Latest Odisha News

BREAKING NEWS

ନିରଞ୍ଜନ, ପ୍ରସାଦ, ଜୟଦେବ ଫେଲ୍ ମାରିଲେ, ଏବେ ଆଗକୁ ବଢ଼ିବାକୁ ନୂଆ ‘ସୂତ୍ର’ ପାଇବେ ଶରତ ?

ଭୁବନେଶ୍ୱର: କଂଗ୍ରେସ ଆଗକୁ ବଢ଼ିବ । ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ । ‘ଓଡ଼ିଶା ସମ୍ବାଦ’ର ସମ୍ପାଦକଙ୍କ ସାକ୍ଷାତକାର ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ଏପରି କିଛି କହିଛନ୍ତି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ।

ତେବେ ଶରତ ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ନହେଲେ ମଧ୍ୟ ସେ ୨୦୦୧ରୁ ୨୦୦୪ ଯାଏଁ ପିସିସି ସଭାପତି ଦାୟିତ୍ୱରେ ଥିଲେ। ବଲାଙ୍ଗିରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶରତଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ କିନ୍ତୁ ରହିଛି । ମୁଖ୍ୟତଃ ଦଳରେ ଗୋଷ୍ଠୀ କନ୍ଦଳ, ଗୋଡ଼ ଟଣା ନୀତି, ତୃଣମୂଳ ସ୍ତରରେ କଂଗ୍ରେସ ସକ୍ରିୟ କରିବା ଶରତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି।

କେବଳ ଶରତ ନୁହେଁ ଏହାପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଆସନରେ ବସିଥିବା ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନାଙ୍କ ଆଗରେ ମଧ୍ୟ ସମାନ ଚ୍ୟାଲେଞ୍ଜ ରହିଥିଲା। ହେଲେ ପରସ୍ପର ମଧ୍ୟରେ ଗୋଡ଼ଟଣା ନୀତି, ପକ୍ଷପାତିତା ପାଇଁ କ୍ରମଶଃ ଦୁର୍ବଳ ହୋଇଯାଇଛି।

ଏବେ କିନ୍ତୁ ୯ରୁ ୯୦ର ନାରା ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନୂଆ ମଙ୍ଗୁଆଳଙ୍କ ଦମ୍ଭୋକ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଶରତଙ୍କ ପୂର୍ବରୁ ଯିଏ ବି ନୂଆ ପିସିସି ସଭାପତି ପଦରେ ବସିଛନ୍ତି ସେ ଅନେକ ଗୋଲାପୀ ସ୍ୱପ୍ନ ଦେଖାଇଛନ୍ତି। ହେଲେ ତାର ପରିଣାଣ କଣ ଏବେର ବିଧାୟକଙ୍କ ସଂଖ୍ୟାକୁ ଦେଖିଲେ ପରିଲିକ୍ଷିତ ହେଉଛି।

୧୯୯୦ରେ କଂଗ୍ରେସ ବିରୋଧୀ ଆସନରେ ଥିଲା କିନ୍ତୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଦଳ ୧୯୯୫ରେ ସରକାର ଗଢ଼ିଥିଲା ବୋଲି ଶରତ କହିଛନ୍ତି। ଏବେ ସମାନ ଫର୍ମୁଲାରେ ଦଳ ୨୦୨୪ରେ ସରକାର ଗଢ଼ିବ ବୋଲି ସେ କହିଛନ୍ତି। ତେଣୁ ଏପରି କରିବାକୁ ହେଲେ କିଭଳି ପାରମ୍ପରିକ ଭୋଟ୍ କଂଗ୍ରେସ ହାତେଇ ପାରିବ ତା’ଉପରେ ଶରତ ଗୁରୁତ୍ୱ ଦେବା ଦରକାର। କାରଣ କଂଗ୍ରେସ ବିଭିନ୍ନ ସମୟରେ ସଭା ସମ୍ମିଳନୀ କଲେ ସେଠାର ପଡ଼ିଥିବା ଚେୟାର, ଟେବୁଲ ଆଦି ଖାଲି ପଡିଥାଏ।

