Latest Odisha News

ଜାଲ୍ ସାର୍ଟିଫିକେଟ କାରବାର: ସିବିଆଇ ତଦନ୍ତ ଦାବି କଲା ବିଜେପି, ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର: ପୋଷ୍ଟ ଅଫିସ ନିଯୁକ୍ତିରେ ନକଲି ସାର୍ଟିଫିକେଟ କାରବାରକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ପ୍ରଥମେ ଓଡ଼ିଶାର ପୋଷ୍ଟ ମାଷ୍ଟର ଜେନେରାଲ (ପିଏମଜି) ସିବିଆଇକୁ ତଦନ୍ତ ପାଇଁ ଅନୁରୋଧ କରିବାର ଦିନକ ପରେ ବିରୋଧୀ ବିଜେପି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସମାନ ତଦନ୍ତ ପାଇଁ ଦାବି କରିଛନ୍ତି। ଯେତେବେଳେ କି ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମନୋଜ ମିଶ୍ରଙ୍କର ଫଟୋ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଧାୟକ ସୁଶାନ୍ତ ସିଂହଙ୍କ ସହ ଫଟୋ ଭାଇରାଲ ହେଉଛି। ଆଉ ନକଲି ସାର୍ଟିଫିକେଟ ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଦାବି କରୁଛନ୍ତି ବିରୋଧୀ।

ମନମୋହନ ସାମଲ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ବିଜେଡିର ଜଣେ ଟାଣୁଆ ନେତାଙ୍କ ସମ୍ପୃକ୍ତି ବିନା ରାଜ୍ୟରେ ଏତେ ଦିନ ଧରି ଏହି ରାକେଟ କିପରି କାର୍ଯ୍ୟକ୍ଷମ ହେଲା। ତେଣୁ ସିବିଆଇ ଏହି ମାମଲାରେ ତଦନ୍ତ କରିବା ସହ ରାଜ୍ୟରେ ଅସଂଖ୍ଯ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଘରକୁ ଠେଲି ଦେଇଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ରାଜ୍ୟ ପୋଲିସର ତଦନ୍ତ ଉପରେ ଏହି ଅବସରରେ ଶ୍ରୀଯୁକ୍ତ ସାମଲ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ସିବିଆଇ ତଦନ୍ତ ହେଲେ ଓଡ଼ିଶାରେ ଜାଲ ସାର୍ଟିଫିକେଟ୍ ରାକେଟର ସତ୍ୟାସତ୍ୟ ପଦାକୁ ଆସିବ। ଏହି ରାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଓ ଅନ୍ୟ ଦୋଷୀଙ୍କ ପର୍ଦ୍ଦାଫାସ କରିବା ପାଇଁ ଏବଂ କେତେ ନକଲି ସାର୍ଟିଫିକେଟ ବିକ୍ରି  ହୋଇଛି ଓ ଟଙ୍କା କାରବାର ହୋଇଛି ତାହା ଜାଣିବା ପାଇଁ ଖୁବ୍ ଶୀଘ୍ର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ।

ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ବିଚାରପତିଙ୍କ ଜରିଆରେ ତଦନ୍ତ ହେବା ଆବଶ୍ୟକ। କ୍ରାଇମବ୍ରାଞ୍ଚ ହେଉ ଅବା ସିବିଆଇ, ବିଶ୍ବସନୀୟତା ହରାଇ ସାରିଲେଣି। ତେଣୁ ବିଚାରପତିଙ୍କ ଜରିଆରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଦୋଷୀଙ୍କୁ ସୁରକ୍ଷା ଦେଉଥିବା ଲୋକଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେଉ।

ଅପରପକ୍ଷରେ ବିରୋଧୀ ଦଳଙ୍କ ଅଭିଯୋଗ ଓ ଦାବିକୁ ବିଜେଡି ଖଣ୍ଡନ କରିଛି। ପୂର୍ବରୁ ଓଡ଼ିଶା ପୁଲିସ ନିଜର ଦକ୍ଷତାର ପରିଚୟ ଦେଇସାରିଛି। ବିରୋଧୀ ଦଳମାନେ ଧୌର୍ଯ୍ୟ ଧରନ୍ତୁ ଏବଂ ଭିତ୍ତିହୀନ ଅଭିଯୋଗରୁ ଦୂରେଇ ରୁହନ୍ତୁ। ତଦନ୍ତ ଠିକ୍ ଢଙ୍ଗରେ ଚାଲିଛି, ସତ୍ୟାସତ୍ୟ ପଦାକୁ ଆସିବ, ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ କ’ଣ କରିଛି କହି ସିବିଆଇର ତଦନ୍ତ ପ୍ରକ୍ରିୟା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ଆଇନଜୀବୀ କହିଛନ୍ତି, ଡାକ ବିଭାଗ କେନ୍ଦ୍ର ସରକାରଙ୍କର। ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିପାରିବ। ହେଲେ ତଦନ୍ତ ବେଳେ ଯଦି ଅନ୍ୟ ବିଭାଗର ଲିଙ୍କ ଆସିବ ତାହେଲେ ସିବିଆଇ ସିଧାସଳଖ ତଦନ୍ତ କରିପାରିବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବା ଆବଶ୍ୟକ।

ଉଲ୍ଲେଖଯୋଗ୍ଯ, ଗତକାଲି ଏହି ମାମଲାରେ ପିଏମଜି ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବାରିକ କହିଥିଲେ, ୨୦୧୮ ପରେ ନିଯୁକ୍ତି ପାଇଥିବା ପୋଷ୍ଟ ମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ମାମଲାରେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ଗିରଫ ୪ ଅଭିଯୁକ୍ତଙ୍କ ବ୍ୟତୀତ ଦଲାଲ ଓ ରାକେଟ୍ ଚଳାଉଥିବା ସରକାରୀ କର୍ମଚାରୀଙ୍କ ସମେତ ୭ ଜଣିଆ ସିଣ୍ଡିକେଟର ସମ୍ପୃକ୍ତି ନେଇ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.