Latest Odisha News

BREAKING NEWS

ନାର୍କୋ ପରୀକ୍ଷା ପରେ ବି ଗୋପାଳ କାହିଁକି ହତ୍ୟା କଲା ଖିଅ ଖୋଜିପାରୁନି କ୍ରାଇମବ୍ରାଞ୍ଚ ଟିମ୍?

ଭୁବନେଶ୍ୱର: ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ପରୀକ୍ଷା ପରେ ବି କାହିଁକି ମନ୍ତ୍ରୀ ନବ ଦାସଙ୍କୁ ସେ ହତ୍ୟା କଲା ଖିଅ ଖୋଜିପାରୁନି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍। ହତ୍ୟା ଘଟଣାକୁ ଆଜିକୁ ୧୮ ଦିନ ପୂରଣ ହୋଇଛି। ଏହି ସୂଚନା  ସେତେବେଳେ ମିଳିଛି ଯେତେବେଳେ କି ତଦନ୍ତକାରୀ ଟିମ୍ ଏହି ହାଇପ୍ରୋଫାଇଲ ହତ୍ଯାକାଣ୍ଡ ଘଟଣାର ତଦନ୍ତ ପାଇଁ ବିଦେଶର କିଛି ଫୋରେନସିକ୍ ସାଇକୋଲୋଜିଷ୍ଟ ବା ମନସ୍ତତ୍ବବିତଙ୍କ ସହ ପରାମର୍ଶ କରିବା ନେଇ ଚିନ୍ତା କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଗତ ସପ୍ତାହରେ ଗୁଜରାଟ ଗାନ୍ଧୀନଗରରେ ଗୋପାଳର ନାର୍କୋ ପରୀକ୍ଷା ହୋଇଥିଲା। ଏହାପୂର୍ବରୁ ଝାରସୁଗୁଡ଼ାଠାରେ ଦିଲ୍ଲୀ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲାବୋରେଟୋରୀର ଏକ ବିଶେଷଜ୍ଞ ଟିମ ଦ୍ୱାରା ଲେୟାରଡ଼ ଭଏସ ଆନାଲିସିସ୍ (ଏଲଭିଏ) ଟେଷ୍ଟ ଓ ଫରେନ୍ସିକ ସାଇକୋଲୋଜିକାଲ ଆସେସମେଣ୍ଟ ହୋଇଥିଲା। ଏବେ ସମସ୍ତ ପରୀକ୍ଷା ରିପୋର୍ଟକୁ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ପଠାଇ ଦିଆଯାଇଥିବା ସୂଚନା ରହିଛି।

ନାର୍କୋ ପରୀକ୍ଷା ସମୟରେ ଅଭିଯୁକ୍ତ ମିଛ କହିପାରନ୍ତି ନାହିଁ। ତେଣୁ ନାର୍କୋ ପରୀକ୍ଷା କଲେ ହତ୍ୟା ଘଟଣାର ପ୍ରକୃତ କାରଣ ସାମ୍ମାକୁ ଆସିବ ବୋଲି ଚିନ୍ତା କରି କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତକୁ ବିମାନରେ ଝାରସୁଗୁଡାରୁ ଭାୟା କୋଲକାତା ନେଇ ଗାନ୍ଧୀନଗର ନେଇଥିଲା। ଗୋପାଳ ନାର୍କୋ ପରୀକ୍ଷା ବେଳେ ଅନେକ ସୂଚନା ଦେଇଥିବା ନେଇ ମଧ୍ୟ ଖବର ରହିଛି।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣାର ତଦନ୍ତ ଏବେ ବି ଜାରି ରହିଛି। ଆସିଥିବା ବିଭିନ୍ନ ରିପୋର୍ଟକୁ ପରୀକ୍ଷା ପାଇଁ ଆମେରିକା କିମ୍ବା ଲଣ୍ଡନରେ ଥିବା କିଛି ବିଦେଶୀ ବିଶେଷଜ୍ଞଙ୍କ ସହ ସେମାନଙ୍କ ମତାମତ ଲୋଡ଼ିବାକୁ ଚିନ୍ତା କରାଯାଉଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏବେ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡାରୁ ଅଣାଯାଇ କଟକ ଚୌଦ୍ୱାର ଜେଲରେ ରଖାଯାଇଛି। ସେ ଏବେ ଜେଲର ୩ନମ୍ବର ସେଲ୍‌ରେ ଅଛନ୍ତି। ଏଥି ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚୌଦ୍ୱାର ଜେଲ୍‌ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି।

 

 

 

 

Leave A Reply

Your email address will not be published.