ରାଜ୍ୟରେ ଏବେ ବିରୋଧୀ ଦଳର ଆଭିମୁଖ୍ୟ ଯେପରି ଆକ୍ରମଣାତ୍ମକ ରହିବା କଥା ତାହା ନାହିଁ। ବିଜେପି ବିରୋଧୀ ଆସନରେ ରହିଥିଲେ ମଧ୍ୟ କେନ୍ଦ୍ରରେ ମୋଦୀ ସରକାର ସହ ବିଭିନ୍ନ ପ୍ରସଙ୍ଗରେ ଏକ ହେବା ପରେ ବିଜେପିର ଭୂମିକା ଉପରେ ସନ୍ଦେହ କରିଛନ୍ତି ଜନତା। ଯାହାର ପରିଣାମ ପଞ୍ଚାୟତ, ପୌର ଏବଂ ଉପନିର୍ବାଚନ ଫଳାଫଳ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ସମସ୍ୟା ଏବଂ ପ୍ରସଙ୍ଗ ରାଜ୍ୟରେ ଭରି ରହିଥିଲେ ମଧ୍ୟ ବିରୋଧୀ ଦଳର ନିଷ୍ଟ୍ରିୟତା ପାଇଁ ଅନେକ ସମସ୍ୟା ଲୋକଲୋଚନକୁ ଆସିପାରୁନି।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱରେ ଥିବା ବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ବଢିଥିଲା। ବିଭିନ୍ନ ଉପ ନିର୍ବାଚନ ପ୍ରଚାର ପୂର୍ବରୁ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ। ନିର୍ବାଚନ ପ୍ରଚାରକୁ ସେ ନଯିବାରୁ ଦଳର କର୍ମୀଙ୍କ ମଧ୍ୟରେ କୌଣସି ଉଦ୍ଦୀପନା ରହୁନଥିଲା। ସେହିପରି ଦଳକୁ ପରିଚାଳନା କରିବାକୁ ଆବଶ୍ୟକ ଥିବା ପାଣ୍ଠି ମଧ୍ୟ ଉପଲବ୍ଧ ହେଉନଥିଲା। ତେଣୁ ଦଳ ବିଭିନ୍ନ ସମୟରେ ପ୍ରଚାର ପ୍ରସାର ପାଖରୁ ଆରମ୍ଭ କରି ଅନ୍ୟାନ୍ୟା କାମରେ ବିଜେଡି ଓ ବିଜେପି ପାଖରୁ ପଛରେ ରହୁଥିଲେ।

କଂଗ୍ରେସ ବିଭିନ୍ନ ରାଜ୍ୟରେ ଏବେ ସରକାରରେ ରହିଛି। ଯେମିତକି ଛତିଶଗଡରେ । ସେଠାରେ କଂଗ୍ରେସ ମଧ୍ୟ ଦୁର୍ବଳ ଥିଲା। କିନ୍ତୁ ଏବେର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କ ନିରନ୍ତର ପ୍ରୟାସ ଦଳକୁ ମଜବୁତ କରିଥିଲା। ହେଲେ ଏସବୁରୁ ଓଡ଼ିଶା କଂଗ୍ରେସ କିଛି ଶିଖିନଥିଲା। ତେଣୁ ଏବେ ଶରତ ରାଜ୍ୟ କଂଗ୍ରେସକୁ ମଜବୁତ କରିବାକୁ ଏସବୁ ଉପରେ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି।

ଶରତ ସଭାପତି ହେବା ପରେ ଏବେ ମୁଖ୍ୟ ପ୍ରସଙ୍ଗ ହେଉଛି ବିଧାୟକଙ୍କ ସହ ତାଙ୍କର ସୁସମ୍ପର୍କ ରହିବ ତ? କାରଣ ପିସିସି ସଭାପତି କିଏ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ବିଧାୟକ ମାନେ ଦାବି କରିଥିଲେ ତାଙ୍କ ଭିତରୁ କାହାକୁ ପିସିସି ସଭାପତି କରାଯାଉ। ବିଧାୟକ ତାରା ବାହିନୀପତି, ମହମ୍ମଦ ମୋକିମ୍ ଭଳି ନେତା ଏଭଳି କିଛି ଦାବି କରିଥିଲେ। କିନ୍ତୁ କେନ୍ଦ୍ର କଂଗ୍ରେସ ଦଳର ପୁରୁଣା ଓ ବିଶ୍ୱସ୍ତ ନେତାଙ୍କ ଉପରେ ରାଜ୍ୟ କଂଗ୍ରେସର ଚାବିକାଠି ଦେଇଛି।

