇ ଖର୍ଚ୍ଚ ତୁଲାଉଛି ଦେଶ । ଗତ କିଛି ବର୍ଷ ହେଲା ଆର୍ଥିକ ସହାୟତା ପାଇଁ ହାତ ପତାଉଛି ପାକିସ୍ତାନ । ଯେଉଁଠି ଭାରତ କିଛି ବର୍ଷ ମଧ୍ୟରେ ବିଶ୍ବର ତୃତୀୟ ସର୍ବବୃହତ ଇକୋନୋମି ହେବାକୁ ଯାଉଛି, ସେଠି ପାକିସ୍ତାନ ଆର୍ଥିକ ସଂକଟର ସାମନା କରୁଛି । ଏହା ପଛର କାରଣ ହେଉଛି ପାକିସ୍ତାନର ନୀତି । ପହଲଗାମ ଆକ୍ରମଣ ପରେ ଭାରତର ନିଷ୍ପତ୍ତି ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ ।

ଭାରତଠୁ ଅନେକ ପଛରେ ପାକିସ୍ତାନ

କୌଣସି କ୍ଷେତ୍ରରେ ବି ପାକିସ୍ତାନ ଭାରତର ମୁକାବିଲା କରିବାରେ ସମର୍ଥ ନୁହେଁ । ଭାରତର ଜିଡିପି ପ୍ରାୟ ୩.୭ଟ୍ରିଲିୟନ ଡଲାର ରହିଥିବା ବେଳେ ପାକିସ୍ତାନର ମାତ୍ର ୩୪୦ବିଲିୟନ ଡଲାର ରହିଛି । ସେହିପରି ଭାରତୀୟ ଅର୍ଥନୀତି ବାର୍ଷିକ ପ୍ରାୟ ୬.୫ପ୍ରତିଶତ ହାରରେ ବଢୁଥିବା ବେଳେ ପାକିସ୍ତାନରେ ଜିଡିପି ଅଭିବୃଦ୍ଧି ହାର ମାତ୍ର ୨ପ୍ରତିଶତ । ପାକିସ୍ତାନରେ ପ୍ରାୟ ସବୁ ଉଦ୍ୟୋଗ ଖରାପ ଅବସ୍ଥାରେ ରହିଛି । ଏଭଳି ସ୍ଥିତିରେ ଆଗକୁ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ସମ୍ଭାବନା ବି ନାହିଁ । ସେହିପରି ଭାରତର ସେନା ବଜେଟ୍ ୭୮.୭ବିଲିୟନ ଡଲାର ରହିଥିବା ବେଳେ ପାକିସ୍ତାନର ମିଲିଟ୍ରି ବଜେଟ୍ ମାତ୍ର ୭.୬ବିଲିୟନ ଡଲାର । ଏମିତି ଦେଖିବାକୁ ଗଲେ ପାକିସ୍ତାନ ତୁଳନାରେ ଭାରତର ସେନା ବଜେଟ୍ ୧୦ଗୁଣା ଅଧିକ ।

ଭୋକ ସହ ଯୁଝୁଛି ପାକିସ୍ତାନ

ପାକିସ୍ତାନରେ ଭୋକ ସହ ଯୁଝୁଛନ୍ତି ଜନତା । ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ସେଠାକାର ଲୋକେ । ସ୍ଥିତି ଏମିତି ଯେ, ଖାଦ୍ୟ ସାମଗ୍ରୀ ଲୁଟ୍ ହେଉଛି। ପାକିସ୍ତାନରେ ୨୦୨୪ବର୍ଷରେ ମୁଦ୍ରାସ୍ଫୀତି ୨୪ପ୍ରତିଶତ ରହିଥିବା ବେଳେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ପ୍ରତିଶତ ରହିଛି । ଭାରତକୁ ନାଲିଆଖି ଦେଖାଉଥିବା ପାକିସ୍ତାନର ରାଜକୋଷ ବି ଖାଲି । ଭାରତ ପାଖରେ ଏବେ ପ୍ରାୟ ୬୭୮ ବିଲିୟନ ଡଲାରର ବିଦେଶୀ ମୁଦ୍ରା ପାଣ୍ଠି ରହିଥିବା ବେଳେ ପାକିସ୍ତାନ ପାଖରେ କେବଳ ୮ବିଲିୟନ ଡଲାରର ରିଜର୍ଭ ରହିଛି । ଫଳରେ ଆବଶ୍ୟକ ସାମଗ୍ରୀ ବି କିଣିବାରେ ସମର୍ଥ ନୁହେଁ ପାକିସ୍ତାନ ।

ଭାରତୀୟ ସେୟାର ମାର୍କେଟର ଆକାର ପ୍ରାୟ ୪ଟ୍ରିଲିୟନ ଡଲାର ରହିଥିବା ବେଳେ ପାକିସ୍ତାନ ସେୟାର ବଜାରର ମାର୍କେଟ୍ କ୍ୟାପ ୧୦୦ ବିଲିୟନ ଡଲାରରୁ ବି କମ୍ । ସେହିପରି ଗତ ୧୦ବର୍ଷ ମଧ୍ୟରେ ଭାରତୀୟ ସେୟାର ମାର୍କେଟ୍ ପ୍ରାୟ ୧୮୦ପ୍ରତିଶତ ରିଟର୍ଣ୍ଣ ଦେଇଥିବା ବେଳେ ପାକିସ୍ତାନ ନିବେଶକଙ୍କୁ ସର୍ବାଧିକ ୩୫ରୁ ୪୦ପ୍ରତିଶତ ରିଟର୍ଣ୍ଣ ମିଳିଛି । ଏଥିରୁ ସ୍ପଷ୍ଟ, ଭାରତ ସହ ମୁକାବିଲା ତ ଦୂରର କଥା ଠିଆ ହେବାର ସାମର୍ଥ୍ୟ ବି ପାକିସ୍ତାନର ନାହିଁ । ତେଣୁ ପହଲଗାମ ହମଲା ପରେ ବଡ ବଡ଼ ଚେତାବନୀ ଦେଉଥିବା ପାକିସ୍ତାନ ଭାରତ ସହ ଯୁଦ୍ଧର ଖର୍ଚ୍ଚ ଉଠାଇ ପାରିବ ତ?

Comments are closed.