ଶରତ କିନ୍ତୁ ପିସିସି ସଭାପତି ହେବାପରେ ଏଯାବତ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ସଭାକୁ ଆସିନାହାନ୍ତି । କିନ୍ତୁ ମୋକ୍କିମଙ୍କ ସହ ସେ ଫୋନରେ କଥା ହୋଇଛନ୍ତି ବୋଲି ମିଡିଆରେ କହିଛନ୍ତି ଶରତ । କିନ୍ତୁ ନୂଆ ପିସିସି ସଭାପତିଙ୍କୁ ନେଇ ମୋକ୍କିମ ଏଯାବତ ନିରବ ରହିଛନ୍ତି। ଯିଏକି ନିଜେ ଏହି ପଦ ପାଇଁ ରେସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା।

ସେହିପରି ସବୁବେଳେ ଜୋଶରେ ରହୁଥିବା ତାରା ବାହାନୀପତି ୧୦ ତାରିଖ ଦିନ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ସ୍ୱାଗତ କରିବାକୁ ହୋଇଥିବା ସଭାରେ ଉପସ୍ଥିତ ରହି କଂଗ୍ରେସକୁ ଆଗକୁ ନେବା ପାଇଁ ଆହ୍ୱାନ କରିଛନ୍ତି । ସେ ସବୁବେଳେ କଂଗ୍ରେସ ସହିତ ରହିଛନ୍ତି ଓ ରହିବେ ବୋଲି କହିଛନ୍ତି। କିନ୍ତୁ ଏବେ ବି ଦଳର ଅନେକ ବିଧାୟକ ଶରତଙ୍କ ନେତୃତ୍ୱକୁ ମୁକ୍ତ କଣ୍ଠରେ ସ୍ୱୀକାର କରିନାହାନ୍ତି କି ଖୋଲି କରି କିଛି ଅସନ୍ତୋଷ ବି ଜାହିର କରିପାରୁନାହାନ୍ତି । କାରଣ ନିକଟରେ କଂଗ୍ରେସ ହାଇକମାଣ୍ଡ କହି ସାରିଛନ୍ତି ଦଳ ଯଦି ଦଳୀୟ ନେତା ଗୋଷ୍ଠୀ କନ୍ଦଳକୁ ମିଡିଆରେ ପରିପ୍ରକାଶ କରିବେ ତାହାଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

କଂଗ୍ରେସକୁ ମଜବୁତ କରିବାକୁ ହେଲେ ଯୁବ ଛାତ୍ର ସଂଗଠନ ଏବଂ ଛାତ୍ର କଂଗ୍ରେସ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ତେଣୁ ଯୁବ କଂଗ୍ରେସ ସହ ଛାତ୍ର କଂଗ୍ରେସ ମଧ୍ୟରେ ପୂର୍ବଭଳି ଏକତା ଆଉ ନାହିଁ। ଏହା ଉପରେ ଶରତ କିନ୍ତୁ କହିଛନ୍ତି ଖୁବଶୀଘ୍ର ଛାତ୍ର କଂଗ୍ରେସ ସମସ୍ୟାର ସମାଧାନ ହେବ। ବିଭିନ୍ନ କଲେଜରେ ଥିବା ଛାତ୍ର କଂଗ୍ରେସ ୟୁନିଟକୁ ନେଇ ସେ ରୋଡମ୍ୟାପ ପ୍ରସ୍ତୁତ କରିବେ। ଏଥିସହ କଲେଜ ଗୁଡିକରେ ଯେଉଁସବୁ ମୁଦ୍ଦା ବା ସମସ୍ୟା ରହିଛି ତାର ସମାଧାନ କିପରି ହୋଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିବେ ବୋଲି କହିଥିଲେ।

ତେବେ ରାଜ୍ୟ କଂଗ୍ରେସରେ ଲାଗିରହିଥିବା ଗୋଷ୍ଠୀ କନ୍ଦଳ ‘ଭୂତାଣୁ’ ଦେଶର ସମସ୍ତ ରାଜ୍ୟରେ ରହିଛି। ତେଣୁ ଏହି ଭୂତାଣୁର ଚିକିତ୍ସା ପାଇଁ ଏବେ ଶରତଙ୍କ କେଉଁ ଟିକା ପ୍ରୟୋଗ କରିବେ ତାହା ସମୟ କହିବ।

Leave A Reply

Your email address will not be published.